ଶ୍ରୀଲଙ୍କା ଆତ୍ମଘାତୀ ବିସ୍ଫୋରଣ, ଟାର୍ଗେଟ୍‌ରେ ଥିଲା ଭାରତୀୟ ଦୂତାବାସ!

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ସିରିଜ ଆତ୍ମଘାତୀ ବିସ୍ଫୋରଣରେ ୨୧୫ ଜଣ ନିହତ ହୋଇଛନ୍ତି। ରବିବାର ଇଷ୍ଟର ପର୍ବ ପାଳନ ବେଳେ ବିଭିନ୍ନ ଗିର୍ଜାଘରକୁ ଟାର୍ଗେଟ କରାଯାଇଛି। ଏହି ବିସ୍ଫୋରଣରେ ତିନି ଜଣ ଭାରତୀୟ ପ୍ରାଣ ହରାଇଥିବା ଜଣାପଡ଼ିଛି। ତେବେ ଆକ୍ରମଣକାରୀଙ୍କ ଟାର୍ଗେଟରେ କଳମ୍ବୋସ୍ଥିତ ଭାରତୀୟ ଦୂତାବାସ ଥିଲା ବୋଲି ଗୁଇନ୍ଦା ସୂଚନାରୁ ଜଣାପଡ଼ିଛି। ଶ୍ରୀଲଙ୍କା ସିରିଜ ବିସ୍ଫୋରଣ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ଯାହା ଭାରତ ପାଇଁ ଅତ୍ୟନ୍ତ ଚିନ୍ତାଜନକ ହୋଇଥିବା କୁହାଯାଉଛି। ସୂଚନା ମୁତାବକ, ଏହି ସିରିଜ ଆତ୍ମଘାତୀ ବିସ୍ଫୋରଣର ୧୦ ଦିନ ପୂର୍ବରୁ ଶ୍ରୀଲଙ୍କା ପୋଲିସ ମୁଖ୍ୟ ଗୁଇନ୍ଦା ସୂଚନାକୁ ଆଧାର କରି ଜାତୀୟ ସ୍ତର‌େର ସତର୍କ ସୂଚନା ଜାରି କରିଥିଲେ। ନେସ୍‌ନାଲ ଥୋହିଥ ଯମାଥ (ଏନଟିଜେ) ନାମକ ସଂଗଠନ ଦେଶରେ ଥିବା ବିଭିନ୍ନ ପ୍ରମୁଖ ଗିର୍ଜା ଉପରେ ଆତ୍ମଘାତୀ ଆକ୍ରମଣ କରିପାରନ୍ତି ବୋଲି ପୋଲିସ ମୁଖ୍ୟ ପୂଜୁଥ ଜୟସୁନ୍ଦର ସତର୍କବାଣୀ ଜାରି କରିଥିଲେ। ଗିର୍ଜା ବ୍ୟତୀତ ଉକ୍ତ ସଂଗଠନର ଟାର୍ଗେଟରେ କଲମ୍ବୋର ଭାରତୀୟ ଦୂତାବାସ କାର୍ଯ୍ୟାଳୟ ଥିବା ମଧ୍ୟ ଉଲ୍ଲେଖ କରିଥିଲେ। ଏକ ଅନ୍ତର୍ଜାତୀୟ ଗୁଇନ୍ଦା ସଂସ୍ଥାର ସୂଚନାକୁ ଆଧାର କରି ଶ୍ରୀଲଙ୍କା ପୋଲିସ ମୁଖ୍ୟ ଏପ୍ରିଲ୧୧ରେ ଏଭଳି ସତର୍କବାଣୀ କରିଥିବା ତଥ୍ୟ ଏବେ ପ୍ରକାଶ ପାଇଛି।

ସ୍ମରଣଯୋଗ୍ୟ, ବୌଦ୍ଧମୂର୍ତ୍ତି ଭଙ୍ଗାରୁଜା ଘଟଣା ପରେ ଗତ ବର୍ଷ କଠୋରପନ୍ଥୀ ସଂଗଠନ ଏନ୍‌ଟିଜେ ଲୋକଲୋଚନକୁ ଆସିଥିଲା। ତେବ ଭାରତ ତରଫରୁ ଏହି ଗୁଇନ୍ଦା ସୂଚନାକୁ ଅତି ଗୁରୁତର ସହ ନିଆଯାଇଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆଜି ଏକ ବୈଠକ ଡକାଯାଇ ସମୀକ୍ଷା କରାଯାଇଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏକ ଟ୍ୱିଟ୍‌ ମାଧ୍ୟମରେ କହିଛନ୍ତି, ସେ କଲମ୍ବୋରେ ଥିବା ଭାରତୀୟ ହାଇ କମିସନଙ୍କ ସହ ନିରନ୍ତର ସମ୍ପର୍କରେ ଅଛନ୍ତି। ଏହି ପରିସ୍ଥିତି ଉପରେ କଡା ନଜର ରଖାଯାଇଛି ବୋଲି ସୁଷମା ସୂଚନା ଦେଇଛନ୍ତି। ଶ୍ରୀଲଙ୍କାର ଗୃହଯୁଦ୍ଧ ବେଳେ ସେଠାରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ପକ୍ଷରୁ ହସ୍ତକ୍ଷେପ କରାଯାଇଥିଲା। ଭାରତ ପକ୍ଷରୁ ଶାନ୍ତି ସେନାକୁ ଶ୍ରୀଲଙ୍କାରେ ନିୟୋଜିତ କରାଯାଇଥିଲା। ଉକ୍ତ ଗୃହଯୁଦ୍ଧ ୧୦ ବର୍ଷ ତଳୁ ସମାପ୍ତପ୍ରାୟ ହୋଇଯଇଥିବା ବେଳେ ଏବେ ଆତ୍ମଘାତୀ ଆକ୍ରମଣକାରୀଙ୍କ ଟାର୍ଗେଟରେ ଭାରତୀୟ ଦୂତାବାସ କାର୍ଯ୍ୟାଳୟ ଥିବା ଗୁଇନ୍ଦା ସୂଚନା ମିଳିଛି।

ଶ୍ରୀଲଙ୍କାରେ ସଂଖ୍ୟାଲଘୁ ସମ୍ପ୍ରଦାୟ
ଶ୍ରୀଲଙ୍କାର ମୋଟ ଜନସଂଖ୍ୟା ମଧ୍ୟରୁ ଅଧିକାଂଶ ବୌଦ୍ଧଧର୍ମାଲମ୍ବି ହୋଇଥିବା ବେଳେ ସଂଖ୍ୟାଲଘୁ ହିନ୍ଦୁ, ମୁସଲିମ ଏବଂ ଖ୍ରୀଷ୍ଟିଆନ ମଧ୍ୟ ବସବାସ କରନ୍ତି। ୨୦୧୨ ଶ୍ରୀଲଙ୍କା ଜନଗଣନା ତଥ୍ୟ ଅନୁଯାୟୀ, ଦେଶର ମୋଟ ଜନସଂଖ୍ୟାର ୧୨.୬ ପ୍ରତିଶତ ହିନ୍ଦୁ, ୯.୭ ପ୍ରତିଶତ ମୁସଲିମ ଏବଂ ୭.୬ ପ୍ରତିଶତ ଖ୍ରୀଷ୍ଟୀଆନ।

ମୃତକଙ୍କ ମଧ୍ୟରେ ଭାରତର ରାଜିନା
ମାଙ୍ଗାଲୁରୁ: ରବିବାର ଶ୍ରୀଲଙ୍କାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୨୦୭ ନିହତ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ମହିଳା ଥିବା ଜଣାପଡିଛି। ମୃତକ ମାଙ୍ଗାଲୁରୁ ନିବାସୀ ଅବଦୁଲ ଖାଦେର କୁକ୍କଡିଙ୍କ ସ୍ତ୍ରୀ। ଅବଦୁଲ ଦୁବାଇର ଏକ କମ୍ପାନୀରେ କାର୍ଯ୍ୟରତ ଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀ ଛୁଟି କାଟିବାକୁ ଶ୍ରୀଲଙ୍କା ଯାଇଥିଲେ। ଶ୍ରୀଲଙ୍କାରେ ରାଜିନାଙ୍କ ସମ୍ପର୍କୀୟ ରହୁଛନ୍ତି। ରବିବାର ସକାଳୁ ତାଙ୍କ ସ୍ୱାମୀ ଦୁବାଇ ଚାଲିଯାଇଥିଲେ ଏବଂ ରାଜିନା କଲମ୍ବୋ ସ୍ଥିତ ସାଙ୍ଗରିଲା ହୋଟେଲରେ ରହିଯାଇଥିଲେ। ରବିବାର ସାଙ୍ଗରିଲା ହୋଟେଲରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ସେ ମୃତ୍ୟୁବରଣ କରିଥିବା ସୂଚନା ମିଳିବ ପରେ ତାଙ୍କ ସ୍ୱାମୀ ଦୁବାଇରୁ ଫେରିଥିବା ଜଣାପଡିଛିI

ବିସ୍ଫୋରଣରେ ଟିଡିପି ନେତା ଆହତ
ଅନନ୍ତପୁର: ଶ୍ରୀଲଙ୍କା ଆତ୍ମଘାତୀ ବିସ୍ଫୋରଣରେ ଜଣେ ଟିଡ଼ିପି ନେତାଙ୍କ ସମେତ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ପୋଲିସ ଏସ୍‌ପି ଜିଭିଜି ଅଶୋକ କୁମାରଙ୍କ ସୂଚନା ଅନୁଯାୟୀ, ଟିଡ଼ିପି ନେତା ସୁରେନ୍ଦ୍ରବାବୁ ତାଙ୍କର କିଛି ସହଯୋଗୀଙ୍କ ସହ କଲମ୍ବୋ ସ୍ଥିତ ସାଙ୍ଗରିଲା ହୋଟେଲରେ ରହୁଥିଲେ। ରବିବାର ସକାଳୁ ସେମାନେ ଜଳପାନ କରୁଥିବା ବେଳେ ଅଚାନକ ବିସ୍ଫୋରଣ ହୋଇଥିଲା। ସୁରେନ୍ଦ୍ର ହୋଟେଲର ଜରୁରୀକାଳୀନ କବାଟ ଦେଇ ବାହାରକୁ ଚାଲିଯାଇ ବିସ୍ଫୋରଣରୁ ବର୍ତ୍ତିଯାଇଥିଲେ। ତେବେ ତାଙ୍କ ନାକରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ଅନ୍ୟ ସହଯୋଗୀମାନେ ସୁରକ୍ଷିତ ଥିବା ପ୍ରକାଶ।

 

ସମ୍ବନ୍ଧିତ ଖବର