‘ସାଓ୍ଵାସଦୀ ପିଏମ୍‌ ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଥାଇଲାଣ୍ଡ୍‌ ସହ ଭାରତର ଐତିହାସିକ ସଂପର୍କକୁ ମନେପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବ୍ୟାଙ୍କ୍‌କ୍‌ରେ ‘ସାଓ୍ଵାସଦୀ ପିଏମ୍‌ ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ସହ ଥାଇଲାଣ୍ଡ୍‌ର ଐତିହାସିକ ସଂପର୍କକୁ ମନେ ପକାଇଛନ୍ତି। ବ୍ୟାଙ୍କ୍‌କରେ ଥିବା ହଜାର ହଜାର ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କରି ଥାଇଲାଣ୍ଡ୍‌ ସହ ସମାନତା ଥିବା ଭାରତୀୟ ସଂସ୍କୃତି ସଂପର୍କରେ ଆଲୋକପାତ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟାଙ୍କ୍‌କ୍‌ର ନିମିବୁତର ଷ୍ଟାଡିୟମ୍‌ରେ ‘ସାଓ୍ଵାସଦୀ ପିଏମ୍‌ ମୋଦୀ’ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି। ମୋଦୀ ଥାଇଲାଣ୍ଡ୍‌ବାସୀଙ୍କୁ କହିଛନ୍ତି କି ଆପଣମାନେ ବି ଭାରତର। କାହିଁକି ନା ଥାଇଲାଣ୍ଡ୍‌ବାସୀଙ୍କ ପରମ୍ପରା, ଆସ୍ଥା, ସ୍ଥାପତ୍ୟ, ଲୋକମାନଙ୍କର କଥା ହେବାର ତରିକା ଆଦିରେ ଭାରତର ଝଲକ ରହିଛି।

ସେ ଆହୁରି ବି କହିଛନ୍ତି ଯେ ‘ଭାରତ-ଥାଇଲାଣ୍ଡ୍‌ ଭିତରେ ଥିବା ସଂପର୍କ କେବଳ ଦୁଇ ସରକାରଙ୍କୁ ନେଇ ନୁହେଁ। ଇତିହାସରେ ଥିବା ପ୍ରତ୍ୟେକ ମୁହୂର୍ତ୍ତ ଓ ଉତ୍ସବ ଆମ ସଂପର୍କକୁ ମଜବୁତ୍‌ କରିଛି। ଏହି ସଂପର୍କ ହୃଦୟର, ଆତ୍ମାର, ବିଶ୍ୱାସର ଓ ଆଧ୍ୟାତ୍ମିକତାର।’ ଉତ୍ସବକୁ ସମ୍ବୋଧନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆଗକୁ ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ ଥିବା ଅବସରରେ ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଥାଇଲାଣ୍ଡ୍‌ରେ ରହୁଥିବା ଭାରତୀୟମାନଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବ୍ୟାଙ୍କ୍‌କରେ ଥିବା ଭାରତୀୟ ଦୂତବାସଙ୍କ ସହ ଯୋଗାଯୋଗ କରି ସେମାନେ ଏପରି ଏକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ତେବେ, ହ୍ୟୁଷ୍ଟନ୍‌ଠାରେ ଯେପରି ମୋଦୀଙ୍କ ଉଦେଶ୍ୟରେ ‘ହାଓ୍ଵଡି ମୋଦୀ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ସେହିପରି ବ୍ୟାଙ୍କ୍‌କ୍‌ଠାରେ ଭାରତୀୟଙ୍କ ଦ୍ୱାରା ‘ସାଓ୍ଵାସଦୀ ପିଏମ୍‌ ମୋଦୀ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ସମ୍ବନ୍ଧିତ ଖବର