ପ୍ରୟାଗରାଜ : ଜେଲରେ ଥିବା ମାଫିଆ ଡନ୍ ଅତୀକ ଅହମ୍ମଦ ସମ୍ପର୍କରେ ଏକ ବଡ଼ କଥା ଜଣାପଡ଼ିଛି । ପାକିସ୍ତାନ ସହ ମଧ୍ୟ ତାର ସମ୍ପର୍କ ଥିବା ଜଣାପଡିଛି । ସେଠାରୁ ହିଁ ଅସ୍ତ୍ରଶସ୍ତ୍ର ଆସୁଥିଲା। ଏହା ସହିତ ପାକିସ୍ତାନୀ ଆତଙ୍କବାଦୀ ସଂଗଠନଗୁଡ଼ିକ ସହ ତାହାର ସଂପର୍କ ଥିବା ଉତ୍ତରପ୍ରଦେଶ ପୁଲିସ ଦାବି କରିଛି ।
ଉତ୍ତରପ୍ରଦେଶ ପୁଲିସର ରିମାଣ୍ଡ କପିରୁ ଜଣାପଡିଛି ଯେ ଅତୀକ ଅହମ୍ମଦର ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ଏବଂ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ସହ ମଧ୍ୟ ସମ୍ପର୍କ ରହିଛି ।
ରିମାଣ୍ଡ କପିରେ ଥିବା ଅତୀକର ବୟାନରେ କୁହାଯାଇଛି- "... ପାକିସ୍ତାନର ଆଇଏସଆଇ ଏବଂ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ସହ ମୋର ସିଧାସଳଖ ସମ୍ପର୍କ ଥିବାରୁ ମୋ ପାଖରେ ଅସ୍ତ୍ରଶସ୍ତ୍ରର ଅଭାବ ନାହିଁ । ପାକିସ୍ତାନରୁ ଆସୁଥିବା ଅସ୍ତ୍ରଶସ୍ତ୍ରକୁ ଡ୍ରୋନ ସାହାଯ୍ୟରେ ପଞ୍ଜାବ ସୀମାରେ ଫିଙ୍ଗି ଦିଆଯାଏ ଏବଂ ସେଠାରେ ଥିବା କିଛି ଲୋକଙ୍କ ସାହାଯ୍ୟରେ ଏହାକୁ ସଂଗ୍ରହ କରାଯାଏ । ଏହି ସାମଗ୍ରୀରୁ ଜମ୍ମୁ ଓ କଶ୍ମୀରର ଆତଙ୍କବାଦୀମାନେ ମଧ୍ୟ ଅସ୍ତ୍ରଶସ୍ତ୍ର ପାଇଥାନ୍ତି। ଯଦି ଆପଣ ମୋତେ ସାଙ୍ଗରେ ନେଇଯାଆନ୍ତି, ତେବେ ମୁଁ ଆପଣଙ୍କୁ ସେହି ଟଙ୍କା ଏବଂ ଘଟଣାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରିବାରେ ସାହାଯ୍ୟ କରିପାରିବି ।“
ଏକଥା ଜଣା ପଡ଼ିବା ପରେ ଅତୀକର ସମସ୍ୟା ଆଗକୁ ଆହୁରି ବଢିବାର ଆଶଙ୍କା ରହିଛି । କାରଣ ଏବେ ଆତଙ୍କବାଦ ସଂପର୍କିତ ଅଭିଯୋଗ ମଧ୍ୟ ତା ଉପରେ ଲାଗୁ ହେବାକୁ ଯାଉଛି ।