ଭୋପାଳ: ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାରେ ଅବସ୍ଥିତ ବାନ୍ଧବଗଡ ଟାଇଗର ରିଜର୍ଭରେ ୬୦ ବର୍ଷ ବୟସ୍କା ମାଈହାତୀ ଅନାରକଲି ନିଜର ପଞ୍ଚମ ସନ୍ତାନକୁ ଜନ୍ମ ଦେଇଛି। ଏନେଇ ସମଗ୍ର ଟାଇଗର ରିଜର୍ଭରେ ଖୁସିର ପରିବେଶ ଅଛି । ୧୯୭୮-୭୯ ମସିହାରେ ବିହାରର ସୋନପୁର ମେଳାରୁ ଅନାରକଲିକୁ ଉଦ୍ଧାର କରାଯାଇଥିଲା। ଏହା ପରେ ତାକୁ ବାନ୍ଧବଗଡକୁ ଅଣାଯାଇଥିଲା। ସେତେବେଳେ ତାର ବୟସ ପ୍ରାୟ ୧୩-୧୪ବର୍ଷ ଥିଲା । ଅନାରକଲିର ଜନ୍ମ ୧୯୬୪ ମସିହାରେ ହୋଇଥିବାର ଆକଳନ କରାଯାଇଥିଲା।
ବୃନ୍ଦାବର ଟାଇଗର ରିଜର୍ଭର ଡେପୁଟି ଡାଇରେକ୍ଟର ପି.କେ ବର୍ମା କହିଛନ୍ତି, ବୁଧବାର ସକାଳ ୬ଟା ୧୫ରେ ସମୟରେ ଅନାରକଲି ଏକ ସୁସ୍ଥ ଅଣ୍ଡିରା ସନ୍ତାନ ଜନ୍ମ ଦେଇଛି। ଉଭୟ ମା’ ଓ ପିଲା ସୁସ୍ଥ ଅଛନ୍ତି। ଡାକ୍ତରଙ୍କ ଟିମ୍ ତାଙ ଉପରେ ନଜର ରଖିଛନ୍ତି। ମାଈହାତୀକୁ ଉଚ୍ଚମାନର ଖାଦ୍ୟ ଦିଆଯାଉଛି। ମ୍ୟାନେଜମେଣ୍ଟ କହିଛି ବାନ୍ଧବଗଡ କେବଳ ବାଘ ପାଇଁ ନୁହେଁ ବରଂ ଭାଲୁ, ଚିତାବାଘ ଏବଂ ହାତୀ ପାଇଁ ମଧ୍ୟ ଜଣାଶୁଣା। ଟାଇଗର ରିଜର୍ଭରେ ଏହି ପଶୁମାନଙ୍କ ସଂଖ୍ୟା ବୃଦ୍ଧି ଉତ୍ସାହଜନକ ।
ସାଧାରଣତଃ ଏକ ମାଈହାତୀର ଗର୍ଭଧାରଣ କ୍ଷମତା ୫୦ ବର୍ଷ ପର୍ଯ୍ୟନ୍ତ ବିବେଚନା କରାଯାଇଥାଏ। ଏହା ପରେ ହାତୀର ସନ୍ତାନ ଜନ୍ମ କ୍ଷମତା କମିଯାଇଥାଏ । ୬୦ କିମ୍ବା ତଦୁର୍ଦ୍ଧ୍ୱ ମାଈହାତୀର ଗର୍ଭଧାରଣ ଘଟଣା ବିରଳ ଅଟେ। ଏପର୍ଯ୍ୟନ୍ତ କରାଯାଇଥିବା ଅଧ୍ୟୟନରେ କେବଳ ଖୁବ୍ କମ୍ ମାଈହାତୀ ୬୦ ବର୍ଷ ବୟସ ପରେ ଗର୍ଭଧାରଣ କରିବାର କ୍ଷମତା ଥିବା ଦେଖାଯାଇଛି। ଏଥିପାଇଁ ହରମୋନ୍ ପରୀକ୍ଷା ବ୍ୟବହୃତ ହୋଇଥାଏ।
ପୃଥିବୀରେ ମିଳୁଥିବା ଜୀବମାନଙ୍କ ମଧ୍ୟରେ ଏକ ହାତୀର ଗର୍ଭଧାରଣ ସମୟ ସବୁଠାରୁ ଲମ୍ବା ଅଟେ। ସାଧାରଣତଃ ଏସୀୟ ହାତୀମାନଙ୍କର ଗର୍ଭଧାରଣ ସମୟ ୧୮ ରୁ ୨୨ ମାସ ବୋଲି ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ହାତୀମାନଙ୍କ ଗର୍ଭଧାରଣ ଏବଂ ପ୍ରସବ ଏକ ବଡ଼ ଆହ୍ବାନ ଭାବେ ବିବେଚନା କରାଯାଇଥାଏ। ଏହା ବ୍ୟତୀତ ଏକ ହାତୀ ହାରାହାରି ଜୀବନକାଳରେ କେବଳ ଚାରି ରୁ ପାଞ୍ଚ ସନ୍ତାନ ଜନ୍ମ ଦେଇଥାଏ।
ଅନାରକଲି ଅମନାଲା କ୍ୟାମ୍ପରେ ସନ୍ତାନକୁ ଜନ୍ମ ଦେଇଛି। ଯେଉଁଠାରେ ତାକୁ ଗତ କିଛି ମାସ ଧରି ରଖାଯାଇଥିଲା। ଡାକ୍ତର ଦଳ ନିୟମିତ ଭାବେ ମା’ହାତୀ ଏବଂ ଶିଶୁକୁ ପରୀକ୍ଷା କରୁଛନ୍ତି। ରିଜର୍ଭ ମ୍ୟାନେଜମେଣ୍ଟ କ୍ୟାମ୍ପର ସୁରକ୍ଷା ବୃଦ୍ଧି କରାଯାଇଛି। ସୁରକ୍ଷା ପାଇଁ ଗୌତମ ହାତୀକୁ ନିୟୋଜିତ କରାଯାଇଛି। ଏହା ବ୍ୟତୀତ ୨୪ ଘଣ୍ଟା ଶିବିରରେ ବିଟ୍ ଗାର୍ଡ, ଚାରା କଟର ଏବଂ ମାହୁନ୍ତକୁ ନିୟୋଜିତ କରାଯାଇଛି। ସେମାନେ ହାତୀ ଉପରେ ନଜର ରଖିଛନ୍ତି।