ଆଟ୍ଲାଣ୍ଟା: ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଆଟ୍ଲାଣ୍ଟା ସହର ଅନ୍ତର୍ଗତ ମିଡ୍ଟାଉନ୍ସ୍ଥିତ ଗୋଟାଏ ଡାକ୍ତରଖାନାରେ ନିର୍ବିଚାର ଭାବେ ଗୁଳି ଚଳାଇ ଜଣେ ମହିଳାଙ୍କୁ ହତ୍ୟା କରିବା ସହ ଆଉ ୪ଜଣ ମହିଳାଙ୍କୁ ଆହତ କରିଥିବା ୨୪ ବର୍ଷିୟ ସନ୍ଦିଗ୍ଧକୁ ଗିରଫ କରାଯାଇଥିବା କଥା ଟୁଇଟ୍ କରି ପୁଲିସ କହିଛି।
‘ସିଏନ୍ଏନ୍’ ରିପୋର୍ଟ ଅନୁସାରେ, ଆଟ୍ଲାଣ୍ଟାର ନର୍ଥସାଇଡ୍ ହସ୍ପିଟାଲ୍ରେ ଗୁଳି ଚଳାଇଥିବା ବ୍ୟକ୍ତିଜଣକ ଡିୟନ୍ ପ୍ୟାଟର୍ସନ୍ ବୋଲି ପୁଲିସ ଚିହ୍ନଟ କରିଛି। ତାଙ୍କୁ ସହରର ଉତ୍ତରାଞ୍ଚଳରେ ଥିବା କବ୍ କାଉଣ୍ଟିସ୍ଥିତ ହାଜତକୁ ନିଆଯାଇଛି।
/sambad/media/post_attachments/wp-content/uploads/2023/05/shooter.jpg)
ସୂଚନାଯୋଗ୍ୟ, ଡିୟନ୍ ପ୍ୟାଟର୍ସନ୍ ନର୍ଥସାଇଡ୍ ମେଡିକାଲ୍ ବିଲ୍ଡିଙ୍ଗ୍ସ୍ର ୧୧ଶ ମହଲାରେ ୫ଜଣ ମହିଳାଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି। ସେଦିନ ପ୍ୟାଟର୍ସନ୍ ତାଙ୍କ ମାଆ ମିନ୍ୟୋନ୍ ପ୍ୟାଟର୍ସନ୍ଙ୍କ ସହିତ ଡାକ୍ତରଖାନାକୁ ଆସିଥିଲେ। ପୁଅର ମାନସିକ ଅସ୍ଥିରତା ଥିବା କଥା ମିନ୍ୟନ୍ ଟେଲିଫୋନ୍ ଯୋଗେ ଗଣମାଧ୍ୟମ ‘ଏପି’କୁ କହିଛନ୍ତି। ଶୁକ୍ରବାରଠାରୁ ‘ଭେଟେରାନ୍ସ୍ ଆଫେୟାର୍ସ ହେଲ୍ଥ୍ ସିଷ୍ଟମ୍’ରୁ ଔଷଧ ଖାଇବା ପରେ ପୁଅଠାରେ ଏଭଳି ଅସ୍ଥିରତ ଦେଖା ଦେଇଥିବା କଥା ମଧ୍ୟ ସେ କହିଛନ୍ତି।
/sambad/media/post_attachments/wp-content/uploads/2023/05/shooter1-1024x593.jpg)
ପୁଲିସ କହିଛି, ପ୍ରାୟ ୨ ମିନିଟ୍ ଧରି ଗୁଳି ଚଳାଇବା ପରେ ପ୍ୟାଟର୍ସନ୍ ଡାକ୍ତରଖାନାରୁ ଦୌଡ଼ି ଗୋଟାଏ ସେଲ୍ ଗ୍ୟାସ୍ ଷ୍ଟେସନ୍କୁ ଯାଇ ସେଠାରୁ ଏକ ପିକ୍-ଅପ୍ ଟ୍ରକ୍ରେ ବସି ପଳାଇଥିଲେ।
ତାଙ୍କ ଗୁଳି ଚୋଟରେ ଜଣେ ୩୯ ବର୍ଷୀୟ ମହିଳାଙ୍କର ମୃତ୍ୟୁ ଘଟିଛି ଏବଂ ୨୫, ୩୯, ୫୬ ଓ ୭୧ ବର୍ଷୀୟ ଆଉ ୪ଜଣ ମହିଳା ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।