ଶ୍ରୀନଗର: ଶ୍ରୀନଗରର ଏକ ହସ୍ପିଟାଲ ଉପରେ ଲସ୍କର-ଏ-ତୋଏବା ଆତଙ୍କବାଦୀ ଆଜି ଯୋଜନାବଦ୍ଧ ଆକ୍ରମଣ କରି ଜଣେ ଦୁର୍ଦ୍ଦାନ୍ତ ପାକ୍‌ ଆତଙ୍କବାଦୀକୁ ଖସାଇ ନେବାରେ ସମର୍ଥ ହୋଇଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ୨ ଜଣ ପୁଲିସ କର୍ମୀ ସହିଦ ହୋଇଛନ୍ତି। ଏଭଳି କାଣ୍ଡ ଘଟାଇ ଜନଗହଳିପୂର୍ଣ୍ଣ ଅଂଚଳରେ ଆତଙ୍କବାଦୀମାନେ ବାଇକ୍‌ରେ ଚମ୍ପଟ ମାରିବା ଘଟଣା ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି । ଅନେକ ସୁରକ୍ଷା କର୍ମୀ ଓ ସାଧାରଣ ନାଗରିକଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ନାବିଦ୍‌ ଜାଟ୍‌ ଓରଫ୍‌ ଅବୁ ହନ୍‌ଜୁଲ୍ଲା ନାମକ ଲସ୍କର ଆତଙ୍କବାଦୀ ସହ ଅନ୍ୟ ୫ ଜଣ କଏଦୀଙ୍କୁ ଶ୍ରୀନଗରର ଶ୍ରୀ ମହାରାଜା ହରି ସିଂହ ହସ୍ପିଟାଲ୍‌କୁ ଚେକ୍‌ଅପ୍‌ ପାଇଁ ଆଜି ନିଆଯାଇଥିଲା। ତେବେ ଏହି ସମୟରେ ଲସ୍କର୍‌ର ୩ ଜଣ ଆତଙ୍କବାଦୀ ଅତର୍କିତ ଆକ୍ରମଣ କରି ପୁଲିସଠାରୁ ବନ୍ଧୁକ ଛଡ଼ାଇ ଆଣିବା ସହ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଭଳି ଆକ୍ରମଣ ପାଇଁ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ ପ୍ରସ୍ତୁତ ନଥିଲେ ଏବଂ ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ହେଡ୍‌ କନେଷ୍ଟବଳ ମୁସ୍ତାକ ଅହମ୍ମଦଙ୍କ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସମୟରେ ଆଉ ଜଣେ ଆହତ କନେଷ୍ଟବଳ ବାବର ଅହମ୍ମଦଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଥିବା ଅନ୍ୟଜଣେ ପୁଲିସ କର୍ମୀ ଆତଙ୍କବାଦୀଙ୍କ ମୁକାବିଲାରେ ବିଫଳ ହେବାରୁ ହାତରେ ହ୍ୟାଣ୍ଡକପ୍‌ ଥାଇ ମଧ୍ୟ ପାକ୍‌ ଆତଙ୍କବାଦୀ ନାବିଦ ସେଠାରୁ ଅନ୍ୟ ଦୁଇ ଆତଙ୍କବାଦୀମାନ ସହ ମୋଟର ସାଇକେଲ୍‌ରେ ଖସି ପଳାଇଥିଲା।

Advertisment

କେବଳ ଲସ୍କର୍‌ ଆତଙ୍କବାଦୀ ନାବିଦ୍‌କୁ ଖସାଇନେବା ପାଇଁ ଏହି ଯୋଜନାବଦ୍ଧ ଆକ୍ରମଣ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ କଏଦୀ ପୁଲିସ ହେପାଜତରେ ସୁରକ୍ଷିତ ରହିଛନ୍ତି ବୋଲି ଶ୍ରୀନଗର ପୁଲିସ ଡିଆଇଜି ଗୁଲାମ୍‌ ହାସନ୍‌ ଭଟ୍ଟ କହିଛନ୍ତି। ଆକ୍ରମଣ ପାଇଁ ୨ ଜଣ ଆତଙ୍କବାଦୀ ହସ୍ପିଟାଲରେ ଦିନକୁ ପୂର୍ବରୁ ଆସି ରହିଥିଲେ ବୋଲି ଜଣାପଡ଼ିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶ ସ୍ଥିତ ମୁଲତାନ୍‌ ବାସିନ୍ଦା ନାବିଦ୍‌ ଲସ୍କରରେ ୭ ବର୍ଷ ତଳେ ଯୋଗ ଦେଇଥିଲା। ଦକ୍ଷିଣ କଶ୍ମୀରରେ ୭ଟି ଆତଙ୍କବାଦୀ ଆକ୍ରମଣରେ ସେ ସାମିଲ୍‌ ଥିଲା। ହାଇଦରପୋରାରେ ସେନା ଉପରେ ହୋଇଥିବା ଏକ ବଡ଼ ଧରଣର ଆକ୍ରମଣରେ ମଧ୍ୟ ତା’ର ସଂପୃକ୍ତି ନେଇ ପ୍ରମାଣ ରହିିଛି। ୨୦୧୪ ମସିହା ଅଗଷ୍ଟ ୨୬ରେ ଦକ୍ଷିଣ କଶ୍ମୀରରୁ ସେ ଗିରଫ ହେବାପରେ ଶ୍ରୀନଗରର ରାଇନାଓ୍ଵାରି ଜେଲ୍‌ରେ ବନ୍ଦୀ ଥିଲା। ଆଜି ଆତଙ୍କବାଦୀ ଗୁଳିରେ ଦୁଇ ପୁଲିସ ସହିଦ ହେବାପରେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖାଯିବା ସହ ଖାନ୍‌ତଲାସି ଜାରି ରହିଛି।