କୁଳଭୂଷଣ ମାମଲା : ଭାରତର ଓକିଲଙ୍କ ଶାଣିତ ଯୁକ୍ତିରେ ପାକିସ୍ତାନୀ ଓକିଲ ଅପ୍ରସ୍ତୁତ, ଆଉ ଏକ ତାରିଖ ମାଗିଲେ, କିନ୍ତୁ ମିଳିଲାନି

ଦି ହେଗ୍‌ : ପାକିସ୍ତାନର ଏକ ମିଲିଟାରୀ କୋର୍ଟ ଦ୍ୱାରା ଫାଶୀଦଣ୍ଡ ପାଇଥିବା କୁଳଭୂଷଣ ଯାଦବର ମାମଲା ଏବେ ନେଦରଲାଣ୍ଡର ଦ ହେଗ୍‌ ଠାରେ ଥିବା ଅନ୍ତର୍ଜାତୀୟ ନ୍ୟାୟାଳୟର ଚାଲିଛି । ଗତ କାଲି ଭାରତର ଓକିଲ ହରିଶ ସାଲଭେ କୁଳଭୂଷଣଙ୍କ ପକ୍ଷ ରଖିଥିବାବେଳେ ଆଜି ଥିଲା ପାକିସ୍ତାନର ପାଳି । କିନ୍ତୁ ହରିଶଙ୍କ ଶାଣିତ ଯୁକ୍ତିରେ ପାକିସ୍ତାନୀପକ୍ଷ ଏତେ ଅପ୍ରସ୍ତୁତ ହୋଇପଡିଥିଲେ ଯେ ଆଜି ନିଜର ପକ୍ଷ ରଖିବା ବଦଳରେ ଆଉ ଏକ ତାରିଖ ଦେବା ପାଇଁ ବିଚାରପତିମାନଙ୍କୁ ଅନୁରୋଧ କରିଥିଲେ ।

କିନ୍ତୁ ପାକିସ୍ତାନର ଏହି ଦାବିକୁ ଖାରଜ କରିଦେଇଥିଲେ ବିଚାରପତି ମଣ୍ଡଳୀ । ଏଣୁ ବାଧ୍ୟ ହୋଇ ପାକିସ୍ତାନ ନିଜର ପକ୍ଷ ରଖିଥିଲା । ପାକିସ୍ତାନର ଓକିଲ ଖାଓ୍ଵାର କୁରେସୀ କହିଥିଲେ ଯେ ଗୁପ୍ତଚରବୃତ୍ତି କରୁଥିବା ନିଜେ କୁଳଭୂଷଣ ମାନିଛି । ପାକିସ୍ତାନର ଅଫିସିଆଲ ସିକ୍ରେଟ୍ସ ଆଇନ ଅନୁସାରେ ତାକୁ ଦୋଷୀ ଘୋଷଣା କରାଯାଉଛି । ତେବେ ଏହା କରାଯିବା ପୂର୍ବରୁ ତାକୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଥିଲା ବୋଲି କ୍ୟୁରେସୀ କହିଛନ୍ତି । କିନ୍ତୁ କେବଳ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଭାରତ ଏହି ମାମଲା ଦାଏର କରିଛି ବୋଲି ସେ କହିଥିଲେ ।

ଗତକାଲି ଏହି ମାମଲାରେ ନିଜର ଯୁକ୍ତି ରଖି ସାଲଭେ କହିଥିଲେ ଯେ କୁଳଭୂଷଣଙ୍କୁ କନସୁଲାର ଆକସେସ ବା ଭାରତୀୟ ଦୂତାବାସର କର୍ମଚାରୀଙ୍କୁ ଭେଟିବାକୁ ଦିଆଯାଉନଥିବାରୁ ତାଙ୍କର ଗିରଫଦାରିକୁ ବେଆଇନ ଘୋଷଣା କରାଯାଉ । ତାଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ମାନବ ଅଧିକାରର ହନନ, କାରଣ ତାଙ୍କୁ ନିଜର ପକ୍ଷ ରଖିବାକୁ କୌଣସି ସୁଯୋଗ ଦିଆଯାଇନାହିଁ ।

ସମ୍ବନ୍ଧିତ ଖବର