ମୁଖ୍ୟ ସଚିବଙ୍କୁ ଆକ୍ରମଣ ମାମଲା: କେଜ୍ରିୱାଲ, ସିସୋଦିଆ ଦୋଷମୁକ୍ତ

ବିଜେପି କ୍ଷମା ମାଗୁ: ସିସୋଦିଆ

ନୂଆଦିଲ୍ଲୀ: ୨୦୧୮ ମସିହାରେ ତତ୍କାଳୀନ ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ଼ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ଅଦାଲତ ଅପରାଧମୁକ୍ତ କରିଛନ୍ତି। ଅଦାଲତଙ୍କ ଏହି ରାୟ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ବିଜେପିକୁ ସମାଲୋଚନା କରିଛନ୍ତି। ଏଥିପାଇଁ ବିଜେପିକୁ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି ସିସୋଦିଆ। ଏହି ମାମଲାରେ ଜଡ଼ିତ ଅନ୍ୟ ବିଧାୟକମାନଙ୍କୁ ମଧ୍ୟ ଅଦାଲତ ଦୋଷମୁକ୍ତ କରିଛନ୍ତି।

କୋର୍ଟ ରାୟ ପ୍ରକାଶ ପାଇବା ପରେ ସିସୋସିଆ ପ୍ରଧାନମନ୍ତ୍ରୀ ତଥା ବିଜେପିକୁ ସମାଲୋଚନା କରି କହିଛନ୍ତି, ଅଦାଲତ ଅଭିଯୋଗକୁ ଖାରଜ କରିଦେଲେ ଏବଂ ପ୍ରମାଣିତ କରିଦେଲେ କି ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଆରମ୍ଭରୁ ଆମେ କହି ଆସୁଛୁ ଯେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର। ଆଜି ଅଦାଲତରେ ପ୍ରମାଣିତ ହୋଇଗଲା, କେଜ୍ରିୱାଲଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରାଯାଇଥିଲା। ଏହି ଷଡ଼ଯନ୍ତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଦଳ ବିଜେପି ଦ୍ବାରା କରାଯାଇଥିଲା। ଏହାପରେ ତାଙ୍କ ଘରେ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ଉ ‌ହୋଇଥିଲା। ଏହି ମକଦ୍ଦମା ଏଭଳି ମିଥ୍ୟା ଥିଲା ଯେ, ଅଦାଲତ ଆଜି କେଜ୍ରିୱାଲଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ଏଥିପାଇଁ ବିଜେପିକୁ କ୍ଷମା ମାଗିବାଉଚିତ ବୋଲି ସିସୋଦିଆ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ମସିହାରେ ତତ୍କାଳୀନ ଦିଲ୍ଲୀ ମୁଖ୍ୟ ସଚିବ ଅଂଶୁ ପ୍ରକାଶ ଅଭିଯୋଗ କରିଥିଲେ କି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ସମେତ ଆମ୍‌ ଆଦ୍‌ମୀ ପାର୍ଟିର କିଛି ବିଧାୟକ ତାଙ୍କୁ ମାରଧର କରିଛନ୍ତି। ଏହାପରେ କିଛିଦିନ ପର୍ଯ୍ୟନ୍ତ ମୁଖ୍ୟସଚିବ କାର୍ଯ୍ୟାଳୟକୁ ନଯାଇ ଘରେ ରହିଥିଲେ। ଏହି ମାମଲାରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହିତ ୧୧ ଜଣ ବିଧାୟକଙ୍କୁ ଅଭିଯୁକ୍ତ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ଆଜି ଅଦାଲତ ବିଧାୟକ ଅମାନତତୁଲ୍ଲାହ ଘଖାନ୍‌ ଏବଂ ପ୍ରକାଶ ଜରୱାଲଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଦୋଷମୁକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର