ଅନ୍ତିମ ଯାତ୍ରାରେ ବାଜପେୟୀଙ୍କ ପାର୍ଥିବ ଶରୀର : ସଂଧ୍ୟା ସୁଦ୍ଧା ସରିବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବେ ଅନ୍ତିମ ଯାତ୍ରାରେ। ଭାରତୀୟ ରାଜନୀତିର ଅଜାତଶତ୍ରୁଙ୍କ ମରଶରୀରକୁ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ନିଆଯାଉଛି ରାଷ୍ଟ୍ରୀୟ ସ୍ମୃତିସ୍ଥଳକୁ। ସେହିଠାରେ ପଞ୍ଚଭୂତରେ ଲୀନ ହେବ ଦେଶର ଏହି ମହାନ ନେତାଙ୍କ ପାର୍ଥିବ ଶରୀର। ଅପରାହ୍ଣ ୪ଟା ବେଳେ ହେବ ବାଜପେୟୀଙ୍କ ଅନ୍ତିମ ସଂସ୍କାର। ତାଙ୍କର ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନ ୬-ଏ କ୍ରିଷ୍ଣମେନନ୍‌ ମାର୍ଗରୁ ଆରମ୍ଭ ହୋଇଛି ବାଜପେୟୀଙ୍କ ଅନ୍ତିମ ଯାତ୍ରା । ଦୀର୍ଘ ୪ କିଲୋମିଟର ଧରି ରାସ୍ତାର ଦୁଇ ପାର୍ଶ୍ୱରେ ଜମା ହୋଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଚିର ବିଶ୍ରମରେ ଥିବା ବାଜପେୟୀଙ୍କ ଶେଷ ଦର୍ଶନ ପାଇଁ ସେମାନଙ୍କ ଭିତରେ ଦେଖିବାକୁ ମିଳିଛି ନାହିଁ ନ ଥିବା ବ୍ୟାକୁଳତା। ତାଙ୍କର ଗୋଟିଏ ଝଲକ ପାଇବା ଲାଗି ସମସ୍ତେ ବ୍ୟଗ୍ର।

‘ଗାୟତ୍ରୀମନ୍ତ୍ର’ ଓ ‘ରାମଧୁନ୍‌’ର ଉଚ୍ଚାରଣ ଭିତରେ ଶୁଣାଯାଉଛି ଶହ ଶହ କଣ୍ଠରୁ ‘ଅଟଳଜୀ ଅମର ରହୈ’ଧ୍ୱନୀ। ପୁଣି ଶୁଭୁଛି ‘ଜବ୍‌ ତକ୍‌ ସୂରଜ ଚାନ୍ଦ ରହେଗା, ଅଟଳଜୀକା ନାମ୍‌ ରହେଗା’ ଭଳି ଧ୍ୱନୀ। ପାର୍ଥିବ ଶରୀର ସହ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ପଛରେ ରଖି ପାଦରେ ଚାଲି ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶେଷ ଯାତ୍ରାରେ ଯୋଗ ଦେଇଛନ୍ତି ଦେଶର ବହୁ ତୁଙ୍ଗ ନେତା। ମହାନ ନେତା ତଥା ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପାୟୀଙ୍କ ଏହି ଶେଷ ଯାତ୍ରା ସୃଷ୍ଟି କରିଛି ଏକ ଭାବବିହ୍ଵଳ ପରିବେଶ।

ସମ୍ବନ୍ଧିତ ଖବର