ଭାରତୀୟ ସେନା ପାଇଁ ଟାଟା ପ୍ରସ୍ତୁତ କରିଥିବା ତୋପର ହେଲା ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ସ୍ବଦେଶୀ ତୋପ ନିର୍ମାଣ କରିବାରେ ଆଜି ଭାରତ ଏକ ନୂଆ ସଫଳତା ହାସଲ କରିଛି | ଡିଆରଡିଓ ସହାୟତାରେ ପ୍ରସ୍ତୁତ ଟାଟା କମ୍ପାନୀର ATAGS ବା ଆଟାଗସ ତୋପର ପରୀକ୍ଷଣ ସଫଳତାର ସହ ସମାପ୍ତ ହୋଇଛି | ଏହି ତୋପର ପରୀକ୍ଷା ରାଜସ୍ଥାନର ପୋଖରାନ୍ ଫାୟାରିଂ ରେଞ୍ଜରେ କରାଯାଇଥିଲା | ଆଡଭାନ୍ସଡ ଟୋଡ୍ ଆର୍ଟିଲରି ସିଷ୍ଟମରେ ଏହି ପରୀକ୍ଷା ସମାପ୍ତ କରିବା ପରେ କୁହାଯାଉଛି ଯେ ପ୍ରତିରକ୍ଷା ମନ୍ତ୍ରାଳୟ ଖୁବ ଶୀଘ୍ର ସ୍ଥଳସେନା ପାଇଁ ଏଗୁଡ଼ିକୁ କିଣିବାକୁ ଅର୍ଡର ଦେଇପାରେ |

ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ୍ (TASL) ପକ୍ଷରୁ କୁହାଯାଇଛି ଡିଆରଡିଓ ସହ ମିଳିତ ଭାବେ ବିକଶିତ କରାଯାଇଥିବା ୧୫୫X ୫୨ଏମଏମ ଆଟାଗସ ଆଜି ଫାୟାରିଂ ପରୀକ୍ଷଣକୁ ସଫଳତାର ସହିତ ସମାପ୍ତ କରିଛି | ଭାରତ ପାଇଁ ଏଭଳି ଅସ୍ତ୍ର ପ୍ରଣାଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଗତ କିଛି ବର୍ଷ ଧରି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ର ଆର୍ମମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ଏଆରଡୀ ଲ୍ୟାବ୍) ଆଟାଗସ ତୋପକୁ ନିର୍ମାଣ କରିଛି |

ଡିଆରଡିଓ ଦୁଇଟି ଘରୋଇ କମ୍ପାନୀ ଟାଟା ଏବଂ ଭାରତ ଫୋରଜ ସହିତ ମିଶି ଏହାକୁ ନିର୍ମାଣ କରିଛନ୍ତି | ୨୦୧୭ ରେ ଗଣତନ୍ତ୍ର ଦିବସ ପରେଡରେ ଏହି ତୋପକୁ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହୋଇଥିଲା | ଏଥିରେ ସଂପୂର୍ଣ୍ଣ ସ୍ୱଦେଶୀ ବନ୍ଧୁକ ଖଞ୍ଜାଯାଇଥିବାବେଳେ ଏହାର ପରିସର ପ୍ରାୟ ୪୦ କିଲୋମିଟର ରହିଛି | ଏହି ପରୀକ୍ଷଣ ପରେ, କୁହାଯାଉଛି ଯେ ଆଟାଗସ୍ ଖୁବ ଶୀଘ୍ର ସେନାରେ ସାମିଲ ହେବ |

ସମ୍ବନ୍ଧିତ ଖବର