ନୂଆଦିଲ୍ଲୀ: ଦିଲ୍ଲୀ ରାସ୍ତାରୁ ପୁରୁଣା ଗାଡି ହଟାଇବା ନେଇ ଦିଲ୍ଲୀ ସରକାରଙ୍କ ନୂଆ ନିୟମ ଉପରେ ବର୍ଷିଲେ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଆତିଶୀ । କହିଲେ ଦିଲ୍ଲୀରେ ବିଜେପି ସରକାର ତୋଗଲକି ଶାସନ ଚଳାଇଛନ୍ତି । ବିଜେପି ସରକାରର ଏ ନୀତି ଜନ ବିରୋଧୀ ଏବଂ ଗାଡ଼ି ତିଆରି କମ୍ପାନିକୁ ସୁହାଇଲା ପରି । କାରଣ ୧୦ ବର୍ଷ ପୁରୁଣା ହୋଇଥିବା ୬୨ ଲକ୍ଷ ଗାଡି ରାଜଧାନୀ ରାସ୍ତାରୁ ହଟାଇ ବିଜେପି ସରକାର ପରୋକ୍ଷରେ ୬୨ ଲକ୍ଷ ନୂଆ ଗାଡ଼ି କିଣିବା ପାଇଁ ଲୋକଙ୍କୁ ବାଧ୍ଯ କରିବା ସହ ଷଡଯନ୍ତ୍ର ରଚିଛି । 

Advertisment

ଆତିଶୀ ସିଧା ସିଧା ଅଭିଯୋଗ କରି କହିଛନ୍ତି କି-

ନିର୍ବାଚନ ବେଳେ ବିଭିନ୍ନ ଗାଡ଼ି ତିଆରି କମ୍ପାନି ଠାରୁ ଦାନ ଆକାରରେ ଟଙ୍କା ପାଇଥିଲା ବିଜେପି ଆଉ ନିର୍ବାଚନ ଜିତିବା ପରେ ସେମାନଙ୍କୁ ସୁଝିବା ପାଇଁ ଏପରି ବ୍ୟବସ୍ଥା ଆଣି ସେମାନଙ୍କ ଦାନର ପ୍ରତିଦାନ ଦେଉଛି ବୋଲି ବିଜେପି ସ୍ବୀକାର କରୁ ଏବଂ ସାମ୍ନାକୁ ଆସି କହୁ ।

୧୦ ବର୍ଷ ପୁରୁଣା ୬୦ ଲକ୍ଷରୁ ଅଧିକ ଗାଡିରୁ ୪୦ ଲକ୍ଷ ବାଇକ୍ ଏବଂ ୨୦ ଲକ୍ଷ କାର୍ । ଦିଲ୍ଲୀରେ ଲୋକେ ସାଧାରଣତଃ ବାଇକ ଉପରେ ବେଶି ନିର୍ଭରଶୀଳ । ଅଧିକାଂଶ ଅଫିସ କର୍ମଚାରୀ ନିଜ ନିଜ ଦୁଇ ଚକିଆ ଯାନରେ ଅଫିସ ଯାଉଥିବା ବେଳେ ଏବେ ହଠାତ୍ ଏମିତି ବ୍ୟାନ୍ କରିଦେବା ଏବଂ ପେଟ୍ରୋଲ୍ ପମ୍ପରେ ତେଲ ନଦେବା ସେମାନଙ୍କ ପ୍ରତି ଅନ୍ୟାୟ ହୋଇଛି । କାରଣ ସେମାନେ ଏବେ କେମିତି ଅଫିସ ଯିବେ, କେମିତି ରୋଜଗାର କରିବେ ଏବଂ କେମିତି ସେମାନେ ସେମାନଙ୍କ ନୀତିଦିନିଆ ଜୀବନକୁ ଚଲାଇବେ ବୋଲି ଆତିଶୀ ଅଭିଯୋଗ କରିଛନ୍ତି ।

ତେବେ ଗତକାଲି ଠାରୁ ଦିଲ୍ଲୀରେ ନୂଆ ନିୟମ ଲାଗୁ ହୋଇଛି । ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ି ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି ଉପରେ ପ୍ରତିବନ୍ଧକ ଲଗାଯାଇଛି । ନୂଆ ନିୟମ ଅନୁସାରେ ୨୦୨୫ ରୁ ଦିଲ୍ଲୀରେ ଯେଉଁ ପୁରୁଣା ଯାନଗୁଡ଼ିକ ସେମାନଙ୍କର ନିର୍ଦ୍ଧାରିତ ବୟସ ସୀମା ପୂରଣ କରିଛନ୍ତି ସେମାନଙ୍କୁ ପେଟ୍ରୋଲ ପମ୍ପରେ ପେଟ୍ରୋଲ-ଡିଜେଲ ଯୋଗାଇ ଦିଆଯିବ ନାହିଁ । ନିୟମ ଅନୁଯାୟୀ, ୧୦ ବର୍ଷରୁ ପୁରୁଣା ଡିଜେଲ ଯାନ ଏବଂ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଯାନଗୁଡ଼ିକୁ ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ବର୍ଗରେ ରଖାଯାଇଛି । ଏହି ନୂତନ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ, ଦିଲ୍ଲୀର ସମସ୍ତ ପେଟ୍ରୋଲ ପମ୍ପରେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ ସିଷ୍ଟମ ରହିଛି, ଯାହା ସାହାଯ୍ୟରେ ଏପରି ପୁରୁଣା ଯାନଗୁଡ଼ିକୁ ଚିହ୍ନଟ କରାଯିବ । ଆଉ ଯଦି ଏହି ପୁରୁଣା ଗାଡ଼ି ଧରି କେହି ବାହାରକୁ ବାହାରୁଛନ୍ତି କିମ୍ବା ନିୟମ ନମାନୁଛନ୍ତି ତେବେ ତଣ୍ଡ ଗଣିବାକୁ ପଡିବ । କାର ଚାଳକଙ୍କୁ ୧୦ ହଜାର ଟଙ୍କା ଫାଇନ୍ ଦେବାକୁ ଥିବା ବେଳେ ବାଇକ୍ ଚାଳକ ୫ ହଜାର ଟଙ୍କା ଫାଇନ୍ ଗଣିବେ ।