ନୂଆଦିଲ୍ଲୀ: ସୋମବାର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣରେ ଅତି କମ୍‌ରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ଦିଲ୍ଲୀ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଧିକାରୀଙ୍କ କହିବା ଅନୁସାରେ, ଫରିଦାବାଦ ମଡ୍ୟୁଲ୍‌ର ପର୍ଦ୍ଦାଫାସ ହୋଇଥିବା ଜାଣିବା ମାତ୍ରେ ସନ୍ଦିଗ୍ଧ ଆତ୍ମଘାତୀ ଆକ୍ରମଣ ଯୋଜନା କରିଥିଲା। ଦିଲ୍ଲୀ ପୁଲିସ କହିଛି, ଲାଲକିଲ୍ଲାରେ ହୋଇଥିବା କାର୍ ବିସ୍ଫୋରଣ ଏକ ଆତ୍ମଘାତୀ ଆକ୍ରମଣ ବୋଲି ପ୍ରାରମ୍ଭିକ ପର୍ଯ୍ୟାୟ ତଦନ୍ତରୁ ସାବ୍ୟସ୍ତ ହୋଇଛି। ଅନୁସନ୍ଧାନରୁ ସନ୍ଦିଗ୍ଧର ଉଦ୍ଦେଶ୍ୟ ସୂଚିତ ହେଉଛି। ଫରିଦାବାଦ ମଡ୍ୟୁଲ୍‌ର ପର୍ଦ୍ଦାଫାସ ହୋଇଥିବା ଜାଣିବା ମାତ୍ରେ ସେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରିଥିଲା। ବିସ୍ଫୋରଣ ପଛର ଉଦ୍ଦେଶ୍ୟ ଜାଣିବା ପାଇଁ ସମସ୍ତ ଏଜେନ୍ସି କାର୍ଯ୍ୟ କରୁଛନ୍ତି। ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ଟ୍ରାଫିକ୍ ସିଗନାଲ୍ ନିକଟରେ ଏକ ଧୀର ଗତିଶୀଳ କାର୍‌ରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ଦିଲ୍ଲୀ ପୁଲିସ ମଙ୍ଗଳବାର ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ଓ ବିସ୍ଫୋରକ ଆଇନ ଅନୁଯାୟୀ ଏଫ୍ଆଇଆର୍ ରୁଜୁ କରିଛି। ଏକାଧିକ ସ୍ଥାନରେ ଚଢ଼ଉ କରାଯାଉଛି। ବିମାନବନ୍ଦର, ରେଳ ଷ୍ଟେସନ ଓ ବସ୍ ଟର୍ମିନାଲ୍ ଉପରେ କଡ଼ା ନଜର ରଖାଯିବା ସହିତ ଜାତୀୟ ରାଜଧାନୀକୁ ହାଇ ଆଲର୍ଟରେ ରଖାଯାଇଛି।

Advertisment

ଡାକ୍ତର ନା କଂସେଇ: ଆଉ ୩ ଗିରଫ

ଲାଲକିଲ୍ଲାରେ  ଘଟିଥିବା ଆତ୍ମଘାତୀ ବିସ୍ଫୋରଣ ଘଟଣାର ତଦନ୍ତରେ ହରିୟାଣା ପୁଲିସ ଫରିଦାବାଦର ଅଲ-ଫଲାହ ବିଶ୍ୱବିଦ୍ୟାଳୟରୁ ଆଉ ତିନି ଡାକ୍ତରଙ୍କୁ ଗିରଫ କରିଛି, ଯେଉଁମାନେ ଜୈସ-ଏ-ମହମ୍ମଦର ଆତଙ୍କବାଦୀ ମଡ୍ୟୁଲ୍‌ ସହ ଜଡ଼ିତ ଥିବା ସନ୍ଦେହ କରାଯାଉଛି। ଗିରଫ ଡାକ୍ତରମାନେ ହେଲେ-
ଡ. ଉମର ଉଲ ନବୀ ଦାର୍‌: ପୁଲୱାମାରେ ଜନ୍ମ, ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ, ସନ୍ଦିଗ୍ଧ ଗାଡ଼ି ସହ ଜଡ଼ିତ।
ଡ. ପରଭେଜ ଅନ୍‌ସାରୀ: ଅଲ୍‌-ଫଲାହ ହସ୍ପିଟାଲରେ କାର୍ଯ୍ୟରତ, ଫରିଦାବାଦ ମଡ୍ୟୁଲ୍‌ ସହ ସିଧାସଳଖ ସଂପୃକ୍ତ।
ଡ. ସଜାଦ ଅହମଦ ମଲ୍ଲା: ପୁଲୱାମାର ବାସିନ୍ଦା ଏବଂ ଜମ୍ମୁ ଓ କାଶ୍ମୀରରୁ ଗିରଫ, ଅଲ-ଫଲାହ କର୍ମଚାରୀଙ୍କ ସହ ଘନିଷ୍ଠ ସମ୍ପର୍କ।
ଏହା ପୂର୍ବରୁ ଡାକ୍ତର ମୁଜାମ୍ମିଲ ଶାକିଲ (ଗଣାଇ), ଡାକ୍ତର ଶାହୀନ ଶାହିଦ ଓ ଡାକ୍ତର ଅଦୀଲ ଅହମଦ ରାଥରଙ୍କୁ ଗିରଫ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ଡାକ୍ତର ମହମ୍ମଦ ଉମର ବିସ୍ଫୋରଣ ଘଟାଇଥିବା ବିଶ୍ୱାସ କରାଯାଉଛି। ୬ଟି ସ୍ବତନ୍ତ୍ର ଟିମ୍‌ ଏହି ମାମଲାର ତଦନ୍ତ ଅଭିଯାନକୁ ତ୍ବରାନ୍ବିତ କରୁଛନ୍ତି। ଖୁବ୍‌ଶୀଘ୍ର ସମଗ୍ର ଆତଙ୍କୀ ନେଟ୍‌ୱର୍କର ପର୍ଦ୍ଦାଫାସ ହେବାର ସମ୍ଭାବନା ରହିଛି।

‘ନିସ୍ତାର ନାହିଁ’

ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ  ଭୟଙ୍କର ଆତ୍ମଘାତୀ କାର୍‌ ବିସ୍ଫୋରଣ  ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି  ଘୋଷଣା କରିଛନ୍ତି ଯେ ଏହା ପଛରେ ଥିବା ଷଡ୍‌ଯନ୍ତ୍ରକାରୀମାନଙ୍କୁ ଛଡ଼ାଯିବ ନାହିଁ। ‌କୌଣସି ଦୋଷୀ ନିସ୍ତାର ପାଇବେ ନାହିଁ ଏବଂ ସମସ୍ତଙ୍କୁ ନ୍ୟାୟର ସମ୍ମୁଖୀନ ହେବାକୁ ପଡ଼ିବ।
ମଙ୍ଗଳବାର, ଭୁଟାନ୍  ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଏକ ଜନସଭାରେ  ଏହି ଆକ୍ରମଣକୁ ‘ଭୟଙ୍କର’ ବୋଲି ବର୍ଣ୍ଣନା କରି   କହିଥିଲେ ଯେ ‘ସମଗ୍ର ଦେଶ ଆଜି ପୀଡ଼ିତଙ୍କ ପରିବାର ସହ ଅଛି। ମୁଁ ଗତ ରାତିସାରା ତଦନ୍ତକାରୀ ସଂସ୍ଥାମାନଙ୍କ ସହ ଯୋଗାଯୋଗରେ ଥିଲି।’ ଏପ୍ରିଲ ୨୦୨୫ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଇଥିବା ବକ୍ତବ୍ୟର ସମାନତା ରଖି ପ୍ରଧାନମନ୍ତ୍ରୀ ଆଜି  ଇଂରାଜୀରେ ଏକ ଦୃଢ଼ ଚେତାବନୀ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି  ଭାଷା ପରିବର୍ତ୍ତନକୁ ବିଶ୍ଳେଷକମାନେ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଭାବେ ଦେଖୁଛନ୍ତି।  ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଓ ପାକ୍‌ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ବିରୋଧରେ ଭାରତର ଅପରେସନ୍‌ ସିନ୍ଦୂର ପରି ସାମରିକ କାର୍ଯ୍ୟାନୁଷ୍ଠାନର ସମ୍ଭାବନାକୁ ମଧ୍ୟ ଏହା ଇଙ୍ଗିତ କରୁଛି।