ସୁଞ୍ଜଓ୍ଵାନ୍‌ ସେନା କ୍ୟାମ୍ପ୍‌ ଆକ୍ରମଣ ୨ ଦିନରେ ୫ ସହିଦ

ଶ୍ରୀନଗର: ଜମ୍ମୁ-କଶ୍ମୀରର ସୁଞ୍ଜଓ୍ଵାନ ସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିବା ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଗତକାଲି ଭୋର୍‌ରୁ ଚାଲିଥିବା ଅପରେସନ ଆଜି ରାତି ପର୍ଯ୍ୟନ୍ତ ବଳବତ୍ତର ରହିଛି । ଅଦ୍ୟାବଧି ୫ ଜଣ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଆହୁରି ଜଣେ ଦୁଇଜଣ ଆତଙ୍କବାଦୀ ଲୁଚି ରହିଥିବାରୁ ଅପରେସନ୍‌ ଜାରି ରହିଛି । ଗତକାଲି ଜଣେ ଜେସିଓ ଓ ଜଣେ ଯବାନ ସହିଦ ହୋଇଥିବା ବେଳେ ଆଜି ଆଉ ୩ ଯବାନ ଆତଙ୍କବାଦୀଙ୍କ ମୁକାବିଲା କରି ସହିଦ ହୋଇଯାଇଛନ୍ତି। ସେନା କ୍ୱାର୍ଟର ଅଂଚଳରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ ଯୋଗୁଁ ଜଣେ ଲାନ୍‌୍‌ସ ନାଏକଙ୍କ ପିତା ମଧ୍ୟ ପ୍ରାଣ ହରାଇଥିବା ଜଣାପଡ଼ିଛି। ଆହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଁ ୧୨ରେ ପହଞ୍ଚିଛି। ଗତରାତିରେ ଲୁଚିଥିବା ଆତଙ୍କବାଦୀଙ୍କୁ ଠାବ କରିବା ସମ୍ଭବ ହୋଇନଥିବା ବେଳେ ଆଜି ଭୋର୍‌ରୁ ଅପରେସନ ଜୋର୍‌ଦାର ହୋଇଥିଲା। ଆତଙ୍କବାଦୀମାନେ ଲୁଚି ରହି ମଝିରେ ମଝିରେ ଗୁଳିମାଡ଼ କରୁଥିବା ବେଳେ ଯବାନଙ୍କ ପରିବାର ଥିବା କ୍ୱାର୍ଟରଗୁଡ଼ିକୁ ସିଆରପିଏଫ୍‌,ଏସ୍‌ଓଜି, ପାରା କମାଣ୍ଡୋ ଓ ଜମ୍ମୁ-କଶ୍ମୀର ପୁଲିସ୍‌ ଘେରି ରହିଛନ୍ତି। ସେନାମୁଖ୍ୟ ବିପିନ୍‌ ରାଓ୍ଵତ୍‌ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ସୁଞ୍ଜଓ୍ଵାନ କ୍ୟାମ୍ପ୍‌ରେ ପହଞ୍ଚିଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)ର ଏକ ସ୍ୱତନ୍ତ୍ର ଟିମ୍‌ ମଧ୍ୟ ଉକ୍ତ କ୍ୟାମ୍ପ ପରିସରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୨୦୧୬ ମସିହାରେ ଉରି ଆକ୍ରମଣ ଘଟଣା ପରେ ସେନା କ୍ୟାମ୍ପ ଉପରେ ଏହା ଦ୍ୱିତୀୟ ବଡ଼ ଆତଙ୍କବାଦୀ ଅକ୍ରମଣ ବୋଲି ସେନା ମତବ୍ୟକ୍ତ କରିଛି। ଆତଙ୍କବାଦୀ ନିପାତ ଅଭିଯାନ ଜାରି ରହିଥିବାରୁ ଏନେଇ କୌଣସି ବିବୃତି ଦେବା ଉଚିିତ୍‌ ନୁହେଁ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ତେବେ ସେନ ଏହି ଆକ୍ରମଣର ସଫଳ ମୁକାବିଲା କରୁଛି ବୋଲି ସେ ସେ କହିଛନ୍ତି। ଯଥାଶୀଘ୍ର ସମ୍ଭବ ଏହି ଅଭିଯାନକୁ ଶେଷ କରିବା ପାଇଁ ସେନା ଓ ଜମ୍ମୁ-କଶ୍ମୀର ପୁଲିସ୍‌ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଜମ୍ମୁ ଆଇଜି ଏସ୍‌ଡି ସିଂହ ଜାମ୍‌ଓ୍ଵାଲ କହିଛନ୍ତି। ଭାରତ ସହ ମୁହାଁମୁହିଁ ହେବାର ସାହସ ପାକିସ୍ତାନ ପାଖରେ ନଥିବାରୁ ଆତଙ୍କବାଦୀଙ୍କୁ ପଠାଇ ଏଭଳି କାପୁରୁଷୋଚିତ କାଣ୍ଡ କରୁଥିବା ଜମ୍ମୁ-କଶ୍ମୀର ଉପ ମୁଖ୍ୟମନ୍ତ୍ରୀ ନିର୍ମଳ ସିଂ କହିଛନ୍ତି। ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଦେବେନ୍ଦ୍ର ଆନନ୍ଦଙ୍କ ସୂଚନା ମୁତାବକ ମୃତ ଆତଙ୍କବାଦୀଙ୍କ ନିକଟରୁ ଏକେ-୫୬ ରାଇଫଲ, ବିପୁଳ ମାତ୍ରାରେ ଅଣ୍ଡର ବ୍ୟାରେଲ ଗ୍ରେନେଡ ଲଞ୍ଚର, ହ୍ୟାଣ୍ଡ ଗେନେଡ ଓ ଗୁଳିଗୋଳା ଜବତ କରାଯାଇଛି। ଆବାସିକ ଅଂଚଳ ମଧ୍ୟରୁ ସେନା କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ଦ୍ୱିତୀୟ ଦିନର ସେନାର ଅପରେସନରେ ହାବିଲଦାର ହବିବ୍‌ ଉଲ୍ଲା କ୍ୟୁରେସି , ଏନ୍‌କେ ମଞ୍ଜୁର ଅହମ୍ମଦ ଓ ଲାନ୍ସ ନାଏକ ମହମ୍ମଦ ଇକ୍‌ବାଲ ସହିଦ ହୋଇଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ଲାନ୍ସ ନାଏକ୍‌ ମହମ୍ମଦ ଇକ୍‌ବାଲଙ୍କ ପିତା ପ୍ରାଣ ହରାଇଛି। ଜାତୀୟ ରାଜପଥ କଡ଼ରେ ଥିବା ଏହି କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ଜାରି ରଖିଥିବାରୁ ଏହି ରାସ୍ତା ଦେଇ ସାଧାରଣ ଲୋକେ ଯିବା ଆସିବା କରିବାକୁ ଭୟ କରୁଛନ୍ତି। ଯବାନମାନେ ବୁଲେଟ ପ୍ରୁଫ୍‌ ଜ୍ୟାକେଟ୍‌ ପିନ୍ଧି ଜମ୍ମୁ-ପଠାନ୍‌କୋଟ ଜାତୀୟ ରାଜପଥରେ ମଧ୍ୟ ତନଖି ଆରମ୍ଭ କରିଦେଇଛନ୍ତି। ଉଦ୍ଧାମପୁର ଓ ଶ୍ରୀନଗରର ବାଦ୍‌ମୀ ବାଗ୍‌ କ୍ୟାଣ୍ଟନମେଣ୍ଟ ପରେ ସୁଞ୍ଜଓ୍ଵାନା ହେଉଛି ଜମ୍ମୁ-କଶ୍ମୀରର ତୃତୀୟ ବୃହତ୍‌ ସେନା କ୍ୟାମ୍ପ । ଏହି ଆକ୍ରମଣ ପରେ ପୁଣିଥରେ ସେନା ଶିବିର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାକ୍‌ ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ୍‌ କରିବା ପାଇଁ ସେନା ଶିବିରରେ ତୁହାକୁ ତୁହା ଆତ୍ମଘାତୀ ଆକ୍ରମଣ କରୁଥିବାରୁ ଏଣିକି ଭାରତ କଠୋର ପଦକ୍ଷେପ ନେବ ବୋଲି କୁହାଯାଉଛି ।

୪ ଆତଙ୍କବାଦୀ ନିପାତ
କ୍ୟାମ୍ପ୍‌ରେ ସେନାଧ୍ୟକ୍ଷ ରାଓ୍ଵତ
ଏନ୍‌ଆଇଏ ତଦନ୍ତ ଆରମ୍ଭ
ଗୁଳିମାଡ଼ରେ ଯବାନଙ୍କ ପିତା ନିହତ

ଆକ୍ରମଣରେ ଆହତ ମହିଳା ଶିଶୁକନ୍ୟାକୁ ଜନ୍ମଦେଲେ
ଶ୍ରୀନଗର: ଶନିବାର ସୁଞ୍ଜଓ୍ଵାନା ସେନା କ୍ୟାମ୍ପରେ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ରାଇଫଲ ମ୍ୟାନ୍‌ ନଜିର ଅହମ୍ମଦଙ୍କ ପତ୍ନୀ ଆଜି ଚିକିତ୍ସାଧୀନ ଅବସ୍ଥାରେ ସତ୍ୱାରୀ ସେନା ହସ୍ପିଟାଲରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଗୁଳିବାଜି ଗୁରୁତର ଆହତ ହୋଇଥିବା ଗର୍ଭବତୀଙ୍କୁ ବଞ୍ଚାଇବା ପାଇଁ ସାରା ରାତି ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ପରେ ଆଜି ଜଣେ ନବଜାତକ ଦୁନିଆ ଦେଖିପାରିଛି। ଉଭୟ ମା’ ଓ ଶିଶୁ ଏବେ ବିପଦମୁକ୍ତ ଥିବା ହସ୍ପିଟାଲ କର୍ତ୍ତୁପକ୍ଷ କହିଛନ୍ତି। ସୂଚନାଯୋଗ୍ୟ ମୁଣ୍ଡରେ ଗୁଳି ବାଜିଥିବା କାରଣରୁ ଗୁରୁତର ଆହତ ହୋଇଥିବା ଅନ୍ୟ ଏକ ୧୪ ବର୍ଷର ବାଳକର ଅବସ୍ଥା ସଙ୍କଟାପନ୍ନ ରହିଛି।

ସମ୍ବନ୍ଧିତ ଖବର