ସେନା କ୍ୟାମ୍ପ୍‌ରେ ଆକ୍ରମଣ

୨ ଯବାନ ସହିଦ, ୩ ଆତଙ୍କବାଦୀ ନିପାତ ଜେଇଏମ୍‌ ନିଜକୁ ଦାୟୀ କଲା

ଶ୍ରୀନଗର: ଜମ୍ମୁ-କଶ୍ମୀରର ସୁଞ୍ଜଓ୍ଵାନ୍‌ ସ୍ଥିତ ସେନା କ୍ୟାମ୍ପ ଉପରେ ଆଜି ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ଜେସିଓଙ୍କ ସମେତ ଦୁଇଜଣ ଯବାନ ସହିଦ ହୋଇଯାଇଥିବା ବେଳେ ଜଣେ କର୍ଣ୍ଣେଲଙ୍କ ସମେତ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ତିନିଜଣ ଶିଶୁ ଥିବା ଜଣାପଡ଼ିଛି। ୨ ଜଣ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସେନା ସୂତ୍ରରୁ ଜଣାପଡ଼ିଛି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଆକ୍ରମଣରେ ସାମିଲ ୩ ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ନିପାତ ହୋଇଛନ୍ତି। ଘଟଣାସ୍ଥଳରେ ଆହୁରି ୨-୩ଜଣ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି। ସିଆର୍‌ପିଏଫ୍‌ , ଏସ୍‌ଓଜି ଏବଂ ପାରା କମାଣ୍ଡୋ ମଧ୍ୟ ଏହି ଅପରେସନରେ ସାମିଲ ହୋଇଛନ୍ତି। ଜମ୍ମୁ-ପଠାନ୍‌କୋଟ ଜାତୀୟ ରାଜପଥ କଡ଼ରେ ଥିବା ସୁଞ୍ଜଓ୍ଵାନ୍‌ ସେନା କ୍ୟାମ୍ପ ମଧ୍ୟକୁ ଭୋର୍‌ ୫ଟା ବେଳେ ୪-୫ ଜଣ ଆତଙ୍କବାଦୀ ସେନା ପୋଷକରେ ପ୍ରବେଶ କରିଥିଲେ। କ୍ୟାମ୍ପ ଗେଟ୍‌ରେ ନିଯୁକ୍ତ ଥିବା ସେଣ୍ଟ୍ରି ସେମାନଙ୍କର ଗତିବିଧି ଉପରେ ସନ୍ଦେହ କରି ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ। ସେନା ଏ ବାବଦରେ ପ୍ରସ୍ତୁତ ହେବା ପୂର୍ବରୁ ସଶସ୍ତ୍ର ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀମାନେ ଯବାନଙ୍କ ଉପରେ ଆକ୍ରମଣ କରି କ୍ୟାମ୍ପର ପଛପାର୍ଶ୍ୱକୁ ଲାଗି ରହିଥିବା ସେନାର ଫ୍ୟାମିଲି କ୍ୱାର୍ଟର୍ସ ମଧ୍ୟକୁ ପଶିଯାଇଥିଲେ। ଆତଙ୍କବାଦୀଙ୍କ ଗୁଳିରେ ଜେସିଓ ମଦନ ଲାଲ ଚୌଧୁରୀ ଏବଂ ସୁବେଦାର ମହମ୍ମଦ ଅସରଫ୍‌ ମୀର ସହିଦ୍‌ ହୋଇଯାଇଥିବା ବେଳେ ଗ୍ରେନେଡ ଆକ୍ରମଣରେ ଜଣେ କର୍ଣ୍ଣେଲଙ୍କ ସମେତ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଗତକାଲି ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ତଥା ୨୦୦୧ ସଂସଦ ଭବନ ଆକ୍ରମଣର ମାଷ୍ଟରମାଇଣ୍ଡ ଅଫଜଲ ଗୁରୁର ପଞ୍ଚମ ଶ୍ରାଦ୍ଧବାର୍ଷିକୀ ଥିବାରୁ ଏହାକୁ କଳାଦିନ ଭାବେ ପାଳନ କରିବାକୁ ଜେଇଏମ୍‌ ଘୋଷଣା କରିଥିଲା।

କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ, ଭାରତୀୟ ସେନା କେବେ ବି ଦେଶବାସୀଙ୍କ ମୁଣ୍ଡ ତଳକୁ ହେବାକୁ ଦେବନାହିଁ। ସେନା ଏହାର କଡ଼ା ଜବାବ୍‌ ଦେବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏହି ଘଟଣାରେ ଚିନ୍ତା ବ୍ୟକ୍ତ କରିବା ସହ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି। ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏହି ବୈଠକ ହୋଇଥିବା ସୂଚନା ମିଳିଛି। ପରିସ୍ଥିତିକୁ ଦେଖି ଜମ୍ମୁ-କଶ୍ମୀରର ସୁଞ୍ଜଓ୍ଵାନ୍‌ ଅଞ୍ଚଳରେ ଥିବା ସମସ୍ତ ସ୍କୁଲ ବନ୍ଦ କରି ଦିଆଯାଇଥିବା ବେଳେ ସାରା ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ମାତ୍ର ୪ ଦିନ ପୂର୍ବେ ଲସ୍କର ଆତଙ୍କବାଦୀ ନାଭିଦ୍‌ ଜାଟ୍‌ ଶ୍ରୀନଗରର ମହାରାଜା ହରି ସିଂ ହସ୍ପିଟାଲରେ ୨ ପୁଲିସ କର୍ମଚାରୀଙ୍କୁ ହତ୍ୟା କରି ଫେରାର୍‌ ହୋଇଯିବା ପରେ ଏଭଳି ଆକ୍ରମଣ ଦୁର୍ବଳ ଗୁଇନ୍ଦା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି। ୨୦୦୦ ମସିହା ପରେ ସୁଞ୍ଜଓ୍ଵାନ୍‌ସେନା କ୍ୟାମ୍ପ ଉପରେ ଏହା ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ ବୋଲି ଜଣାପଡ଼ିଛି।

ସେନା ଶିବିରର ସୁରକ୍ଷା ଚିନ୍ତା
ଅର୍ଥ ମଂଜୁର ପାଇଁ ସରକାରଙ୍କ ଟାଳଟୁଳ ନୀତି

ଶ୍ରୀନଗର: ଆଜି ଜମ୍ମୁ-କଶ୍ମୀରର ସୁଞ୍ଜଓ୍ଵାନା ସେନା ଶିବିରରେ ଆକ୍ରମଣକୁ ମିଶାଇ ଗତ ଦେଢବର୍ଷ ମଧ୍ୟରେ ୭ଥର ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇସାରିଛି। ଦେଶକୁ ସୁରକ୍ଷା ଦେଉଥିବା ସେନାଏବେ ଖୋଦ୍‌ ନିଜ ଶିବିରର ସୁରକ୍ଷା ନେଇ ଚିନ୍ତିତ ରହିଛି। ସେନା ଶିବି ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ନିମନ୍ତେ ଅତ୍ୟାଧୁନିକ ବୈଷୟିକ ବ୍ୟବସ୍ଥାର ଆବଶ୍ୟକତା ରହିଛି। କିନ୍ତୁ କେନ୍ଦ୍ର ସରକାର ଏହି ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ଅର୍ଥ ଦେବାରେ ଟାଳଟୁଳ ନୀତି ଧରିଥିବା ଜଣାପଡ଼ିଛି। ୨୦୧୬ ମସିହା ଜାନୁଆରି ମାସରେ ପଠାନ୍‌କୋଟ ବାୟୁସେନା ଘାଟିରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ଏହାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ତତ୍କାଳୀନ ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫିଲିପ୍‌ କମ୍ପୋଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଠାବ କରିବାର ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟକୁ ଅବଗତ କରାଇଥିଲେ। ଏଥିପାଇଁ ସେନାକୁ ୨ହଜାର କୋଟିର ଅର୍ଥ ମଞ୍ଜୁର କରିବା ପାଇଁ ମଧ୍ୟ କମିଟି ସରକାରଙ୍କ ନିକଟରେ ଦାବି କରିଥିଲା। କିନ୍ତୁ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଅର୍ଥ ମଞ୍ଜୁର କରିବାକୁ ମନା କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ବର୍ଦ୍ଧିତ ଆକ୍ରମଣକୁ ଦେଖି ସରକାର ଚଳିତବର୍ଷ ୧୪୮୭କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ସମ୍ବନ୍ଧିତ ଖବର