ଆଫଗାନ ପୁଲିସ ମୁଖ୍ୟାଳୟରେ ତାଲିବାନ ହମ୍‌ଲା: ୫୦ ମୃତ, ୨୦୦ରୁ ଅଧିକ ଆହତ

କାବୁଲ(ଆଫଗାନିସ୍ତାନ): ଆଫଗାନିସ୍ତାନର ପାକ୍ତିଆ ପ୍ରଦେଶର ରାଜଧାନୀ ସହର ଗାର୍ଦଜ୍‌ ସ୍ଥିତ ପୁଲିସ ମୁଖ୍ୟାଳୟ ନିକଟରେ ଏକ ଆତ୍ମଘାତୀ କାର ବିସ୍ଫୋରଣ ଏବଂ ଭିତରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ଅତି କମ୍‌ରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଆତଙ୍କବାଦୀ ସଂଗଠନ ତାଲିବାନ ନିଜକୁ ଏଥିପାଇଁ ଦାୟୀ କରିଥିବା ବେଳେ ଆଫଗାନ ସୁରକ୍ଷା କର୍ମୀଙ୍କ ଉପରେ ଏହା ସଦ୍ୟତମ ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି।
ମୃତାହତଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ନାଗରିକ ଥିବା ଜଣାଯାଇଛି। ଲୋକେ ନିଜର ପାସ୍‌ପୋର୍ଟ ଏବଂ ପରିଚୟପତ୍ର ନେବା ପାଇଁ ପୁଲିସ ମୁଖ୍ୟାଳୟକୁ ଆସିଥିବା ବେଳେ ଏହି ଆତ୍ମଘାତୀ ଆକ୍ରମଣର ଶିକାର ହୋଇଛନ୍ତି। ପ୍ରଥମେ ପୁଲିସ ମୁଖ୍ୟାଳୟ ବାହାରେ ଏକ କାର୍‌ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ସାରା ଅଞ୍ଚଳ ଧୂଳି ଆଉ ଧୂଆଁରେ ଛାଇ ଯାଇଥିବା ବେଳେ ସୁରକ୍ଷା କର୍ମଚାରୀଙ୍କ ନଜର ସେଆଡ଼କୁ ରହିଥିଲା। ଏହି ସମୟରେ ବନ୍ଧୁକଧାରୀ ଆକ୍ରମଣକାରୀମାନେ କାର୍ଯ୍ୟାଳୟ ଭିତରେ ପଶି ଆଖିବୁଜା ଗୁଳି ଚଳାଇଥିଲେ। ତେବେ ସୁରକ୍ଷା କର୍ମୀଙ୍କ ସହ ୫ ଘଣ୍ଟା ଧରି ପାଲଟା ଜବାବରେ ୫ ଜଣ ଯାକ ଆକ୍ରମଣକାରୀ ନିହତ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର