ମଧ୍ୟରାତ୍ରୀ ଶୁଣାଣିରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶ: ପୂର୍ବ ଦିଲ୍ଲୀ ଡାକ୍ତରଖାନାରେ ଥିବା ୨୨ ଜଣ ଆହତଙ୍କୁ ସ୍ଥାନାନ୍ତର କର

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ‘ଅଲ୍‌ ହିନ୍ଦ୍‌ ହସ୍‌ପିଟାଲ୍‌’ରେ ଥିବା ଆହତ ବ୍ୟକ୍ତିମାନଙ୍କୁ ନିରାପଦରେ ସ୍ଥାନାନ୍ତର କରି ଜରୁରୀ ଚିକିତ୍ସା ଯୋଗାଇ ଦେବାକୁ ଦିଲ୍ଲୀ ହାଇକୋର୍ଟ ମଧ୍ୟରାତ୍ରୀରେ ପୁଲିସକୁ ଆଦେଶ ଦେଇଛନ୍ତି।

ଗତରାତି ୧୨: ୩୦ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଏସ୍‌. ମୁରଲୀଧରଙ୍କ ବାସଭବନରେ ଏଥିପାଇଁ ଜରୁରୀ ଶୁଣାଣି ହୋଇଥିଲା। ଯୁଗ୍ମ କମିସନର୍‌ ଆଲୋକ କୁମାର, ଡିସିପି (କ୍ରାଇମ୍‌) ରାଜେଶ ଦେଓ ଓ ଦିଲ୍ଲୀ ସରକାରଙ୍କ କାଉନ୍‌ସେଲ୍‌ ସଞ୍ଜୟ ଘୋଷ ଏହି ଶୁଣାଣି ସମୟରେ ଉପସ୍ଥିତ ଥିଲେ।

ଆଡ୍‌ଭୋକେଟ୍‌ ସୁରୂର ମନ୍ଦରଙ୍କ ଫୋନ୍‌ ପାଇବା ପରେ ଏହି ମାମଲା ଶୁଣାଣି ପାଇଁ ଗ୍ରହଣ କରାଯାଇଥିଲା। ମନ୍ଦର କହିଥିଲେ କି, ନିଉ ମୁସ୍ତାଫାବାଦ ଅଞ୍ଚଳରେ ଥିବା ‘ଅଲ୍‌ ହିନ୍ଦ୍‌ ହସ୍‌ପିଟାଲ୍‌’ରେ କେତେକ ଆହତ ବ୍ୟକ୍ତି ଭର୍ତ୍ତି ହୋଇଛନ୍ତି। ସେମାନଙ୍କର ଉନ୍ନତ ଓ ଜରୁରୀ ଚିକିତ୍ସା ଆବଶ୍ୟକ। ସେମାନେ ‘ଜିଟିବି’ ହସ୍‌ପିଟାଲ ଯିବା ଜରୁରୀ କିନ୍ତୁ, ଯିବାକୁ ଅସମର୍ଥ।

Image Source: Live Law

‘ଅଲ୍‌ ହିନ୍ଦ୍‌ ହସ୍‌ପିଟାଲ୍‌’ରୁ ନିରାପଦ ରାସ୍ତାରେ ଆମ୍ବୁଲାନ୍‌ସ୍‌ ଯୋଗେ ଆହତମାନଙ୍କୁ ନେବା ଆଣିବା କରିବାକୁ ବ୍ୟବସ୍ଥା କରାଯାଉ ବୋଲି ମନ୍ଦର୍‌ ଅଦାଲତରେ ପିଟିସନ୍‌ ଦାଏର କରିଥିଲେ।

ଏହି ଶୁଣାଣି ସମୟରେ ଆଡ୍‌ଭୋକେଟ୍‌ ମନ୍ଦର୍‌ ବିଚାରପତିଙ୍କୁ ‘ଅଲ୍‌ ହିନ୍ଦ୍‌ ହସ୍‌ପିଟାଲ୍‌’ର ଡାକ୍ତର ଅନ୍‌ଓ୍ଵାର୍‌ଙ୍କ ସହ ସ୍ପିକର୍‌ ଫୋନ୍‌ ଜରିଆରେ କଥାବାର୍ତ୍ତା କରାଇ ଦେଇଥିଲେ। ଡାକ୍ତର ବିଚାରପତିଙ୍କୁ କହିଥିଲେ ଯେ ଡାକ୍ତରଖାନାରେ ୨ଜଣ ମୃତ ଓ ୨୨ ଜଣ ଆହତ ବ୍ୟକ୍ତି ଅଛନ୍ତି। ଦଙ୍ଗାକାରୀମାନେ ଆମ୍ବୁଲାନ୍‌ସ୍‌ ଛାଡୁନାହାନ୍ତି। ମଙ୍ଗଳବାର ଅପରାହ୍ଣ ୪ଟାରୁ ସେମାନେ ପୁଲିସ ସହାୟତା ଚାହୁଁଛନ୍ତି କିନ୍ତୁ, ସହାୟତା ମିଳୁନାହିଁ।

ଏହାପରେ ନିରାପଦ ଆମ୍ବୁଲାନ୍‌ସ୍‌ ଯାତ୍ରା ବ୍ୟବସ୍ଥା କରାଇବା ପାଇଁ ଅଦାଲତ ଦିଲ୍ଲୀ ପୁଲିସକୁ ଆଦେଶ ଦେଇଥିଲେ। ଯଦି ‘ଜିଟିବି’ ହସ୍‌ପିଟାଲ୍‌ରେ ଆହତମାନଙ୍କ ଚିକିତ୍ସା ନ ହୋଇ ପାରେ ତେବେ ‘ଏଲ୍‌ଏନ୍‌ଜେପି’ କିଂବା ‘ମୌଲାନା ଆଜାଦ୍‌’ କିଂବା ଅନ୍ୟ କୌଣସି ସରକାରୀ ଡାକ୍ତରଖାନାରେ ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା କରାଇବାକୁ ଅଦାଲତ ନିର୍ଦେଶ ଦେଇଥିଲେ।

ଏହାପରେ ପୁଲିସ ବିହିତ ପଦକ୍ଷେପ ଗ୍ରହଣ କରି ଆହତମାନଙ୍କୁ ‘ଅଲ୍‌ ହିନ୍ଦ୍‌ ହସ୍‌ପିଟାଲ୍‌’ରୁ ସ୍ଥାନାନ୍ତରଣ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର