ପରାଜୟ ପରେ କଂଗ୍ରେସରେ କନ୍ଦଳ, ଲାଞ୍ଚ ନେଇ ଟିକେଟ ବଣ୍ଟା ଅଭିଯୋଗ

ନୂଆଦିଲ୍ଲୀ : ନିକଟରେ ସମାପ୍ତ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳରେ କନ୍ଦଳ ବଢିବାରେ ଲାଗିଛି । ବିଶେଷକରି ପଞ୍ଜାବ କଂଗ୍ରେସରେ କନ୍ଦଳ ବଢିବାରେ ଲାଗିଛି । ଆଜି ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ପଂଜାବ କଂଗ୍ରେସର କେତେତ ସାଂସଦ ଅଭିଯୋଗ କରିଛନ୍ତି ଯେ ସିଦ୍ଧୁ ଓ ସୁନୀଲ ଝାକରଙ୍କ କନ୍ଦଳ ଦଳକୁ ମହଙ୍ଗା ପଡ଼ିଲା । ପୁଣି ସାଂସଦମାନେ  କଂଗ୍ରେସ ପ୍ରଭାରି ଅଜୟ ମାକେନ ଓ ହରିଶ ଚୌଧୁରୀଙ୍କ ବିରୋଧରେ କେତେକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଲାଞ୍ଚ ନେଇ ଟିକେଟ ବଣ୍ଟାହୋଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ଉତ୍ତରାଖଣ୍ଡରେ ବି ବରିଷ୍ଠ କଂଗ୍ରେସ ନେତା ହରିଶ ରାଓ୍ବତଙ୍କ ବିରୋଧରେ ଅନୁରୂପ ଅଭିଯୋଗ ଆସିଛି । ସେ ବି ଟଙ୍କା ନେଇ ଟିକେଟ ଆବଣ୍ଟନ କରିଥିବା ଅଭିଯୋଗ ହୋଇଛି ।

ନିକଟରେ ସମାପ୍ତ ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା । ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ କଂଗ୍ରେସ ମାତ୍ର ୨ଟି ଆସନ ପାଇଥିବାବେଳେ ପଞ୍ଜାବରେ ୧୮ଟି ଆସନ ପାଇଥିଲା । ସେହିପରି ଉତ୍ତରାଖଣ୍ଡରେ ଦଳ ୧୯ଟି, ଗୋଆରେ ୧୨ଟି ଓ ମଣିପୁରରେ ୫ଟି ଆସନ ପାଇଥିଲା । ଏହା ପରେ ଗତକାଲି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ପଞ୍ଜାବ, ମଣିପୁର, ଉତ୍ତରପ୍ରଦେଶ, ଗୋଆ ଓ ଉତ୍ତରାଖଣ୍ଡର ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

 

 

ସମ୍ବନ୍ଧିତ ଖବର