ପରମାଣୁ ପରୀକ୍ଷଣର ଭୟଙ୍କର ପ୍ରଭାବ: ଭୂଗର୍ଭକୁ ଚାଲିଯିବ ଉତ୍ତର କୋରିଆ !

ପୋଙ୍ଗୟାଙ୍ଗ: ସାରା ବିଶ୍ୱକୁ ପରମାଣୁ ଅସ୍ତ୍ରର ଭୟ ଦେଖାଇ ଡରାଇବାକୁ ଉଦ୍ୟମ ଜାରି ରଖିଥିବା ଉତ୍ତରକୋରିଆ ଏବେ ନିଜ ପାଇଁ ଘୋର ବିପଦକୁ ବରଣ କରିଛି। ବାରମ୍ବାର ଦେଶରେ ପରମାଣୁ ଓ ଉଦ୍‌ଯାନ୍‌ ବୋମାର ପରୀକ୍ଷଣ କରିବା ଯୋଗୁଁ ଦେଶର ଭୂତାତ୍ତ୍ୱିକ ଗଠନରେ ପରିବର୍ତ୍ତନ ହେଉଥିବା ପରିଲକ୍ଷିତ ହେଉଛି। ଏହାର ପ୍ରଭାବରେ ଏବେ ଉତ୍ତର କୋରିଆରେ ସିରିଜ୍‌ ଭୂକମ୍ପ ଅନୁଭୂତ ହେଉଛି । ଭୂତତ୍ତ୍ୱବିତ୍‌ଙ୍କ କହିବା ମୁତାବକ ବାରମ୍ବାର ଏଭଳି ଶକ୍ତିଶାଳୀ ପରୀକ୍ଷଣ କରାଯିବା ଦ୍ୱାରା ଭୂ-ଗର୍ଭସ୍ଥ ଟେକ୍ଟାନିକ୍‌ ପ୍ଲେଟରେ ପ୍ରଭାବ ପଡ଼ୁଛି। ଉକ୍ତ ପ୍ଲେଟଗୁଡ଼ିକରେ ଅପ୍ରକୃତିକଭାବେ ପରିବର୍ତ୍ତନ ଓ ପ୍ରଭାବ ଯୋଗୁଁ ଏବେ ସେଗୁଡ଼ିକ ଚହଲି ଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି । ଫଳସ୍ୱରୂପ ଉତ୍ତରକୋରିଆରେ ଏବେ ତୁହାକୁ ତୁହା ମୃଦୁ ଭୂକମ୍ପ ଅନୁଭୂତ ହେଉଛି। ପ୍ରତ୍ୟେକ ଥର ପରମାଣୁ ପରୀକ୍ଷାଜନିତ ଭୂକମ୍ପରେ ଦେଶ ଥରି ଉଠୁଥିଲେ ମଧ୍ୟ ଏହାର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ ଉନ୍‌ କୌଣସି କଥାକୁ ଭୃକ୍ଷେପ କରୁନାହାନ୍ତି।

ଉତ୍ତର କୋରିଆ ଯଦି ଶକ୍ତିଶାଳୀ ପରମାଣୁ ଅସ୍ତ୍ର ପରୀକ୍ଷଣ ବନ୍ଦ ନ କରିବ ତେବେ ଭୂସ୍ଖଳନ ଘଟି ଦେଶ ଭୂଗର୍ଭରେ ଲୀନ ହୋଇଯିବାର ଆଶଙ୍କା ରହିଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଭୂତତ୍ତ୍ୱବିତ୍‌ଙ୍କ ସର୍ଭେରୁ ଜଣାପଡ଼ିଛି । ପ୍ୟୁଙ୍ଗେ-ରୀ ଅଞ୍ଚଳରେ ଉତ୍ତରକୋରିଆ ୬ଥର ପରମାଣୁ ପରୀକ୍ଷଣ କରିଛି ଏବଂ ଏଥିପାଇଁ ଉକ୍ତ ଅଂଚଳରେ ପ୍ରାୟ ୧୪ ଥର ୩.୫ରୁ ୫.୩ ତୀବ୍ରତାର ଭୂକମ୍ପ ଆସିଛି। ଭୂତତ୍ତ୍ୱବିତ୍‌ଙ୍କ କହିବା ମୁତାବକ ଥରେ ପରମାଣୁ ପରୀକ୍ଷଣ ହେଲେ ସାରା ପୃଥିବୀର ଟେକ୍ଟାନିକ୍‌ ପ୍ଲେଟ୍‌ଗୁଡ଼ିକ ଉପରେ ପ୍ରଭାବ ପଡ଼ିଥାଏ। ସେହି ପ୍ଲେଟଗୁଡ଼ିକର କମ୍ପନ ଜନିତ ଗତି ଯୋଗୁଁ ଭୂମିକମ୍ପ ବା ଭୂସ୍ଖଳନ ହୋଇଥାଏ। ପୁନଶ୍ଚ ଏହି ପ୍ଲେଟଗୁଡ଼ିକ ସ୍ଥିତାବସ୍ଥାକୁ ଆସିବା ପାଇଁ କିଛି ସମୟ ନେଇଥାନ୍ତି। ମାତ୍ର ଉତ୍ତରକୋରିଆ ଲଗାତାରଭାବେ ଏହାର ପରୀକ୍ଷଣ ଜାରି ରଖିଥିବାରୁ କେତେବେଳେ କିଭଳି ବିପର୍ଯ୍ୟୟ ଘଟିବ କହିହେଉନାହିଁ। ଯାହାର କୁପରିଣାମ ସମଗ୍ର ବିାବକୁ ଭୋଗିବାକୁ ପଡ଼ିବ ବୋଲି ଭିଏନାର ପରମାଣୁ ପରୀକ୍ଷଣ ବିରୋଧୀ ଟିଟ୍ରି ସଂସ୍ଥାନ ଓ ଆମେରିକାର ଭୂତତ୍ତ୍ୱବିତ୍‌ମାନେ କହିଛନ୍ତି।

ସମ୍ବନ୍ଧିତ ଖବର