ଗୁଜରାଟର ଅହମଦାବାଦ୍‌ରେ ଜଣେ ଦଳିତ ଯୁବକଙ୍କୁ ଉଲଗ୍ନ କରି ମାଡ଼

ଅହମଦାବାଦ୍‌ : ଗୁଜରାଟର ଅହମଦାବାଦ୍‌ରେ ଜଣେ ଦଳିତ ଯୁବକଙ୍କୁ ଖାଦ୍ୟ ପାଇଁ ଉଲଗ୍ନ କରି ମାଡ଼ ମରାଯାଇଛି। ୨୫ ବର୍ଷୀୟ ପ୍ରଗନେଶ ପରମାର ନାମକ ଜଣେ ଦଳିତ ଯୁବକ ତାଙ୍କ ବନ୍ଧୁ ଜୟେଶ ପରମାରଙ୍କ ସହ ମିଶି ଗତକାଲି ସନ୍ଧ୍ୟାରେ ସାବରମତୀ ଟୋଲ୍‌ ବୁଥ୍‌ ନିକଟସ୍ଥ ଏକ ରାସ୍ତା କଡ଼ ହୋଟେଲ୍‌କୁ ଖାଇବାକୁ ଯାଇଥିଲେ। ସେମାନେ ଖାଦ୍ୟ ଅର୍ଡର କରି ବସିଥିଲେ। ତେବେ ୱେଟର ଖାଦ୍ୟ ଆଣି ଖାଇବା ଟେବୁଲ୍‌ରେ ପହଞ୍ଚାଇବାବେଳେ କୌଣସି କାରଣ ବଶତଃ ପ୍ରଗନେଶଙ୍କ ହାତରୁ ଖାଇବା ପ୍ଲେଟ୍‌ଟି ଖସି ଯାଇଥିଲା। ଏହାକୁ ନେଇ ହୋଟେଲ୍‌ ମାଲିକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। କିନ୍ତୁ ହୋଟେଲ୍‌ ମାଲିକ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ପ୍ରଗନେଶଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ହୋଟେଲ ମାଲିକଙ୍କ ସହ ଅନ୍ୟ ୩ ଜଣ ବ୍ୟକ୍ତି ମଧ୍ୟ ପ୍ରଗନେଶଙ୍କୁ ଉଲଗ୍ନ କରି ଖୁବ୍‌ ମାରିଥିଲେ। ଉକ୍ତ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି ଏବଂ ଏହାକୁ ବିଭିନ୍ନ ମହଲରୁ କଡ଼ା ନିନ୍ଦା କରାଯାଇଛି। ଭିଡିଓ ଭାଇରାଲ୍‌ ହେବାପରେ ପୁଲିସ ହୋଟେଲ୍‌ ମାଲିକ ଶଙ୍କର ଠାକୁରକୁ ଗିରଫ କରିଛି । ଅନ୍ୟ ୩ ଅଭିଯୁକ୍ତ ଫେରାର୍‌ ଅଛନ୍ତି। ଦଳିତ ନେତା ଜିଗ୍ନେଶ ମେୱାନୀ ଏହି ଭିଡିଓ ଟ୍ବିଟ୍‌ କରିବା ସହ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି।‌ ମେୱାନୀ କହିଛନ୍ତି ଅଭିଯୁକ୍ତ ଗିରଫ ନହେଲେ ଗୁଜରାଟ ବନ୍ଦ ହେବ।

ସମ୍ବନ୍ଧିତ ଖବର