ସ୍ମୃତିସ୍ଥଳରୁ ଚିତାଭସ୍ମ ସଂଗ୍ରହ କଲେ ବାଜପେୟୀଙ୍କ ଝିଅ; ଅସ୍ଥି କଳସ ଯାତ୍ରା ଆରମ୍ଭ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଝିଅ ନମିତା କୌଲ୍‌ ଭଟ୍ଟାଚାର୍ଯ୍ୟ ଏବଂ ନାତୁଣୀ ନିହାରିକା ରବିବାର ଦିନ ସ୍ମୃତିସ୍ଥଳରୁ ତାଙ୍କ ଚିତାଭସ୍ମ ସଂଗ୍ରହ କରିଛନ୍ତି। ଅଗଷ୍ଟ ୧୭ ତାରିଖ ଦିନ ସେଠାରେ ବାଜପେୟୀଙ୍କ ଶବ ଦାହ କରାଯାଇଥିଲା। ପରିବାର ଲୋକେ ତାଙ୍କ ଚିତାଭସ୍ମରୁ ୩ କଳସୀ ପ୍ରେମ ଆଶ୍ରମକୁ ନେଇଥିଲେ। ସେଠାରୁ ସଡ଼କ ପଥରେ ତାହା ହରିଦ୍ୱାର ଅନ୍ତର୍ଗତ ‘ହର୍‌-କି-ପାଉରି’କୁ ଯାଇଛି।

ରବିବାର ଦିନ ହରିଦ୍ୱାର ଠାରେ ବିସର୍ଜ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ, ବିଜେପି ଅଧ୍ୟକ୍ଷ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵାତ ଆଦି ନେତାମାନେ।

ହରିଦ୍ୱାର ପରେ ତାଙ୍କ ଚିତାଭସ୍ମ ଦେଶର କେତେକ ନଦୀରେ ବିସର୍ଜ୍ଜନ କରାଯିବ।

ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଗୁଜରାଟ, ଓଡ଼ିଶା, ପଶ୍ଚିମବଙ୍ଗ, ପଞ୍ଜାବ, ତେଲେଙ୍ଗାନା ସମେତ ଅନ୍ୟାନ୍ୟ ରାଜ୍ୟର ୧୦୦ଟି ନଦୀରେ ତାଙ୍କର ଚିତାଭସ୍ମ ବିସର୍ଜ୍ଜନ ହେବ ବୋଲି ଜଣାପଡ଼ିଛି।

ବିଜେପି ନେତା ଭୁପେନ୍ଦର ଯାଦବ କହିଛନ୍ତି: ତାଙ୍କ ଚିତାଭସ୍ମ ଦେଶର କେତେକ ପବିତ୍ର ନଦୀରେ ବିସର୍ଜ୍ଜନ କରାଯିବ ଏବଂ ତା’ପରେ ଅସ୍ଥି କଳସ ସବୁ ଜିଲ୍ଲା ମୁଖ୍ୟାଳୟ ଏବଂ ରାଜ୍ୟର ରାଜଧାନୀକୁ ନିଆଯିବ। ରାଜ୍ୟ ରାଜଧାନୀ, ଜିଲ୍ଲା ମୁଖ୍ୟାଳୟ ଏବଂ ପଞ୍ଚାୟତସ୍ତରରେ ପ୍ରାର୍ଥନା ସଭା ଆୟୋଜନ କରାଯିବ।

ସମ୍ବନ୍ଧିତ ଖବର