ନୂଆଦିଲ୍ଲୀ: ପ୍ରୟାଗରାଜରେ ଉମେଶ ପାଲ ହତ୍ୟା ମାମଲା ପରେ ବାହୁବଳୀ ଅତୀକ୍ ଅହମ୍ମଦଙ୍କୁ ଏବେ ଏନକାଉଣ୍ଟର ଭୟ ଘାରିଛି | ସେଥିପାଇଁ ଆଜି ଅତୀକ୍ ଅହମ୍ମଦ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି | ଏହି ଆବେଦନରେ ତାଙ୍କୁ ଉତ୍ତରପ୍ରଦେଶ ପୁଲିସକୁ ହସ୍ତାନ୍ତର ନକରିବାକୁ ଅନୁରୋଧ କରିଛନ୍ତି । ଅତୀକ ବର୍ତ୍ତମାନ ଗୁଜୁରାଟର ଅହମ୍ମଦାବାଦ ଜେଲରେ ରହୁଥିବାବେଳେ ତାଙ୍କ ଆବେଦନରେ କୁହାଯାଇଛି ଯେ ଯଦି ଉମେଶ ପାଲ ହତ୍ୟା ମାମଲାରେ ତାଙ୍କୁ ପଚରାଉଚରା କରାଯାଏ, ତେବେ ଏହା କେବଳ ଗୁଜୁରାଟରେ ହେବା ଉଚିତ। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିବୃତିକୁ ମଧ୍ୟ ଦର୍ଶାଯାଇଛି | ବାସ୍ତବରେ ଉମେଶ ପାଲଙ୍କ ହତ୍ୟା ମାମଲାରେ ଯୋଗୀ କହିଥିଲେ ଯେ ସେ ମାଫିଆଙ୍କୁ ମାଟିରେ ମିଶାଇ ଦେବେ | ଏଭଳି ବିବୃତି ଏବଂ ୟୁପି ପୁଲିସର ପୂର୍ବ ରେକର୍ଡକୁ ଦର୍ଶାଇ ଅତୀକ୍ ଅହମ୍ମଦ ତାଙ୍କ ଜୀବନର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। କେବଳ ଗୁଜୁରାଟରେ ତାଙ୍କୁ ପଚରାଉଚରା କରାଯିବା ଉଚିତ ବୋଲି ରାୟ ଦେବାକୁ ଅତୀକ୍ ଅହମ୍ମଦ ସୁପ୍ରିମକୋର୍ଟରେ ନିବେଦନ କରିଛନ୍ତି | ଉତ୍ତରପ୍ରଦେଶରେ ତାଙ୍କ ଜୀବନ ବିପଦରେ ଥିବା ସେ କହିଛନ୍ତି।
ଏହାପୂର୍ବରୁ ଅତୀକ୍ ଅହମ୍ମଦର ଭାଇ ଅସରଫ ମଧ୍ୟ କୋର୍ଟକୁ ନିବେଦନ କରିଥିଲା ଯେ, ତାଙ୍କୁ ଜେଲରୁ ବାହାରକୁ ନଅଣାଯାଉ | ଜେଲକୁ ସ୍ଥାନାନ୍ତର କରାଯିବା ବାହାନାରେ ତାଙ୍କର ଏନକାଉଣ୍ଟର କରାଯିବ ବୋଲି ଅସରଫକୁ ଭୟ ଘାରିଥିଲା | ଉଲ୍ଲେଖଥାଉ କି, ‘ବହୁଜନ ସମାଜ ପାର୍ଟି’ର ବିଧାୟକ ରାଜୁ ପାଲ୍ଙ୍କୁ ୨୦୦୫ରେ ହତ୍ୟା କରାଯାଇଥିଲା। ତାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ମାଫିଆରୁ ରାଜନେତା ହୋଇଥିବା ଅତିକ୍ ଅହମ୍ମଦ। ସମ୍ପ୍ରତି ସେ ଗୁଜରାଟ ଜେଲ୍ରେ ଅଛନ୍ତି। ଏହି ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ୍। ଆଉ ଉମେଶ ପାଲ୍ଙ୍କୁ ତାଙ୍କ ବାସଭବନରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ଜେଲରେ ରହି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଅସରଫ କରାଇଥିବା ନେଇ ଅଭିଯୋଗ ଆସିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମାଫିଆଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/hggg.jpg)