ଶିଖ୍‌ ଯୁବତୀଙ୍କୁ ଅପହରଣ ଓ ବଳପୂର୍ବକ ଧର୍ମ ପରିବର୍ତ୍ତନ ପରେ ପାକିସ୍ତାନ ଗୁରୁଦ୍ବାର‌ାରେ ଆକ୍ରମଣ, ଇମ୍ରାନଙ୍କ ହସ୍ତକ୍ଷେପ ଲୋଡ଼ିଲେ ଅମରିନ୍ଦର

ଇସଲାମାବାଦ୍‌: ପାକିସ୍ତାନର ଗୁରୁଦ୍ବାରା ନନ୍‌କାନା ସାହେବରେ ଆଜି ଶତାଧିକ ଉପଦ୍ରବକାରୀ ପଥର ମାଡ଼ କରିଛନ୍ତି। ରିପୋର୍ଟ ଅନୁଯାୟୀ ମହମ୍ମଦ ହାସନ ନାମକ ଜଣେ ବ୍ୟକ୍ତିଙ୍କ ପରିବାରର ନେତୃତ୍ବରେ ସ୍ଥାନୀୟ ଯୁବକମାନେ ଗୁରୁଦ୍ବାରରେ ପ୍ରବଳ ପଥର ମାଡ଼ କରିବା ସହ ଗୁରୁଦ୍ବାର ଭାଙ୍ଗି ଦେବାକୁ ଧମକ ଦେଇଛନ୍ତି। ମହମ୍ମଦ ହାସନ୍‌ ନାମକ ଯୁବକ ଜଗଜିତ କୌର ନାମ୍ନୀ ଜଣେ ଶିଖ୍‌ ଯୁବତୀଙ୍କୁ ଅପହରଣ ପରେ ତାକୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଇ ବିବାହ କରିଥିଲା। ତେବେ ଶିଖ୍‌ମାନେ ଏହାକୁ ବିରୋଧ କରିବାରୁ ସ୍ଥାନୀୟ ମୁସ୍‌ଲିମ ଯୁବକମାନେ ପ୍ରବଳ ପଥର ମାଡ଼ କରିଛନ୍ତି। ସେମାନେ ଗୁରୁଦ୍ବାରା ଭାଙ୍ଗିଦେବେ ବୋଲି ଧମକ ଦେଇଛନ୍ତି ଏବଂ ନାନ୍‌କନାରେ କୌଣସି ଜଣେ ହେଲେ ଶିଖ୍‌ ରହିବେ ନାହିଁ ବୋଲି ଧମକ ଦେଇଛନ୍ତି। ନନ୍‌କାନା ସା‌ହେବର ନାମ ପରିବର୍ତ୍ତନ କରି ସେମାନେ ଗୁଲାମ୍‌ ଏ ମୁସ୍ତାଫା ରଖିବେ ବୋଲି କହିଛନ୍ତି। ଭାରତ ଉକ୍ତ ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ପାକିସ୍ତାନ ସରକାର ତତ୍କାଳ ପଦକ୍ଷେପ ଗ୍ରହଣ କରିବାପାଇଁ ଭାରତ ପକ୍ଷରୁ କୁହାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଉକ୍ତ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାପାଇଁ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର