ହରିଦ୍ୱାରର ବ୍ରହ୍ମକୁଣ୍ଡରେ ବିସର୍ଜନ ହେଲା ଅଟଳ ବହାରୀ ବାଜପେୟୀଙ୍କ ଅସ୍ଥି, ପ୍ରବଳ ଖରା ସତ୍ତ୍ୱେ ମୁଣ୍ଡରେ ଗାମୁଛା ପକାଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମେତ ଏହି ନେତାମାନେ ଅସ୍ଥି କଳସ ଯାତ୍ରାରେ ସାମିଲ ଥିଲେ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି କଳସକୁ ଏକ ସୁସଜ୍ଜିତ ଟ୍ରକରେ ବିରାଟ ଶୋଭାଯାତ୍ରାରେ ନିଆଯାଇ ହରିଦ୍ୱାରର ବ୍ରହ୍ମକୁଣ୍ଡରେ ବିସର୍ଜନ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବାଜପେୟୀଙ୍କ ଅସ୍ଥି କଳସ ସହ ଟ୍ରକରେ ଯାତ୍ରା କରିଥିଲେ । ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ସହ ରାଜ୍ୟର ଅନେକ ମନ୍ତ୍ରୀ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହା ସହ ଡେରାଡୁନରୁ ୨ ଶହ ବସରେ ଆସିଥିବା ୧୫ ହଜାରରୁ ଅଧିକ ବିଜେପି କର୍ମକର୍ତା ମଧ୍ୟ ଅସ୍ଥି କଳସ ଯାତ୍ରାରେ ସାମିଲ ହୋଇଥିଲେ ।

ପ୍ରବଳ ଖରା ସତ୍ୱେ ରାଜନାଥ ସିଂ ଓ ଅମିତ ଶାହା ମୁଣ୍ଡରେ ଗାମୁଛା ପକାଇ ବାଜପେୟୀଙ୍କ ଅସ୍ଥି କଳସ ପାଖରେ ବସି ରହିଥିବା ଦେଖିବାକୁ ମିଳିଥିଲା । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମୁଣ୍ଡରେ ଗାମୁଛା ପକାଇ ଅସ୍ଥି କଳସ ପାଖରେ ବସିଥିବା ଦେଖିବାକୁ ମିଳିଥିଲା । ହରିଦ୍ୱାରର ଭଲ୍ଲା କଲେଜ୍‌ ଗ୍ରାଉଣ୍ଡରୁ ବାଜପେୟୀଙ୍କ ଅସ୍ଥି କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ୨ କିଲୋମିଟର ବ୍ୟାପୀ ଏହି କଳସ ଶୋଭାଯାତ୍ରାରେ ବହୁ ଶୋକାକୁଳ ଜନତା ସାମିଲ ହୋଇଥିଲେ। ଗଙ୍ଗା ନଦୀ ପୌଡି ଘାଟରେ ପହଂଚିବା ପରେ ବ୍ରହ୍ମକୁଣ୍ଡରେ ମନ୍ତ୍ର ଉଚ୍ଚାରଣ ସହ ଅସ୍ଥି ବିସର୍ଜନ ହୋଇଛି ।

ବାଜପେୟୀଙ୍କ ପାଳିତା କନ୍ୟା ନମିତା ଭଟ୍ଟାଚାର୍ଯ୍ୟ ତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି । ଏହି ଅବସରରେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଏହା ପୂର୍ବରୁ ଆଜି ସକାଳେ ଅନ୍ତିମ ସଂସ୍କାର ହୋଇଥିବା ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ସ୍ମୃତି ସ୍ଥଳରୁ ବାଜପେୟୀଙ୍କ ଅସ୍ଥି ସଂଗ୍ରହ କରାଯାଇଥିଲା । ପାଳିତା ଝିଅ ନମିତା ଓ ନାତୁଣୀ ନିହାରିକାଙ୍କ ସହ ପରିବାର ସଦସ୍ୟମାନେ ସ୍ମୃତି ସ୍ଥଳରେ ପହଁଚି ଅସ୍ଥି ସଂଗ୍ରହ କରିଥିଲେ ।

ସମ୍ବନ୍ଧିତ ଖବର