ଆନ୍ଦୋଳନରତ ଚାଷୀଙ୍କ ଉପରେ ଲାଠିମାଡ଼: ହରିୟାଣା ପୁଲିସର କାର୍ଯ୍ୟାନୁଷ୍ଠାନ ପରେ ରାଜପଥ ଅବରୋଧ

ଚଣ୍ଡିଗଡ଼: ହରିୟାଣାର କର୍ନଲ୍‌ରେ ଆଜି ପୁଲିସ ଆନ୍ଦୋଳନରତ ଚାଷୀଙ୍କ ଉପରେ ନିର୍ମମ ଲାଠି ମାଡ଼ କରିଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। କୃଷକମାନେ ସେମାନଙ୍କ ଆନ୍ଦୋଳନକୁ ଆହୁରି ଜୋରଦାର କରିଛନ୍ତି ଏବଂ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଅବରୋଧ ହଟାଇବାକୁ ପ୍ରୟାସ କରୁଥିବା ପୁଲିସ ବାହିନୀ ସହ ବିଭିନ୍ନ ସ୍ଥାନରେ କୃଷକଙ୍କ ଧସ୍ତାଧସ୍ତି ହୋଇଥିବା ଖବର ମିଳିଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ବରେ ଆଗାମୀ ପୌର ନିଗମ ନିର୍ବାଚନ ସଂକ୍ରାନ୍ତରେ ହୋଇଥିବା ଏକ ବୈଠକକୁ ବିରୋଧ କରି ଆଜି ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ରାଜ୍ୟ ବିଜେପି ମୁଖ୍ୟ ଓପି ଧନକଡ଼ଙ୍କ ଗାଡ଼ି ଅଟକାଇବାକୁ ଚେଷ୍ଟା କରିବା ସମୟରେ ପୁଲିସ ଲାଠିମାଡ଼ କରିଥିଲା।

ପୁଲିସ ଚାଷୀଙ୍କୁ ଘଉଡ଼ାଇବା ପାଇଁ ଲାଠିମାଡ଼ କରିଥିବାରୁ ଏହାର ପ୍ରତିବାଦରେ ହଜାର ହଜାର ଚାଷୀ ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଜାତୀୟ ରାଜପଥ ଅବରୋଧ କରି ରଖିଛନ୍ତି। ସେହିପରି ଅମୃତସରରେ ମଧ୍ୟ ପୁଲିସ ଚାଷୀଙ୍କ ଉପରେ ଲାଠିମାଡ଼ କରିଛି। ଅମୃତସରରେ କୃଷକମାନେ ପ୍ରଧାନମନ୍ତ୍ରୀଙ୍କ ଏକ ଭର୍ଚୁଆଲ୍‌ କାର୍ଯ୍ୟକ୍ରମକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ପୁଲିସ ମାଡ଼ରେ ଅନେକ ଚାଷୀ ଆହତ ହୋଇଥିବା ଜଣାପଡ଼ିଛି। ଏହାପରେ ଚାଷୀମାନେ ରାଜ୍ୟର ବିଭିନ୍ନ ଟୋଲ୍‌ ପ୍ଲାଜା ନିକଟରେ ରାସ୍ତା ଅବରୋଧ କରିଛନ୍ତି।

ସୁରଜପୁର ଟୋଲ୍‌ ପ୍ଲାଜା (କାଲ୍‌ତା-ଜିରାକପୁର ରାଜପଥ)କୁ ଆନ୍ଦୋଳନରତ ଚାଷୀମାନେ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ରଖିଥିଲେ। ଚାଷୀ ଆନ୍ଦୋଳନ ଯୋଗୁଁ ଆଜି ଫତେହାବାଦ-ଚଣ୍ଡିଗଡ଼, ଗୋହାନା-ପାନିପଥ ଏବଂ ଜିନ୍ଦ-ପଟିଆଲା ରାଜପଥ, ଅମ୍ବାଲା-ଚଣ୍ଡିଗଡ଼, ହିସାର-ଚଣ୍ଡିଗଡ଼ ଜାତୀୟ ରାଜପଥରେ ପରିବହନ ଏବଂ ଗମନାଗମନ ପ୍ରଭାବିତ ହୋଇଛି। କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୂର୍ଯେୱାଲା ଆଜିର ଘଟଣାପାଇଁ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଆଜିର ଘଟଣା ହରିୟାଣାର ପ୍ରତ୍ୟେକ ଲୋକଙ୍କୁ କଷ୍ଟ ଦେଇଛି। ଚାଷୀଙ୍କ ପ୍ରତି ଏଭଳି ନିଷ୍ଠୁରତାକୁ ସହ୍ୟ କରିହେବନାହିଁ ବୋଲି ସେ କହିଛନ୍ତି।

ଆନ୍ଦୋଳନକାରୀଙ୍କ ମୁଣ୍ଡ ଫଟାଇ ଦିଅ! ପୁଲିସକୁ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶର ଭିଡିଓ ଭାଇରାଲ

ଚଣ୍ଡିଗଡ଼: ହରିୟାଣାରେ ଆଜି ପୁଲିସ ଲାଠିମାଡ଼ରେ ୧୦ ଜଣ ଚାଷୀ ଆହତ ହୋଇଛନ୍ତି। ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରୁ କଡ଼ା ନିନ୍ଦା କରାଯାଇଛି। ଇତି ମଧ୍ୟରେ ହରିୟାଣାର ଜଣେ ବରିଷ୍ଠ ଅଧିକାରୀଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓରେ ସେ ଆନ୍ଦୋଳନରତ ଚାଷୀଙ୍କୁ ମାରି ମୁଣ୍ଡ ଫଟାଇ ଦେବାପାଇଁ ପୁଲିସକୁ କହୁଥିବା ଦେଖିବାକୁ ମିଳିଛି। କର୍ନଲ୍‌ ଏସ୍‌ଡିଏମ୍‌ ଆୟୁଷ ସିହ୍ନା ଆଜି କିଛି ପୁଲିସଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ, କୌଣସି ଜଣେ ବି ଆନ୍ଦୋଳନରତ ଚାଷୀ ଯେଭଳି ବ୍ୟାରିକେଡ୍‌ ଡେଇଁ ଆଗକୁ ନଯାଆନ୍ତି। ଯିଏ ଆସିଲେ ବି କାହାକୁ ଛାଡ଼ିବନି। ଲାଠି ଉଠାଇ ମୁଣ୍ଡ ଫଟାଇଦେବ। ସିହ୍ନା ପୁଲିସଙ୍କୁ ଏଭଳି ନିର୍ଦ୍ଦେଶ ଦେଉଥିବାର ଭିଡିଓ ଏବେ ଭାଇରାଲ୍‌ ହେବାପରେ ବିଭିନ୍ନ ମହଲ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀ ଏଭଳି ମନ୍ତବ୍ୟ ଦେବା ନିନ୍ଦନୀୟ ବୋଲି ବିଜେପି ନେତା ବରୁଣ ଗାନ୍ଧି କହିଛନ୍ତି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଆମ ନିଜ ନାଗରିକଙ୍କ ବିରୋଧରେ ଏଭଳି କାର୍ଯ୍ୟ କଦାପି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ତେବେ ଭିଡିଓକୁ କେହି ଏଡିଟ୍‌ କରିଥାଇପାରେ ବୋଲି ମଧ୍ୟ ସେ ସନ୍ଦେହ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର