ଲୁହରେ ଭିଜିଲା ସ୍ମୃତିସ୍ଥଳ

ନୂଆଦିଲ୍ଲୀ : ଦିଲ୍ଲୀର ସ୍ମୃତିସ୍ଥଳରେ ହଜାର ହଜାର ଲୋକଙ୍କ ସମାଗମରେ ଆଜି ଏହି ମହାନ୍‌ ନେତାଙ୍କୁ ଶେଷ ବିଦାୟ ଦିଆଯାଇଛି। ବାଜପେୟୀଙ୍କ ପୋଷ୍ୟ କନ୍ୟା ନମିତା ଭଟ୍ଟାଚାର୍ଯ୍ୟ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ତମାମ ରାଜନୈତିକ ଦଳର ବିଶିଷ୍ଟ ନେତୃବୃନ୍ଦ, ବିଦେଶୀ ପ୍ରତିନିଧି ହାତ ଯୋଡ଼ି ତାଙ୍କୁ ଶେଷ ପ୍ରଣାମ ଜଣାଇଥିଲେ। ସମସ୍ତଙ୍କ ଆଖି ଲୁହରେ ଭରିଯାଇଥିଲା। କାହାରି ମୁହଁରେ ଭାଷା ନଥିଲା। ସମସ୍ତଙ୍କ ମନରେ ଯେମିତି ଅବସାଦ ହିଁ କଥା କହୁଥିଲା। ସହସ୍ରାଧିକ ଲୋକଙ୍କ ଭିଡ଼ ସତ୍ତ୍ୱେ ଚାରିଆଡ଼ ନିଃଶବ୍ଦ ଲାଗୁଥିଲା। ଶେଷରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ମୃତିସ୍ଥଳରେ ବାଜପେୟୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଗୃହମନ୍ତ୍ରୀ ରାଜନାଥ ସିଂହ, ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ୍‌ଭାନୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଭଳି ବରିଷ୍ଠ ନେତୃବୃନ୍ଦ ବାଜପେୟୀଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିଭଳି ସେନା ମୁଖ୍ୟ ଜେନେରାଲ୍‌ ବିପିନ୍‌ ରାଓ୍ଵତ୍‌, ନୌସେନା ମୁଖ୍ୟ ସୁନୀଲ୍‌ ଲାନ୍‌ବା ଏବଂ ବାୟୁସେନା ମୁଖ୍ୟ ବୀରେନ୍ଦର ସିଂହ ଧନୋଆ ମଧ୍ୟ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁଟାନ୍‌ ରାଜା ଜିଗ୍‌ମେ ଖେସର ନାମ୍‌ଗେଲ୍‌ ଓ୍ଵାଙ୍ଗ୍‌ଚୁକ୍‌, ବାଂଲାଦେଶ ବିଦେଶ ମନ୍ତ୍ରୀ ଅବ୍‌ଦୁଲ୍‌ ହସନ୍‌ ମହମ୍ମୁଦ ଅଲ୍ଲୀ, ଶ୍ରୀଲଙ୍କାର ବିଦେଶ ମନ୍ତ୍ରୀ ଲକ୍ଷ୍ମଣ କିରିଏଲା ଏବଂ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ୍‌ କାର୍ଜାଇ ମଧ୍ୟ ଆଜି ବାଜପେୟୀଙ୍କୁ ସ୍ମୃତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସ୍ମୃତିସ୍ଥଳରେ ବାଜପେୟୀଙ୍କ ନାତୁଣୀ ତାଙ୍କ ମରଶରୀରରୁ ତିରଙ୍ଗା ପତାକା ଗ୍ରହଣ କରିଥିଲେ। ଏହି ମୁହୂର୍ତ୍ତ ଅତ୍ୟନ୍ତ ବିଷାଦଭରା ଥିଲା। ଲାଗିଥିଲା ଯେମିତି ସମୟ ଅଟକିଯାଇଛି। ବାଜପେୟୀଙ୍କ ଝିଅ, ଜ୍ୱାଇଁ ଓ ନାତୁଣୀଙ୍କ ବ୍ୟତୀତ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଥିଲା।

ସ୍ମୃତିସ୍ଥଳରେ ପହଞ୍ଚିବା ପୂର୍ବରୁ ଆଜି ବାଜପେୟୀଙ୍କ ମରଶରୀର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରଖାଯାଇଥିଲା। ସବୁଠୁ ମୁଖ୍ୟ କଥା ହେଲା ବିଜେପି ମୁଖ୍ୟାଳୟରୁ ସ୍ମୃତିସ୍ଥଳ ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର ସମସ୍ତେ ଚାଲିଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର