ନୂଆଦିଲ୍ଲୀ : ନୂଆଦିଲ୍ଲୀର ସ୍ମୃତିସ୍ଥଳରେ ପଞ୍ଚଭୂତରେ ବିଲୀନ ହେବା ସହିତ ମହାଅନନ୍ତରେ ମିଶିଯାଇଛନ୍ତି ମହାନାୟକ ଅଟଳ ବିହାରୀ ବାଜପେୟୀ। ସେଦିନ ଭାରତର ରାଜନୀତିରେ ନୂଆ ସକାଳ ହୋଇ ଉଦୟ ହେବା ବେଳେ ସଂସଦ ଯେମିତି ଚମକି ଥିଲା, ଆଜି ତାଙ୍କର ପାର୍ଥିବ ଶରୀର ଅଫେରା ବାଟରେ ଗଲା ବେଳେ ଦିଲ୍ଲୀ ରାଜରାସ୍ତା ସେମିତି ଜନସମୁଦ୍ରରେ ପରିଣତ ହୋଇଯାଇଥିଲା। ଅନ୍ତିମ ଯାତ୍ରାର ସାକ୍ଷୀ ହେବା ଲାଗି ସମଗ୍ର ବିଶ୍ୱର ଆଖି ଦୀର୍ଘ ୨୪ ଘଣ୍ଟା ଧରି ନିବଦ୍ଧ ରହିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ରାଜନୀତିରୁ ଅବସର ନେବାର ୧୩ ବର୍ଷ ପରେ ମଧ୍ୟ ଜଣେ ନେତାଙ୍କ ପ୍ରତି ଯେ ଏତେ ଶ୍ରଦ୍ଧା ରହିଛି ତାହାର ପ୍ରମାଣ ଦେଇଥିଲା ଦୀର୍ଘ ଚାରି କିଲୋମିଟରର ଶେଷ ଶୋଭାଯାତ୍ରା। ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାଲାଗି ଏଭଳି ଜନସମୁଦ୍ର କେବେ ଦେଖିବାକୁ ମିଳିନଥିଲା। ସାମିଲ ହୋଇଯାଇଥିଲେ ସବୁ ବର୍ଗ, ଜାତି ଓ ଧର୍ମର ଲୋକେ। ପିଲାଙ୍କଠାରୁ ବୟସ୍କ ଯାଏଁ। ତେବେ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ୪ କିଲୋମିଟର ଯାଏ ଚାଲି ଚାଲି ଶେଷ ଯାତ୍ରାରେ ସାମିଲ ହୋଇଥିଲେ। ସମସ୍ତଙ୍କ ମନରେ କୋହ ଓ ଆଖିରେ ଲୁହ। ଏକଦା ତାଙ୍କର କଠୋର ସମାଲୋଚକ ଭାବେ ପରିଚିତ ନେତାମାନେ ମଧ୍ୟ ନିଜ ଆଖିରେ ଲୁହକୁ ଅଟକାଇ ପାରି ନଥିଲେ।
ଏହି ଅଜାତଶତ୍ରୁଙ୍କ ଶେଷ ଦର୍ଶନ ପାଇଁ ପଡ଼ୋଶୀ ରାଷ୍ଟ୍ରମାନଙ୍କରୁ ମଧ୍ୟ ନେତାଙ୍କ ସୁଅ ଛୁଟିଥିଲା। ପାକିସ୍ତାନର ଆଇନ ମନ୍ତ୍ରୀ ସୟଦ ଅଲ୍ଲୀ ଜଫର, ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ, ଆଫଗାନିସ୍ତାର ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇ ଏବଂ ଏପରିକି ଭୁଟ୍ଟାନର ରାଜା ଜିଗମେ ଓ୍ଵାନଚୁକ୍ ମଧ୍ୟ ସ୍ମୃତି ସ୍ଥଳକୁ ଚାଲି ଆସିଥିଲେ।
ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦୁଇ ଦେଶର ସଂପର୍କକୁ ମଜବୁତ କରିବା ଲାଗି ଆଜି ବାଜପେୟୀଙ୍କ ନିଷ୍ଠା ଓ ଆନ୍ତରିକତାକୁ ମନେ ପକାଇବାକୁ ଭୁଲି ନାହାନ୍ତି। ବାଜପେୟୀଙ୍କ ନାଁ ଧରିବା ଆଳରେ ଦୁଇ ଦେଶକୁ ଯୋଡ଼ିବା ଲାଗି ଆଶା ଦେଖାଇଛନ୍ତି।
ସଂସଦୀୟ ଇତିହାସରେ ବାଜପେୟୀ ହେଉଛନ୍ତି ପ୍ରଥମ ନେତା, ଯିଏ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ହେଲାଣି ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ଯିବା ପରେ ମଧ୍ୟ ଜନମାନସରୁ ଲିଭିନାହାନ୍ତି। ଯେଉଁମାନେ ଗତ ଦିନରେ ଏହି ମହାନ ଆତ୍ମାଙ୍କୁ ଅବହେଳା କରି ଆସିଥିଲେ, ଆଜି ମୃତ୍ୟୁ ପରେ ବି ବାଜପେୟୀ ସେମାନଙ୍କ ପାଇଁ ସଞ୍ଜୀବନୀ ପାଲଟିଛନ୍ତି।
ଏକଦା ବାଜପେୟୀ କହିଥିଲେ, ଆମେମାନେ ରାଷ୍ଟ୍ରପାଇଁ ଅଧିକତର ତ୍ୟାଗ ସ୍ୱୀକାର କରିବା ବାଞ୍ଛନୀୟ। ଯଦି ଭାରତର ଦଶା ଦୟନୀୟ ହେବ, ତେବେ ବିଶ୍ୱ ନଜରରେ ଆମର ସମ୍ମାନ ରହିବ ନାହିଁ। କିନ୍ତୁ ଯଦି ଆମେ ସମସ୍ତଙ୍କ ଦୃୃଷ୍ଟିରେ ସୁସମ୍ପନ୍ନ ହୋଇପାରିବା, ସଂସାର ବି ଆମକୁ ସମ୍ମାନ ଦେବ।
ଏଇଥିପାଇଁ ବୋଧହୁଏ, ଆଜି ବାଜପେୟୀଙ୍କ ଶେଷ ଯାତ୍ରାରେ ରାଷ୍ଟ୍ର ମୁଖ୍ୟମାନେ ରାଷ୍ଟ୍ର ନାୟକଙ୍କ ଅନ୍ତିମ ଯାତ୍ରାରେ ଚାଲି ଚାଲି ଗଲାବେଳେ ସାରା ଦେଶ, ସାରା ବିଶ୍ୱ ଏହି ଶୋଭାଯାତ୍ରାକୁ ସଲାମ କରୁଥିଲା। ଏଥିସହିତ ଇତିହାସ ପୃଷ୍ଠାରେ ଯୋଡ଼ି ହୋଇଗଲା ପୂଜ୍ୟ ପୂଜାର ଭିନ୍ନ ଏକ ଅଧ୍ୟାୟ।
ଛୋଟ ମନରେ କେହି କେବେ ବଡ଼ ହୋଇପାରିବ ନାହିଁ, ଭାଙ୍ଗି ଯାଇଥିବା ମନରେ କେହି ଛିଡ଼ା ହୋଇପାରିବ ନାହିଁ।
ଜିତିବା-ହାରିବା ଜୀବନର ଏକ ଅଂଶବିଶେଷ, ଏହାକୁ ସମାନ ଭାବେ ଦେଖିବା ଉଚିତ୍।
ଯଦି ଭାରତ ଧର୍ମନିରପେକ୍ଷ ନୁହେଁ, ତେବେ ଭାରତ ଆଦୌ ଭାରତ ନୁହେଁ।
ମୁଁ ସବୁବେଳେ ପ୍ରତିଶ୍ରୁତି ନେଇ ଆସିନାହିଁ, ଲକ୍ଷ୍ୟ ନେଇ ଆସିଛି।
ହେବା, ନ ହେବାର କ୍ରମ ଏମିତି ଚାଲିଥିବ, ମୁଁ ଅଛି, ମୁଁ ରହିବିର ଭ୍ରମ ସବୁବେଳେ ମନରେ ରହିଥିବ।
ମୋ ପାଖରେ ନା ଜେଜେଙ୍କ ସଂପତ୍ତି ଅଛି ନା ବାପାଙ୍କର, ମୋ ପାଖରେ ମୋ ମା’ର ଆଶୀର୍ବାଦ ଅଛି।
ଆପଣ ନିଜର ବନ୍ଧୁ ବଦଳାଇପାରିବେ, ହେଲେ ପଡ଼ୋଶୀ ନୁହଁ।
ଲୋକତନ୍ତ୍ର ଏମିତି ଏକ ଜାଗା, ଯେଉଁଠି ଦୁଇଟି ମୂର୍ଖ ଏକାଠି ହୋଇ ଜଣେ ଶକ୍ତିଶାଳୀ ବ୍ୟକ୍ତିକୁ ହରାଇ ଦିଅନ୍ତି।
ଜୀବନର ପ୍ରତ୍ୟେକ କ୍ଷଣକୁ ମୁଁ କାହିଁକି ନ ବଞ୍ଚିବି? କୋଣ ଅନୁକୋଣରେ ଥିବା ସୌନ୍ଦର୍ଯ୍ୟକୁ କାହିଁକି ଉପଭୋଗ ନ କରିବି?