ଦିନକ ପାଇଁ ୧୮ ବର୍ଷୀୟା ହେଲେ ଭାରତରେ ୟୁକେର ବରିଷ୍ଠ କୂଟନୀତିଜ୍ଞ

ନୂଆଦିଲ୍ଲୀ: ଭାରତରେ ୟୁକେର କୂଟନୀତିଜ୍ଞ ହେବା ଏକ ଦୁରୂହ ବ୍ୟାପାର ହୋଇଥିଲେ ହେଁ ରାଜଧାନୀ ନୂଆଦିଲ୍ଲୀର ଜଣେ ୧୮ ବର୍ଷୀୟା ତରୁଣୀ ଏହି ବିରଳ ଅନୁଭୂତି ଦିନକ ପାଇଁ ହାସଲ କରିଛନ୍ତି। ବିଶ୍ବରେ ମହିଳାମାନଙ୍କ ପ୍ରତି ଆସୁଥିବା ବିଭିନ୍ନ ପ୍ରକାର ଆହ୍ବାନର ମୁକାବିଲା ପାଇଁ ସେମାନଙ୍କୁ ସଶକ୍ତ କରିବା ଅଭିଯାନର ଅଂଶବିଶେଷ ନୂଆଦିଲ୍ଲୀର ଚୈତନ୍ୟା ଭେଙ୍କଟରମଣ ଗତ ବୁଧବାର ଦିନକ ପାଇଁ ୟୁକେର ସବୁଠୁ ବରିଷ୍ଠ କୂଟନୀତିଜ୍ଞ ପଦବିରେ ବସିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସୂଚନା ଥାଉକି, ୨୦୧୭ ମସିହାରୁ ୟୁକେର ରାଷ୍ଟ୍ରଦୂତ କାର୍ଯ୍ୟାଳୟ ପକ୍ଷରୁ ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖ ଆନ୍ତର୍ଜାତିକ କନ୍ୟାଶିଶୁ ଦିବସ ଉପଲକ୍ଷେ ଏପରି ‘ଦିନକ ପାଇଁ ରାଷ୍ଟ୍ରଦୂତ’ ପ୍ରତିଯୋଗିତା ଆୟୋଜନ କରାଯାଇ ଆସୁଛି।

ଏଥିରେ ୧୮ରୁ ୨୩ ବର୍ଷର ମହିଳାମାନଙ୍କୁ ଦିନକ ପାଇଁ ଏହି ବରିଷ୍ଠ କୂଟନୀତିଜ୍ଞ ପଦବିରେ ଆସୀନ ହେବା ପାଇଁ ଆହ୍ବାନ କରାଯାଉଛି। ଏହି କ୍ରମରେ ଚୈତନ୍ୟାଙ୍କୁ ଗତ ବୁଧବାର ୟୁକେର ସବୁଠୁ ବରିଷ୍ଠ କୂଟନୀତିଜ୍ଞ ହିସାବରେ ବରିଷ୍ଠ ମହିଳା ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିବା, ଗଣମାଧ୍ୟମକୁ ଭେଟିବା ଏବଂ ବ୍ରିଟିସ୍‌ କାଉନ୍‌ସିଲ୍‌ର ଷ୍ଟେମ୍‌ ବୃତ୍ତିର ପ୍ରଭାବ ସମ୍ପର୍କରେ ଏକ ସର୍ବେକ୍ଷଣର ଶୁଭାରମ୍ଭ କରିବା ଆଦି କାର୍ଯ୍ୟକ୍ରମରେ ଭାଗ ନେବାକୁ ପଡ଼ିଥିଲା। ସୂଚନାଯୋଗ୍ୟ, କିଶୋରାବସ୍ଥାରୁ ଚୈତନ୍ୟା ନିୟମିତ ନୂଆଦିଲ୍ଲୀ ସ୍ଥିତ ବ୍ରିଟିସ୍‌ କାଉନ୍‌ସିଲ୍‌ର ପାଠାଗାରକୁ ଯାଉଥିଲେ ଏବଂ ଅନେକ କିଛି ଶିକ୍ଷା କରିଥିଲେ। ସୁତରାଂ ସେହି ଜ୍ଞାନକୁ ପାଥେୟ କରି ଦିନକ ପାଇଁ ହେଉ ପଛକେ ଜଣେ ବରିଷ୍ଠ ବ୍ରିଟିଶ ରାଷ୍ଟ୍ରଦୂତର ଭୂମିକା ନିଭାଇବାର ଅନୁଭୂତି ସାଉଁଟିବା ଏକ ସୁବର୍ଣ୍ଣ ସୁଯୋଗ ବୋଲି ଚୈତନ୍ୟା କହିଛନ୍ତି। ସେହିପରି ଅସାଧାରଣ ତରୁଣୀମାନଙ୍କୁ ଏଭଳି ଏକ ମଞ୍ଚକୁ ଆହ୍ବାନ କରି ବିଶ୍ବବ୍ୟାପୀ ମହିଳା ଓ ବାଳିକାମାନଙ୍କୁ ସଶକ୍ତ କରିବାରେ ଭାରତ ଓ ୟୁକେ କିପରି ମିଳିତ ଭାବେ ଉନ୍ନତ ଜ୍ଞାନ ଓ ବିଚାର ବାଣ୍ଟୁଛନ୍ତି ତାହା ସୂଚେଇ ଦିଆଯାଉଛି ବୋଲି ଭାରତରେ ଅବସ୍ଥାପିତ ୟୁକେ ରାଷ୍ଟ୍ରଦୂତ ଜନ୍‌ ଥମ୍ପସନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର