ନୂଆଦିଲ୍ଲୀ: ଆଜି ଅହମଦାବାଦର ‘ସାଇନ୍‌ସ୍‌ ସିଟି’ରେ ଆୟୋଜିତ ଓ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କଦ୍ବାରା ଉଦ୍‌ଘାଟିତ ‘ସେଣ୍ଟର୍‌-ଷ୍ଟେଟ୍‌ ସାଇନ୍‌ସ୍‌ କନ୍‌କ୍ଲେଭ୍‌’ରେ ଝାଡ଼ଖଣ୍ଡ ଓ ବିହାର ରାଜ୍ୟ ଯୋଗ ଦେଇ ନାହାନ୍ତି। ଅନ୍ୟ ରାଜ୍ୟ ସରକାରମାନେ ଯୋଗ ଦେଇଥିବା ଉକ୍ତ କାର୍ଯ୍ୟକ୍ରମରେ ଉପରୋକ୍ତ ଦୁଇ ରାଜ୍ୟ ଅନୁପସ୍ଥିତି ବିଷୟରେ ଔପଚାରିକ କାରଣ ମଗାଯାଇଛି।

Advertisment

ଦୁଇ ଦିନ ଧରି ହେବାକୁ ଥିବା ଦେଶର ଏହିଧରଣର ପ୍ରଥମ ‘କନ୍‌କ୍ଲେଭ୍‌’ର ଉଦ୍ଦେଶ୍ୟ ହେଉଛି କେନ୍ଦ୍ର-ରାଜ୍ୟ ସହଯୋଗିତାକୁ ସୁଦୃଢ଼ କରିବା ଏବଂ ସମଗ୍ର ଦେଶରେ ସମୃଦ୍ଧ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍‌ଭାବନର ‘ଇକୋସିଷ୍ଟମ୍‌’ ନିମନ୍ତେ ମିଳିତଭାବେ କାର୍ଯ୍ୟ କରିବା।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟତୀତ ଏହି ‘କନ୍‌କ୍ଲେଭ୍‌’ରେ ଶ୍ରେଷ୍ଠ ଶିଳ୍ପପତି, ତରୁଣ ବୈଜ୍ଞାନିକ ଓ ଉଦ୍‌ଭାବକମାନେ ମଧ୍ୟ ଯୋଗ ଦେବେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାମନ୍ତ୍ରୀ ମୋଦୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଉଦ୍ୟମ ବଳରେ ୨୦୧୫ରେ ୮୧ ଥିବା ଭାରତର ‘ଗ୍ଲୋବାଲ୍‌ ଇନୋଭେସନ୍‌ ଇଣ୍ଡେକ୍ସ୍‌ ରାଙ୍କିଙ୍ଗ୍‌’ ୪୬% ବୃଦ୍ଧି ପାଇଛି। ଏହି ଅମୃତ କାଳରେ  ଆମେ ଭାରତକୁ ଗବେଷଣା ଓ ଉଦ୍‌ଭାବନର ବୈଶ୍ବିକ କେନ୍ଦ୍ର କରିବା। ଏହି ଦିଗରେ ରାଜ୍ୟମାନେ ପରସ୍ପରଠାରୁ ସର୍ବୋତ୍ତମ ଉଦ୍‌ଭାବନଗୁଡ଼ିକୁ ଗ୍ରହଣ କରିବା ଉଚିତ। ଏହା ଫଳରେ ଦେଶରେ ବିଜ୍ଞାନଭିତ୍ତିକ ବିକାଶ ସମ୍ଭବପର ‌ହୋଇପାରିବ।