ବେଙ୍ଗାଲୁରୁ: ଆଦି କାଳରୁ ମାନବ କୀଟଭୋଜୀ ଥିଲା ବୋଲି ଯୁକ୍ତି ବାଢ଼ି ‘ଅଶୋକ ଟ୍ରଷ୍ଟ୍ ଫର୍ ରିସର୍ଚ ଇନ୍ ଇକୋଲୋଜି ଆଣ୍ଡ୍ ଦି ଏନ୍ଭାଇରୋନ୍ମେଣ୍ଟ୍’ର (ଅଟ୍ରି) ଦଳେ ବୈଜ୍ଞାନିକ ମଣିଷମାନଙ୍କ ଖାଇବା ପାଇଁ ଝିଙ୍କାରି ମିଶ୍ରିତ ଚକ୍ଲିଟ୍ ଚିପ୍ କୁକି ପ୍ରସ୍ତୁତ କରିଛନ୍ତି।
ଭବିଷ୍ୟତରେ ଖାଦ୍ୟ ନିରାପତ୍ତା ଏକ ଗୁରୁତ୍ବପୂର୍ଣ୍ଣ ବୈଶ୍ବିକ ଆହ୍ବାନ ହେବ ବୋଲି ସେମାନଙ୍କ ଅଧ୍ୟୟନ ଦର୍ଶାଉଥିବାରୁ କୀଟପତଙ୍ଗ ଭୋଜନ ସ୍ବାଭାବିକ କରିବା ଉଦ୍ଦେଶ୍ୟରେ ଉକ୍ତ ବୈଜ୍ଞାନିକମାନଙ୍କର ଉଦ୍ଦେଶ୍ୟ।
‘ଅଟ୍ରି’ର ବରିଷ୍ଠ ବୈଜ୍ଞାନିକ ପ୍ରିୟଦର୍ଶନ ଧର୍ମରାଜନ କହିଛନ୍ତି, ଆମ ଗବେଷଣା କହୁଛି ଯେ, ୨୦୫୦ ବେଳକୁ ଯେତେବେଳେ ବିଶ୍ବର ଜନସଂଖ୍ୟା ୯୦୦ କୋଟିରେ ପହଞ୍ଚିଯିବ ସେତେବେଳେ ଆମେ ସାଧାରଣ ପୁଷ୍ଟିସାର ଉତ୍ସର ଉତ୍କଟ ଅଭାବର ସମ୍ମୁଖୀନ ହେବା।
/sambad/media/post_attachments/wp-content/uploads/2022/08/CC1.jpg)
କୀଟପତଙ୍ଗଙ୍କୁ ସ୍ବଳ୍ପ ଚର୍ବି, ଅଧିକ ଖନିଜ ଲବଣ ଏବଂ ଅଣୁପୋଷକତତ୍ତ୍ବ ଥିବା ଉନ୍ନତ ଧରଣର ପୁଷ୍ଟିସାର ଉତ୍ସ ବୋଲି କହି ଧର୍ମରାଜନ ଦର୍ଶାଇଛନ୍ତି ଯେ, ୧୫୦ ଦେଶର ୨୦୦ କୋଟି ଜନତା ସେମାନଙ୍କ ଆହାରରେ କୀଟପତଙ୍ଗ ସାମିଲ କରିସାରିଲେଣି। ଏହାଛଡ଼ା, ଭାରତରେ ଅନେକ ଜନଜାତି ସମ୍ପ୍ରଦାୟ ମଧ୍ୟ ୩୦୦ ପ୍ରଜାତିର କୀଟପତଙ୍ଗ ଖାଉଛନ୍ତି। ଆକାର, ଗୁଣବତା ଏବଂ ପ୍ରକାର ଭେଦ ଆଧାରରେ ଏହି କୀଟପତଙ୍ଗ ସବୁ ଆଞ୍ଚଳିକ ବଜାରରେ କିଲୋପିଛା ଟ. ୬୦୦/-ରୁ ଟ.୧୦୦୦/-ରେ ବିକ୍ରୟ ହେଉଛି।
ଧର୍ମରାଜନ୍ ଏବଂ ତାଙ୍କ ଦଳରେ ଥିବା ଅନ୍ୟ ବୈଜ୍ଞାନିକମାନେ ଉପରୋକ୍ତ ଝିଙ୍କାରି ମିଶ୍ରିତ ଚକୋଚିପ୍ କୁକି ପ୍ରସ୍ତୁତ କରିଛନ୍ତି। ପରୀକ୍ଷାନିରୀକ୍ଷା ଏବଂ ରନ୍ଧନ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଉକ୍ତ ଚକୋଚିପ୍ କୁକି ତିଆରି କରାଯାଇଛି।
କୁକିରେ ମିଶ୍ରିତ ଝିଙ୍କାରିଗୁଡ଼ିକୁ ଆମେ ଗତ ୨ ବର୍ଷ ହେବ ପାଳିଥିଲୁ। ‘ଏଟ୍ରି’ ଲାଭରହିତ ସଂସ୍ଥାନ ହୋଇଥିବାରୁ ଏହି କୁକିଗୁଡ଼ିକୁ ବିକ୍ରି କରାଯିବ ନାହିଁ। ଭବିଷ୍ୟତରେ ଏ ପ୍ରକାର ଖାଦ୍ୟର ଉପଯୋଗ ହେବ ବୋଲି ପ୍ରଚାର କରୁଛୁ।