ଭୋପାଲ : ଟିକେ ଭାବନ୍ତୁ ତ ! ଯଦି ଏଟିଏମ୍ରୁ ୧୦୦ଟଙ୍କା କାଢ଼ିବାକୁ ଯାଇଥିବା ବ୍ୟକ୍ତିକୁ ୧୦୦ ପରିବର୍ତ୍ତେ ୫୦୦ଟଙ୍କା ମିଳୁଛି । ତେବେ ସେ କେତେ ଖୁସି ହେବ? ପ୍ରଶ୍ନଟି ଶୁଣି ଆପଣଙ୍କୁ ବିଶ୍ୱାସ ହେଉ ନଥିଲେ ମଧ୍ୟ ଏହା ସତ । କାରଣ ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ଅଲ୍ଲୀରାଜପୁରରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ୧୦୦ଟଙ୍କା ଉଠାଇବା ପାଇଁ ଯାଇଥିବା ବେଳେ ୧୦୦ ପରିବର୍ତ୍ତେ ମସିନ୍ରୁ ୫୦୦ଟଙ୍କା ବାହାରିଥିଲା । ଏଥିରେ ବ୍ୟକ୍ତିଜଣଙ୍କ ଆଶ୍ଚର୍ଯ୍ୟ ହେବା ସହ ମୋବାଇଲକୁ ଆସିଥିବା ମେସେଜ ଦେଖି ବିଶ୍ୱାସ କରି ପାରି ନଥିଲେ । କାରଣ ବ୍ୟାଙ୍କ ତରଫରୁ ୫୦୦ଟଙ୍କା ନୁହେଁ ବରଂ ୧୦୦ଟଙ୍କା ଉଠିଥିବାର ମେସେଜ ଆସିଥିଲା ।
କିଛି ସମୟ ପରେ ମୋଦି ସରକାର ମାଗଣାରେ ଟଙ୍କା ବାଣ୍ଟୁଥିବା କଥା ବ୍ୟକ୍ତିଜଣଙ୍କ ଚାରିଆଡ଼େ ପ୍ରସାର କରିବା ପରେ ଏଟିଏମ୍ ଆଗରେ ଲୋକଙ୍କ ଲମ୍ବା ଲାଇନ୍ ଲାଗିଥିଲା । ଦୁଇ ଘଣ୍ଟା ମଧ୍ୟରେ ଏଟିଏମ୍ ମସିନ୍ରେ ଥିବା ୧.୨୦ଲକ୍ଷ ଟଙ୍କା ଖାଲି ହୋଇ ଯାଇଥିଲା । ଏ ଖବର ସ୍ଥାନୀୟ ବ୍ୟାଙ୍କରେ ପହଞ୍ଚିବା ପରେ ବ୍ୟାଙ୍କ କର୍ମଚାରୀ ଆଶ୍ଚର୍ଯ୍ୟ ହେବା ପରେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ଏପରି ମୋଦି ସରକାରଙ୍କ ପାଇଁ ନୁହେଁ ବରଂ ଏଟିଏମ୍ରେ ଟଙ୍କା ରଖୁଥିବା କମ୍ପାନୀର ଭୁଲ ପାଇଁ ହୋଇଥିବା ଜଣା ପଡ଼ିଥିଲା ।
ସୂଚନା ମୁତାବକ, ଏଟିଏମ୍ରେ ଟଙ୍କା ରଖୁଥିବା କମ୍ପାନୀ ମେସିନ୍ରେ ଥିବା ୧୦୦ଟଙ୍କାର ଥାକରେ ୫୦୦ଟଙ୍କିଆ ନୋଟ୍ ରଖି ଦେଇଥିଲେ । ଫଳରେ ୧୦୦ଟଙ୍କା ବଦଳରେ ୫୦୦ଟଙ୍କା ବାହାରିବାକୁ ଲାଗିଥିଲା । ଏବେ ବ୍ୟାଙ୍କ ଏଟିଏମ୍ରୁ ଟଙ୍କା ବାହାର କରିଥିବା ଲୋକମାନଙ୍କ ବିବରଣୀ ବାହାର କରିବାରେ ଲାଗି ପଡ଼ିଛି । ଏଟିଏମ୍ରେ ଲାଗିଥିବା କ୍ୟାମେରା ସାହାଯ୍ୟରେ ଲୋକମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।