ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କ ମୁହଁରେ କଂଗ୍ରେସର ପ୍ରଶଂସା : ଭାରତର ବିବିଧତାକୁ ସମ୍ମାନ ଦିଆଯିବା ଉଚିତ

ବିଜ୍ଞାନ ଭବନରେ ସଂଘର ୩ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ

ନୂଆଦିଲ୍ଲୀ : ଏକ ବିରଳ ଘଟଣା କ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ସରସଂଘଚାଳକ ମୋହନ ଭାଗବତ ଆଜି କଂଗ୍ରେସ ଦଳର ଢେର୍‌ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଦେଶର ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା। ଦେଶକୁ ଏହି ଦଳ ଅନେକ ମହାନ ବ୍ୟକ୍ତିତ୍ୱ ମଧ୍ୟ ଦେଇଛି।

ଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ‘ ଭାରତର ଭବିଷ୍ୟତ: ଏକ ଆରଏସ୍‌ଏସ୍‌ ଦୃଷ୍ଟିକୋଣ’ ଶୀର୍ଷକରେ ଆୟୋଜିତ ଏକ ତିନିଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଉଦ୍‌ବୋଧନ ଦେଇ ଭାଗବତ ଏହା କହିଛନ୍ତି। ଦୀର୍ଘ ୮୦ ମିନିଟ କାଳ ଉଦ୍‌ବୋଧନ ଦେଇ ସେ ନାନାଦି ପ୍ରସଙ୍ଗ ଉପରେ ମତ ରଖିଛନ୍ତି। ଆର୍‌ଏସ୍‌ଏସ୍‌ର ପ୍ରତିଷ୍ଠାତା କେଶବ ବଳିରାମ ହେଡ୍‌ଗେଓ୍ଵାରଙ୍କ କାର୍ଯ୍ୟ ଓ ଜୀବନୀ, ସମାଜକୁ ନଷ୍ଟ କରୁଥିବା ସାମାଜିକ ବ୍ୟାଧି, ଦେଶ ପାଇଁ ବିବିଧତାର ଗୁରୁତ୍ୱ, ଭାରତର ସ୍ୱାଧୀନତା ସଂଗ୍ରାମ ସମେତ ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସର ଭୂମିକା ଉପରେ ବିସ୍ତତ ଆଲୋଚନା କରିଥିଲେ।

ଭାରତରେ ବିବିଧତାର ବ୍ୟାପକତା ସମ୍ପର୍କରେ ଆଲୋକପାତ କରି ଭାଗବତ କହିଥିଲେ, ଦେଶର ବିବିଧ ସଂସ୍କୃତିକୁ ସମ୍ମାନ ଦିଆଯିବା ସହିତ ତାହାକୁ ପାଳନ କରାଯିବା ଉଚିତ। ସମାଜରେ କୌଣସି ପ୍ରକାର ବିବାଦର କାରଣ ଏହା ହେବା ଉଚିତ ନୁହେଁ। ଭାରତ ହେଉଛି ଏଭଳି ଏକ ଦେଶ ଯାହା ବିବିଧତାରେ ପରିପୂର୍ଣ୍ଣ।

ନୂଆଦିଲ୍ଲୀରେ ଏଭଳି ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜନର କାରଣ ସମ୍ପର୍କରେ ସେ କହିଛନ୍ତି, ଆର୍‌ଏସ୍‌ଏସ୍‌ କରୁଥିବା ଅତୁଳନୀୟ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ହେଉଛି ଏହାର ଉଦ୍ଦେଶ୍ୟ। ସମସ୍ତ ପ୍ରକାର ମନ୍ଦକୁ ଦୂର କରି ସମାଜରେ ସଂସ୍କାର ଆଣିବା ହେଉଛି ଆରଏସ୍‌ଏସ୍‌ର ମୂଳ ଲକ୍ଷ୍ୟ। ସମଗ୍ର ସମାଜକୁ ଜଣେ ଆରଏସ୍‌ଏସ୍‌ କର୍ମୀ ତା’ ନିଜର ବୋଲି ହୃଦ୍‌ବୋଧ କରିଥାଏ ବୋଲି ସେ କହିଛନ୍ତି।

ସମ୍ପ୍ରତି କଂଗ୍ରେସ ସମେତ ଅନ୍ୟ ବିରୋଧୀଦଳ ଗୁଡ଼ିକ ଆର୍‌ଏସ୍‌ଏସ୍‌କୁ ତୀବ୍ର ସମାଲୋଚନା କରୁଛନ୍ତି। ସମାଜରେ ବିଭାଜନ ସୃଷ୍ଟିକାରୀ ଚିନ୍ତାଧାରାକୁ ସଂଘ ପ୍ରୋତ୍ସାହିତ କରୁଛି ଏବଂ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରୁଛି ବୋଲି ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ଏଭଳି ସମୟରେ ଆର୍‌ଏସ୍‌ଏସ୍‌କୁ ଲୋକମାନେ ଉତ୍ତମ ଭାବେ ବୁଝିବା ପାଇଁ ଏହି ତିନିଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସଂଘ ବ୍ୟାପକ ପ୍ରସ୍ତୁତି କରିଥିଲା। ଅନେକ ବିରୋଧୀ ରାଜନେତାଙ୍କ ସମେତ ୫୦୦ ଅତିଥିଙ୍କୁ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇଥିଲା। ତେବେ ପ୍ରାୟ ସବୁ ପ୍ରମୁଖ ବିରୋଧୀ ଦଳର ନେତା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନଥିଲେ। କିନ୍ତୁ ଏହି କାର୍ଯ୍ୟକ୍ରମରେ ବିଜେପିର ଅନେକ ନେତାଙ୍କ ସମେତ ବଲିଉଡ୍‌ ଅଭିନେତା, କଳାକାର ଏବଂ ଶିକ୍ଷାବିତ୍‌ମାନେ ଯୋଗଦେଇଥିଲେ। ୧୯ ତାରିଖରେ ଏହି କାର୍ଯ୍ୟକ୍ରମ ଶେଷ ହେବ। ଭାଗବତଙ୍କ ସମେତ ଅନ୍ୟ ବକ୍ତାମାନେ ପ୍ରଥମ ଦୁଇଦିନ ଶ୍ରୋତାମାନଙ୍କୁ ଉଦ୍‌ବୋଧନ ଦେବେ ଏବଂ ତୃତୀୟ ଦିନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର