ଆଧାର କାର୍ଡର ସୁରକ୍ଷା ନେଇ ସୁପ୍ରିମକୋଟରେ ନିଜର ମତ ସ୍ପଷ୍ଟ କଲେ ଆଟର୍ଣ୍ଣିଂ ଜେନେରାଲ

ନୁଆଦିଲ୍ଳୀ: ଦେଶରେ ଆଧାର କାର୍ଡର ସୁରକ୍ଷା ନେଇ ବିଭିନ୍ନ ସମୟରେ ବିବାଦ ଦେଖାଦେବା ସହ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ତଥ୍ୟ ଲିକ୍‌ ହେଉଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କିନ୍ତୁ ଆଧାର କାର୍ଡର ସୁରକ୍ଷାକୁ ନେଇ ଆଜି କେନ୍ଦ୍ର ସରକାର ଏକ ବଡ ବୟାନ ଦେଇଛନ୍ତି । ସୁପ୍ରିମକୋର୍ଟରେ ଆଜି ଆଧାର କାର୍ଡ ମାମଲାରେ ଶୁଣାଣି ଚାଲିଥିବା ବେଳେ ଆଟର୍ଣ୍ଣି ଜେନରାଲ କେକେ ବେଣୁଗୋପାଳ କହିଛନ୍ତି, ଆଧାର କାର୍ଡର ସମସ୍ତ ତଥ୍ୟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି । ଏପରିକି ଏହାକୁ ଏମିତି ଏକ ସ୍ଥାନରେ ରଖାଯାଇଛି ଯାହା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ ଯ ୧୩ ଫୁଟ ଉଚ୍ଚ ଓ ୫ ଫୁଟ୍‌ ଚଉଡାର ମୋଟା କାନ୍ଥ ପଛରେ ଆଧାର ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି କହିଛନ୍ତି ଆଟର୍ଣ୍ଣି ଜେନରାଲ।

ଏହାସହ ସୁପ୍ରିମକୋର୍ଟଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କେନ୍ଦ୍ର ସରକାର କହିଛନ୍ତି, ଲୋକଙ୍କ ପାଖରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପହଞ୍ଚାଇବା ପାଇଁ ଆଧାର ଜରୁରୀ । କାରଣ ସରକାର ଜନସାଧାରଣଙ୍କ ପାଇଁ ୧ ଟଙ୍କା ପଠାଇଲେ ସେମାନଙ୍କ ପାଖରେ ୧୫ ପଇସା ହିଁ ପହଞ୍ଚେ । ତେଣୁ ଏହି ଅସୁବିଧାକୁ ଦୂର କରିବା ପାଇଁ ଆଧାର ଆବଶ୍ୟକତା ରହିଛି । କେନ୍ଦ୍ର ସରକାର କହିଛନ୍ତି ଯେ, ଯଦି ଆଧାରର ସୁରକ୍ଷାକୁ ନେଇ କୌଣସି ପ୍ରଶ୍ନ ରହିଛି ତେବେ ୟୁଆଇଡିଏଆଇର ସିଇଓଙ୍କୁ ଡାକି ଏହାର ସତ୍ୟତା ବିଷୟରେ ମଧ୍ୟ କୋର୍ଟ ପରଖି ପାରିବେ ।

ପୂର୍ବରୁ ଆଧାର ତଥ୍ୟ ଚୋରି ହେଉଥିବା ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟ ଅନିଦ୍ଦିଷ୍ଟ କାଳ ପାଇଁ ବିଭିନ୍ନ ଡକୁମେଣ୍ଟ ସହ ଆଧାର ଲିଙ୍କକୁ ଘୁଞ୍ଚାଇ ଦେଇଛନ୍ତି । ସୁପ୍ରିମକୋର୍ଟ ଗତ ୧୩ ତାରିଖରେ ବିଭିନ୍ନ ସରକାରୀ ସ୍କିମ୍‌, ବ୍ୟାଙ୍କ ଖାତା ଓ ମୋବାଇଲ ନମ୍ବର ସହ ଆଧାର ନମ୍ବର ଲିଙ୍କ୍‌ କରିବାର ଶେଷ ତାରିଖକୁ ସୁପ୍ରିମକୋର୍ଟ ଅର୍ନିଦ୍ଦିଷ୍ଟ କାଳ ପାଇଁ ବଢାଇଦେଇଥିଲେ । ପୂର୍ବରୁ ଏଥିପାଇଁ ଶେଷ ତାରିଖ ମାର୍ଚ୍ଚ ୩୧ ରଖାଯାଇଥିଲା । ଆଧାରର ବୈଧତା ସଂପର୍କରେ ଚୂଡାନ୍ତ ରାୟ ନ ଆସିବା ପର‍୍ୟ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଥିଲା ।

ସମ୍ବନ୍ଧିତ ଖବର