କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ଶିଶୁ କନ୍ୟା ସମେତ ୪ ଆହତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ସୋପୁର ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ଜଣେ ୨ ବର୍ଷୀୟା ଶିଶୁକନ୍ୟା ସମେତ ୪ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯା‌ୟୀ ଜଣେ ଫଳ ବ୍ୟବସାୟୀଙ୍କ ଘର ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ସାଧାରଣ ଲୋକ‌େ ଦୋକାନ ବଜାର ବନ୍ଦ କରନ୍ତୁ ବୋଲି ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ଦାବି କରିଛନ୍ତି। ହମିଦୁଲା ରାଥର୍‌ ନାମକ ଜଣେ ବ୍ୟକ୍ତିଙ୍କୁ ଆତଙ୍କବାଦୀମାନେ ଦୋକାନ ବନ୍ଦ କରିବାକୁ କହିଥିଲେ। କିନ୍ତୁ ସେ ଦୋକାନ ବନ୍ଦ ନକରିବାରୁ ଆତଙ୍କବାଦୀନେ ତାଙ୍କ ଘରେ ପଶି ଗୁଳି ଚାଳନା କରିଥିଲେ। ଫଳରେ ଏକ ଶିଶୁ କନ୍ୟା ସମେତ ପରିବାରର ୪ ଜଣ ସଦସ୍ୟ ଆହତ ‌ହୋଇଛନ୍ତି। ସମସ୍ତେ ଏବେ ଚିକିତ୍ସାଧୀନ ଅଛନ୍ତି। କିନ୍ତୁ ଶିଶୁ କନ୍ୟାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏନ୍‌ଏସଏ (ଜାତୀୟ ସୁରକ୍ଷା ପରାମର୍ଶଦାତା) ଅଜିତ ଡୋଭାଲ ଆହତ ଶିଶୁକନ୍ୟାକୁ ଦିଲ୍ଳୀ ଏମ୍ସକୁ ସ୍ଥାନାନ୍ତର କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଶ୍ରୀନଗର ଡିଏମ୍‌ ଶାହିଦ ଚୌଧୁରୀ କହିଛନ୍ତି, ୨ ବର୍ଷୀୟା ଶିଶୁର ଉତ୍ତମ ଚିକିତ୍ସା ପାଇଁ ତାକୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ପ୍ରୟାସ ଜାରି ରହିଛି। ‌ତେବେ ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି ‌ଯେ ପାକିସ୍ତାନ କଶ୍ମୀରକୁ ଆତଙ୍କବାଦୀ ପ୍ରବେଶ କରାଇବା ପାଇଁ ନିୟମିତ ପ୍ରୟାସ ଜାରି ରଖିଛି।

ସମ୍ବନ୍ଧିତ ଖବର