ଅଟଳବିହାରୀ ବାଜପେୟୀଙ୍କୁ ନେଇ ସୋସିଆଲ ମିଡିଆରେ ଗୁଜବ, ଦେଶରେ ହଇଚଇ! 

ପୂର୍ବରୁ ୨୦୧୫ରେ ମଧ୍ୟ ଓଡ଼ିଶାରେ ଆଉଥରେ ହୋଇଥିଲା ଏହିପରି ଗୁଜବ; ଆଉ ନିଲମ୍ବିତ ହୋଇଥିଲେ ଜଣେ ପ୍ରଧାନ ଶିକ୍ଷକ

ନୂଆଦିଲ୍ଲୀ: ଦେଶର ସୋସିଆଲ ମିଡିଆଗୁଡ଼ିକରେ ଶୁକ୍ରବାର ବହୁଳ ଭାବେ ପ୍ରସାରିତ ଓ ପ୍ରଚାରିତ ହୋଇ ‘ଭାଇରାଲ୍‌’ ହୋଇ ପଡ଼ିଥିବା ଏକ ‘ଗୁଜବ’ ବା ମିଥ୍ୟାଖବରକୁ କେନ୍ଦ୍ରକରି ସମଗ୍ର ଦେଶରେ ବେଶ କିଛି ସମୟ ପାଇଁ ହଇଚଇ ସୃଷ୍ଟି ହୋଇଯାଇଥିଲା। ତେବେ, ପ୍ରସାରିତ ହୋଇଥିବା ଖବରଟି ମିଥ୍ୟା ବୋଲି ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନେ ରିପୋର୍ଟ ଦେବାପରେ ଦେଶବାସୀ ଆଶ୍ୱସ୍ତ ହୋଇଛନ୍ତି।

ଘଟଣାଟି ଏହପରି; ଶୁକ୍ରବାର ସକାଳ ହ୍ଵାଟସ୍‌ଆପ୍‌ର ଏକ ଗ୍ରୁପ୍‌ରେ କେହି ଜଣେ ଏକ ‘ଗୁଜବ’ ଛାଡ଼ିଦେଲା ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ସମ୍ମାନନୀୟ ଏବଂ ଲୋକପ୍ରିୟ ରାଜନେତା ଅଟଳବିହାରୀ ବାଜପେୟୀ ଆଉ ନାହାନ୍ତି! ୯୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି! ବାସ୍‌, ଏହାପରେ ଏହି ଗୁଜବଟି ହ୍ଵାଟସ୍‌ଆପ୍‌ରୁ ନେଇ ଟୁଇଟର, ଫେସ୍‌ବୁକ୍‌ ଆଦି ସମସ୍ତ ପ୍ରକାରର ସୋସିଆଲ ମିଡିଆରେ ଘୂରି ବୁଲି ଭାଇରାଲ ହୋଇଗଲା। ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ପୂର୍ବରୁ ଲୋକେ ଏହି ଗୁଜବକୁ ସେୟାର କରିବା ସହ ନିଜ ନିଜର ଶୋକ ପ୍ରକଟ କରିବାକୁ ଆରମ୍ଭ କରିଦେଲେ। ତେବେ, ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓ ସମ୍ବାଦ ସରବରାହ ସଂସ୍ଥାମାନେ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରି ଯେତେବେଳେ ରିପୋର୍ଟ ଦେଲେ ଯେ ନାହିଁ ବାଜପେୟୀଙ୍କୁ ନେଇ ସୋସିଆଲ ମିଡିଆରେ ପ୍ରସାରିତ ଖବରଟି ସଂପୂର୍ଣ୍ଣ ରୂପେ ମିଥ୍ୟା ଏବଂ ବାଜପେୟୀ ଜୀବିତ ଅଛନ୍ତି ସେତେବେଳେ ଯାଇ ଦେଶବାସୀ ଆଶ୍ୱସ୍ତ ହୋଇଥିଲେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୦୧୫ରେ ମଧ୍ୟ ବାଜପେୟୀଙ୍କୁ କେନ୍ଦ୍ରକରି ସମାନ ଧରଣର ଏହିପରି ଏକ ଗୁଜୁବ ପ୍ରଚାରିତ ହୋଇଥିଲା। ସେତେବେଳେ, ଅବଶ୍ୟ ଆଜିକା ପରି ସୋସିଆଲ ମିଡିଆର ପ୍ରଦୁର୍ଭାବ ନଥିଲା। ହେଲେ, ଗୁରୁତ୍ୱପୂର୍ଣ୍ଣ ହେଲା, ୨୦୧୫ରେ ବାଜପେୟୀଙ୍କୁ କେନ୍ଦ୍ରକରି ସୃଷ୍ଟ ହୋଇଥିବା ଗୁଜବଟି ଆରମ୍ଭ ହୋଇଥିଲା ଓଡ଼ିଶାରୁ। ସେତେବେଳ, ବାଲେଶ୍ୱର ଜିଲ୍ଲାରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହି ଗୁଜବ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ। କାରଣ, ସେତେବେଳେ ଜଣେ ସହଯୋଗୀ ଶିକ୍ଷକଙ୍କ ଠାରୁ ଏହି ଗୁଜବ ଶୁଣିବା ପରେ ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ କମଳାକାନ୍ତ ଦାସ ସ୍କୁଲକୁ ଛୁଟି ଘୋଷଣା କରିବା ସହ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭାର ମଧ୍ୟ ଆୟୋଜନ କରି ପକାଇଥିଲେ। ପରେ ଜିଲ୍ଲାପାଳ ଯେତେବେଳେ ଏ ଘଟଣା ସଂପର୍କରେ ଜାରିବାକୁ ପାଇଲେ, ସେତେବେଳେ ଅବିଳମ୍ବେ ପ୍ରଧାନ ଶିକ୍ଷକ କମଳାକାନ୍ତ ଦାସଙ୍କୁ ନିଲମ୍ବିତ କରିଥିଲେ।

ସମ୍ବନ୍ଧିତ ଖବର