ପ୍ରୟାଗରାଜ: ଅତିକ୍ ଅହମ୍ମଦ ଏବଂ ତା’ର ଭାଇ ଅସରଫ ଅହମଦର ହତ୍ୟା ପରେ ସୋସିଆଲ ମିଡିଆରେ ଏବେ ଏକ ଧମକପୂର୍ଣ୍ଣ ପୋଷ୍ଟ ଭାଇରାଲ ହୋଇଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ହତ୍ୟା ପାଇଁ ପ୍ରତିଶୋଧ ନିଆଯିବ ବୋଲି ଲେଖାଥିବା ଏକ ପୋଷ୍ଟ ସୋସିଆଲ ମିଡିଆ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟ ବିଷୟରେ ସୂଚନା ପାଇବା ମାତ୍ରେ ପୁଲିସ ଘଟଣାର ଅନୁସନ୍ଧାନ କରି ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିଛି। ପ୍ରୟାଗରାଜ ପୁଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପୋଷ୍ଟ 'ସଜ୍ଜାଦ ମୁଗଲ' ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲରୁ କରାଯାଇଛି।
ପୁଲିସ କହିଛି ଯେ ମହମ୍ମଦ ଆଲାମଗିର ନାମକ ଜଣେ ଅଭିଯୋଗକାରୀ ଏଫଆଇଆର ଦାଖଲ କରିଛନ୍ତି। ଆଇପିସିର ଧାରା ୫୦୫(୨) ଏବଂ ଆଇଟି ଅଧିନିୟମ ୨୦୦୮ର ଧାରା ୬୬ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ମାମଲା ରୁଜୁ ପରେ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏଫଆଇଆର ଅନୁଯାୟୀ, 'ସଜ୍ଜାଦ ମୁଗଲ' ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ପୋଷ୍ଟ କରାଯାଇଥିବା ଟ୍ୱିଟରେ ଲେଖାଯାଇଛି ଯେ 'ବଂଶ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଅତିକଙ୍କ ପୁଅ ଅଲୀ ଏବେ ବି ଜୀବିତ ଅଛି। ଇନ୍ଶା ଆଲ୍ଲା ପରିସ୍ଥିତି-ସମୟ-କ୍ଷମତା ସବୁ ବଦଳିବ। ତା’ପରେ ଆହ୍ଲାବାଦ କୁହାଯିବ, ପ୍ରତିଶୋଧ ନିଆଯିବ।
କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର ତଥା ପୂର୍ବତନ ସାଂସଦ ଅତିକ ଅହମଦକୁ ଏପ୍ରିଲ ୧୫ରେ ଗୁଳି କରି ହତ୍ୟା କରାଯାଇଥିଲା। ଆକ୍ରମଣରେ ଅତିକ ସହିତ ତାର ଭାଇ ଅସରଫ ଅହମଦ ମଧ୍ୟ ନିହତ ହୋଇଥିଲା।