ପ୍ରୟାଗରାଜ : ସାବରମତୀ ଜେଲରୁ ନୈନି ଜେଲ ପର୍ଯ୍ୟନ୍ତ ମାଫିଆ ଡନ ଅତୀକ ଅହମ୍ମଦର ୧୨୭୦ କିଲୋମିଟର ଦୀର୍ଘ ଯାତ୍ରା ଶେଷ ହୋଇଛି । ତେବେ ଏହି ଯାତ୍ରା ସମୟରେ ସେ ଅତ୍ୟନ୍ତ ବିବ୍ରତ ଓ ଆତଙ୍କିତ ଅବସ୍ଥାରେ ଥିଲା । ତା ମୁହଁରେ ଭୟ ଥିଲା ଏବଂ ସେ ପୂରା ୨୩ ଘଣ୍ଟା ୩୭ ମିନିଟରେ ଥରେ ବି ଶୋଇ ପାରିନଥିଲା । ସେ ପୂରା ସମୟ ଜାଗ୍ରତ ରହି ବାରମ୍ବାର ଚାରିଆଡ଼େ ଚାହୁଁଥିଲା ।
ପୋଲିସ ସୂତ୍ରରୁ ପ୍ରକାଶ ଯେ ଅତୀକ୍ ଆଦୌ ଶୋଇ ନଥିଲା । ବାଟରେ ତାର ଏନକାଉଣ୍ଟର କରାଯିବ ବୋଲି ସେ ଆତଙ୍କରେ ଥିଲା । ଅବଶ୍ୟ ବାଟରେ ଏକାଧିକ ଥର ସେ ପରିଶ୍ରା ଯାଇଥିଲା । ଏଠାରେ ସେ ନୈନି ଜେଲରେ ପହଞ୍ଚିବା ମାତ୍ରେ ଆଶ୍ୱସ୍ତିର ନିଶ୍ୱାସ ନେଇଥିଲା । ଜେଲ୍ ରେ ପହଞ୍ଚିବା ପରେ ତାକୁ ଯାଞ୍ଚ କରାଯାଇଥିଲା ଓ ତାର ଓଜନ ଓ ଉଚ୍ଚତା ମାପ କରାଯାଇଥିଲା।
ଅତୀକକୁ ଏକ ହାଇ ସିକ୍ୟୁରିଟି ବ୍ୟାରେକରେ ରଖାଯାଇଛି ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି। ଏଠାରେ ଜଣେ ହେଡ୍ ଜେଲ୍ ୱାର୍ଡର ଓ ଦୁଇ ଜଣ ଜେଲ୍ ୱାର୍ଡର ଅତୀକକୁ ଯାଞ୍ଚ କରିଥିଲେ। ଜେଲ୍ ଗେଟ୍ ରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ କରାଯାଇଥିଲା । ଜେଲରେ ତାକୁ ସାଧାରଣ ଜେଲ୍ ଖାଦ୍ୟ ଦିଆଯିବ। ୨୦୦୬ରେ ହୋଇଥିବା ଉମେଶ ପାଲ ଅପହରଣ ମାମଲାରେ ଅସରଫ ଓ ଅତୀକ ବିରୋଧରେ ମଙ୍ଗଳବାର ଦଣ୍ଡାଦେଶ ଆସିବ ।