ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଆଜି ଜାତୀୟ ରାଜଧାନୀ ଦିଲ୍ଲୀର ସପ୍ତମ ବିଧାନସଭାକୁ ଭଙ୍ଗ କରିଛନ୍ତି। ଦିଲ୍ଲୀ ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟିର  ପରାଜୟ ପରେ ମୁଖ୍ୟମନ୍ତ୍ରୀ ଆତିଶୀ ଆଜି  ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିବାର କିଛି ସମୟ ପରେ ଦିଲ୍ଲୀ ବିଧାନସଭା ଭଙ୍ଗ ହୋଇଥିବା ଘୋଷଣା କରାଯାଇଛି। ଏହା ସହିତ ଦିଲ୍ଲୀରେ ବିଜେପି ନେତୃତ୍ୱରେ ଜାତୀୟ ରାଜଧାନୀରେ ନୂଆ ସରକାର ଗଠନ ପାଇଁ ବାଟ ଖୋଲିଛି। ‘ଦିଲ୍ଲୀ ସରକାରଙ୍କ ଆଇନ, ୧୯୯୧ର ଧାରା ୬ର ଉପଧାରା (୨)(ବି) ଅନୁଯାୟୀ   ଦିଆଯାଇଥିବା କ୍ଷମତାର ବ୍ୟବହାର କରି ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ୨୦୨୫ ଫେବ୍ରୁଆରି ୮ ତାରିଖରୁ ଜାତୀୟ ରାଜଧାନୀ ଅଞ୍ଚଳର ସପ୍ତମ ବିଧାନସଭାକୁ ଭଙ୍ଗ କରିଛନ୍ତି’ ବୋଲି ନୋଟିସ୍‌ ଜାରି ହୋଇଛି। ସୂଚନାଯୋଗ୍ୟ, ଆତିଶୀ ଗତବର୍ଷ ସେପ୍ଟେମ୍ବର ମାସରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

Advertisment

ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ତାଙ୍କୁ ଏହି ଶୀର୍ଷ ପଦକୁ ପଦୋନ୍ନତି ମିଳିଥିଲା। ସୁଷମା ସ୍ୱରାଜ ଏବଂ ଶୀଲା ଦୀକ୍ଷିତଙ୍କ ପରେ ଆତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। କଡ଼ା ଟକ୍କର ମଧ୍ୟରେ ଆତିଶୀ କାଲକାଜୀ ଆସନ ବଜାୟ ରଖି ବିଜେପି ପ୍ରାର୍ଥୀ ରମେଶ ବିଧୁଡ଼ିଙ୍କୁ ୩୫୨୧ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ବିଶେଷକରି  କେଜ୍ରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଏହାର ଅନେକ ଶୀର୍ଷ ନେତା ନିଜ ନିର୍ବାଚନ ମଣ୍ଡଳୀରେ ପରାଜିତ ହୋଇଥିବା ବେଳେ  କାଲକାଜୀ ନିର୍ବାଚନ ମଣ୍ଡଳୀରେ ଆତିଶୀଙ୍କ ବିଜୟ ଆପ୍ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ।