ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ ଚତୁର୍ଥ ବଜେଟ୍କୁ କର୍ପୋରେଟ୍ ଜଗତ ସ୍ବାଗତ କରିଛି। କର୍ପୋରେଟ୍ ଟ୍ୟାକ୍ସ ହ୍ରାସକୁ ବିପୁଳ ସମର୍ଥନ ମିଳିଛି। ଡିଜିଟାଲ୍ ମୁଦ୍ରା ଏବଂ କ୍ରିପ୍ଟୋକରେନ୍ସି ଟ୍ୟାକ୍ସ ଘୋଷଣାକୁ ମଧ୍ୟ ସ୍ବାଗତ କରାଯାଇଛି ।
ପ୍ରଭାବଶାଳୀ ବଜେଟ୍: ଆନନ୍ଦ ମହିନ୍ଦ୍ରା
ମହିନ୍ଦ୍ରା ଗ୍ରୁପ୍ ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଚଳିତ ବଜେଟ୍କୁ ଏକ ପ୍ରଭାବଶାଳୀ ବଜେଟ୍ ବୋଲି କହିଛନ୍ତି। ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ଛୋଟ ହେବାକୁ ମଧ୍ୟ ସେ ପସନ୍ଦ କରିଛନ୍ତି।
..........................................
ଡିଜିଟାଲ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବ: ଆଦିତ୍ୟ ବିର୍ଲା ସନ୍ ଲାଇଫ୍ ସିଇଓ ଏ. ବାଲସୁବ୍ରମନ୍ୟମ
୨୦୨୨-୨୩ କେନ୍ଦ୍ର ବଜେଟ୍ ଦେଶରେ ଭିତ୍ତିଭୂମିର ଦ୍ରୁତ ବିକାଶ ଘଟାଇବା ସହ ଡିଜିଟାଲ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ ବୋଲି ଆଦିତ୍ୟ ବିର୍ଲା ସନ୍ ଲାଇଫ୍ର ସିଇଓ ଏ. ବାଲସୁବ୍ରମନ୍ୟମ କହିଛନ୍ତି।
.....................................
ସନ୍ତୁଳିତ ବଜେଟ୍: ଏଚ୍ଡିଏଫ୍ସି ମୁଖ୍ୟ ଅର୍ଥନୀତିଜ୍ଞ
ବଜେଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏଚ୍ଡିଏଫ୍ସି ମୁଖ୍ୟ ଅର୍ଥନୀତିଜ୍ଞ ଅଭିକ୍ ବାରୁଆ କହିଛନ୍ତି ଯେ ୨୦୨୨-୨୩ ପାଇଁ ବଜେଟ୍ରେ ଆର୍ଥିକ ନିଅଣ୍ଟକୁ ସନ୍ତୁଳିତ କରିବା ପାଇଁ ବଡ଼ ପ୍ରୟାସ ହୋଇଛି। ଭାରତ ପାଇଁ ୨୫ ବର୍ଷର ଦୀର୍ଘକାଳୀନ ବିନିଯୋଗ ଯୋଜନା ସହିତ ସ୍ୱଳ୍ପ ମିଆଦି ପୁଞ୍ଜି ବିନିଯୋଗ ଉଦ୍ୟମ ହୋଇଛି। ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସମସ୍ୟା ଉପରେ ବଜେଟରେ ସ୍ୱତନ୍ତ୍ର ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।
..........................................
ଅଭିବୃଦ୍ଧିକୁ ପ୍ରତିଫଳିତ କରୁଛି: ଥୋମାସ୍ କୁକ୍(ଇଣ୍ଡିଆ) ପରିଚାଳନା ନିର୍ଦ୍ଦେଶକ
ଥୋମାସ୍ କୁକ୍ (ଇଣ୍ଡିଆ) ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ମାଧବନ୍ ମେନନ୍ କହିଛନ୍ତି ଯେ ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା, ଦକ୍ଷତା ବିକାଶ ଏବଂ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହିତ ଏଥର କେନ୍ଦ୍ର ବଜେଟ୍ ଅଭିବୃଦ୍ଧି ଏବଂ ବିନିଯୋଗ ଭାବନାକୁ ପ୍ରତିଫଳିତ କରିଛି। ତେବେ ଭ୍ରମଣ ଏବଂ ପର୍ଯ୍ୟଟନ ଦୃଷ୍ଟିକୋଣରୁ କେନ୍ଦ୍ର ବଜେଟ୍ ନିରାଶାଜନକ ହୋଇଛି।
................................................
ଅଗ୍ରଗାମୀ ବଜେଟ୍ : ଆଦିତ୍ୟ ବିର୍ଲା କ୍ୟାପିଟାଲ୍ ସିଇଓ
ଆଦିତ୍ୟ ବିର୍ଲା କ୍ୟାପିଟାଲର ସିଇଓ ଅଜୟ ଶ୍ରୀନିବାସନ୍ କହିଛନ୍ତି ଯେ ଅର୍ଥମନ୍ତ୍ରୀ ଅଭିବୃଦ୍ଧି ଏବଂ ଭବିଷ୍ୟତର ବଜେଟ୍ ଉପସ୍ଥାପନ କରିଛନ୍ତି। ଆର୍ଥିକ ଏକୀକରଣ ଉପରେ ଏହା ଉଦାରବାଦୀ ଥିବାବେଳେ ସାମାଜିକ କଲ୍ୟାଣ ସହିତ ସବୁସ୍ତରରେ ବିକାଶକୁ ପ୍ରୋତ୍ସାହିତ କରାଯାଇଛି । ଡିଜିଟାଲ୍ ଅର୍ଥନୀତି, ଷ୍ଟାର୍ଟଅପ୍ ଆଦିକୁ ଧ୍ୟାନ ଦେଇ ବଜେଟ୍ରେ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି।
....................................
ଆତ୍ମନିର୍ଭରଶୀଳ ଭାରତ ପାଇଁ ଅନୁକୂଳ: ଆଇଡିବିଆଇ ବ୍ୟାଙ୍କ ସିଇଓ
କେନ୍ଦ୍ର ବଜେଟ୍ ୨୦୨୨-୨୩ର ପ୍ରତିକ୍ରିୟାରେ ଆଇଡିବିଆଇ ବ୍ୟାଙ୍କ ସିଇଓ ରାକେଶ ଶର୍ମା କହିଛନ୍ତି ଯେ ଏହା ଏକ ଅଭିବୃଦ୍ଧି ଭିତ୍ତିକ ଏବଂ ଭବିଷ୍ୟତର ବଜେଟ୍। ଏହା ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜି ବ୍ୟୟକୁ ପ୍ରୋତ୍ସାହନ କରୁଛି। ଉତ୍ପାଦକତା ବୃଦ୍ଧି ଏବଂ ଆର୍ଥିକ ସହାୟତା ଦିଗରେ କେନ୍ଦ୍ର ବଜେଟ୍ ଯଥୋଚିତ ଫୋକସ୍ କରିଛି।
................................................
ସରକାରୀ ଖର୍ଚ୍ଚ ଘରୋଇ ନିବେଶକୁ ଉତ୍ସାହିତ କରିବ : ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ​​ବ୍ୟାଙ୍କ ସିଇଓ
ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ​​ବ୍ୟାଙ୍କ ସଇଓ ଜରିନ୍ ଦାରୁୱାଲା କହିଛନ୍ତି ଯେ ଏହା ଏକ ଅଭିବୃଦ୍ଧି ଭିତ୍ତିକ ବଜେଟ୍। ପୁଞ୍ଜି ବ୍ୟୟ ଉପରେ ଯଥୋଚିତ ଗୁରୁତ୍ବ ଦିଆଯାଇଛି ଯାହା ୧୫ ବର୍ଷରୁ ଅଧିକ ସମୟ ମଧ୍ୟରେ ସର୍ବାଧିକ। ଏହାଦ୍ବାରା ଏକ ଭଲ ପ୍ରଭାବ ଦେଖିବାକୁ ମିଳିବ। ସରକାରୀ ଖର୍ଚ୍ଚ ବୃଦ୍ଧି ଘରୋଇ କ୍ଷେତ୍ରର ନିବେଶକୁ ଉତ୍ସାହିତ କରିବ ଏବଂ ଏହାର ସୁଫଳ ଲୋକଙ୍କୁ ମିଳିବ।
ଆତ୍ମନିର୍ଭର ଭାରତ ପାଇଁ ବଜେଟ୍: ସ୍ବାଗତ କଲା କର୍ପୋରେଟ୍ ଜଗତ
/sambad/media/post_attachments/wp-content/uploads/2022/02/atma-nirvar-bharat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)