ତେଲ୍ ଅଭିଭ୍ : ପାଲେଷ୍ଟାଇନର ହମାସ ଆତଙ୍କବାଦୀ ଗୋଷ୍ଠୀ ଆଜି ଇସ୍ରାଏଲ ଉପରେ ଭୟାନକ ଆକ୍ରମଣ କରିବା ପରେ ଇସ୍ରାଏଲ ଏହି ଗୋଷ୍ଠୀ ବିରୋଧରେ ଯୁଦ୍ଧ ଘୋଷଣା କରିଛି। ପାଲଟା ଆକ୍ରମଣ କରିବା ସହିତ ଜଣାଇଦେଇଛି ଯେ ଇସ୍ରାଏଲ ଏଭଳି ପ୍ରତିଶୋଧ ନେବ ଯାହାର ହମାସ କେବେ କଳ୍ପନା କରିନଥିବ। ଗତ କିଛି ଦିନ ଧରି ଗାଜା ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଅଚାନକ ଭୟଙ୍କର ଆକ୍ରମଣ କରିଦେଇଥିଲେ। ଗାଜା ଷ୍ଟ୍ରିପ୍ରୁ ଇସ୍ରାଏଲ୍ ଉପରେ ଆତଙ୍କବାଦୀମାନେ ୫ ହଜାରରୁ ଅଧିକ ରକେଟ୍ ମାଡ଼ କରିଛନ୍ତି। ମାତ୍ର ୨୦ ମିନିଟ୍ ମଧ୍ୟରେ ଇସ୍ରାଏଲ୍ ଉପରେ ହଜାର ହଜାର ରକେଟ୍ ବର୍ଷା କରି ଅକଳ୍ପନୀୟ କ୍ଷୟକ୍ଷତି ଘଟାଇଛି । ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ଏହି ଆକ୍ରମଣ ହୋଇଥିଲା। ଜଣେ ମେୟରଙ୍କ ସମେତ ୨୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୫ ଶହରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ଆତଙ୍କବାଦୀମାନେ ସମୁଦ୍ର ପଟୁ ଏବଂ ଆକାଶ ମାର୍ଗରୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ପାରାଗ୍ଲାଇଡରଙ୍କୁ ମଧ୍ୟ ବ୍ୟବହାର କରାଯାଇଛି। ଏଭଳି ଆକ୍ରମଣ ନେଇ ଇସ୍ରାଏଲ ପୂର୍ବରୁ ସୁରାକ୍ ପାଇପାରି ନଥିଲା।
ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ ହମାସ୍ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଏକ ଭିଡିଓ ବାର୍ତ୍ତା ଜାରି କରି ନେତାନ୍ୟାହୁ କହିଛନ୍ତି, ଆମେ ଏବେ ଯୁଦ୍ଧ ସ୍ଥିତିରେ ଅଛୁ। ଏହା ଅପରେସନ୍ ନୁହେଁ କି ଉତ୍ତେଜନା ନୁହେଁ। ଏହା ଯୁଦ୍ଧ ଏବଂ ଆମେ ଏହି ଯୁଦ୍ଧ ଜିତିବୁ। ଇସ୍ରାଏଲ ଏହାର ଶତ୍ରୁଠାରୁ ଅତି ଅପ୍ରତ୍ୟାଶିତ ମୂଲ୍ୟ ଆଦାୟ କରିବ ବୋଲି ନେତାନ୍ୟାହୁ ପ୍ରତିଜ୍ଞା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ କହିଛନ୍ତି, ଇସ୍ରାଏଲ ବିରୋଧରେ ଯୁଦ୍ଧ ଆରମ୍ଭ କରି ହମାସ ମାରାତ୍ମକ ଭୁଲ୍ କରିଦେଇଛି। ଇସ୍ରାଏଲ ସ୍ୟେନ୍ୟମାନେ ସବୁ ସ୍ଥାନରେ ଶତ୍ରୁ ବିରୋଧରେ ଲଢ଼େଇ କରୁଛନ୍ତି ଏବଂ ସେମାନଙ୍କୁ ଏଭଳି ମସ୍ତବଡ଼ ଭୁଲ୍ର କଡ଼ା ଜବାବ ମିଳିବ ବୋଲି ଗାଲ୍ଲାଣ୍ଟ୍ କହିଛନ୍ତି। ଅନ୍ୟପକ୍ଷରେ ଆଜି ଅପରାହ୍ନରେ ଇସ୍ରାଏଲର ଜବାବୀ କାର୍ଯ୍ୟାନୁଷ୍ଠାନରେ ଗାଜା ଷ୍ଟ୍ରିପ୍ରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ବ୍ୟାପକ କ୍ଷୟକ୍ଷତି ଘଟିଛି ବୋଲି ପାଲେଷ୍ଟାଇନ ପକ୍ଷରୁ କୁହାଯାଇଛି। ଇସ୍ରାଏଲ ଗାଜା ଉପରେ ବିମାନ ଆକ୍ରମଣ ଜାରି ରଖିଛି ଏବଂ ସୀମାରେ ମଧ୍ୟ ହମାସ ଆତଙ୍କବାଦୀ ଓ ଇସ୍ରାଏଲ ସେନା ମଧ୍ୟରେ ଭୀଷଣ ଗୁଳି ବିନିମୟ ଜାରି ରହିଛି।
ଆଜି ସକାଳୁ ସକାଳୁ ପ୍ରାୟ ୩ ଶହ ହମାସ ଆତଙ୍କବାଦୀ ଇସ୍ରାଏଲରେ ଅନୁପ୍ରବେଶ କରିଛନ୍ତି ବୋଲି ଇସ୍ରାଏଲ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ରକେଟ୍ ଆକ୍ରମଣ ପରେ ଆତଙ୍କବାଦୀମାନେ ଇସ୍ରାଏଲର ଦକ୍ଷିଣ ସହରକୁ ମୋଟର ସାଇକେଲ୍, ଏସ୍ୟୁଭି ଏବଂ ପାରାଗ୍ଲାଇଡର ମାଧ୍ୟମରେ ପଶି ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଆତଙ୍କବାଦୀମାନେ ରାସ୍ତାରେ ଯାଉଥିବା କାର୍କୁ ଟାର୍ଗେଟ୍ କରି ନାଗରିକଙ୍କ ଉପରକୁ ଗୁଳିମାଡ଼ କରୁଛନ୍ତି। ଗାଜାରୁ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା କିଛି ଭିଡିଓରେ ମଧ୍ୟ ଦେଖିବାକୁ ମିଳିଛି ଯେ ହମାସ ଆତଙ୍କବାଦୀମାନେ ଏହି ଆକ୍ରମଣ ପରେ ଉତ୍ସବ ମନାଇ ଅନେକ ଇସ୍ରାଏଲି ସୈନିକଙ୍କ ମର ଶରୀରକୁ ରାସ୍ତାରେ ଘୋଷାଡ଼ୁଛନ୍ତି। ଅନ୍ୟପକ୍ଷେ ଇସ୍ରାଏଲ ଗାଜା ଷ୍ଟ୍ରିପ୍ରେ ହମାସ ବିରୋଧରେ ‘ଅପରେସନ୍ ଆଇରନ ସୋର୍ଡ୍ସ’ ଘୋଷଣା କରଛି। ନାଗରିକଙ୍କୁ ସତର୍କ ରହିବାପାଇଁ ଏବଂ ଘରେ ରହିବାପାଇଁ ଇସ୍ରାଏଲ ସରକାର କହିଛନ୍ତି।
ହମାସ ସାମରିକ ଶାଖାର ଜଣେ ଶୀର୍ଷ କମାଣ୍ଡର ମହମ୍ମଦ ଡିଫ୍ ଏକ ବିବୃତି ଜାରି କରି କହିଛି ଯେ ହମାସ ଇସ୍ରାଏଲ ବିରୋଧରେ ଏକ ନୂଆ ସାମରିକ ଅପରେସନ୍ ଆରମ୍ଭ କରିଛି। ସେ କହିଛି, ଆଜି ସକାଳୁ ‘ଅପରେସନ୍ ଅଲ୍-ଅକ୍ସା ଷ୍ଟର୍ମ’ ଆରମ୍ଭ କରିବାପାଇଁ ଇସ୍ରାଏଲ ଉପରେ ୫ ହଜାର ରକେଟ୍ ମାଡ଼ ହୋଇଛି। ଇତିମଧ୍ୟରେ ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବ୍ବାସ କିଛି ଶୀର୍ଷ ପ୍ରତିରକ୍ଷା ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ କହିଛନ୍ତି, ପାଲେଷ୍ଟାଇନ ନାଗରିକଙ୍କର ନିଜକୁ ସୁରକ୍ଷା ଦେବାର ସମସ୍ତ ଅଧିକାର ଅଛି। ଇସ୍ରାଏଲରେ ଏଭଳି ଭୟଙ୍କର ସ୍ଥିତି ଲାଗି ରହିଥିବା ବେଳେ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି। ଏଭଳି ଅପ୍ରତ୍ୟାଶିତ ଭୟଙ୍କର ଆକ୍ରମଣ ଇସ୍ରାଏଲବାସୀଙ୍କୁ ସ୍ତବ୍ଧ କରିଦେଇଛି। ଜାତିସଂଘ ସମେତ ବିଭିନ୍ନ ରାଷ୍ଟ୍ର ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ବୋଲକର ଟୁଏର୍କ କହିଛନ୍ତି, ଏହି ଆକ୍ରମଣ ଇସ୍ରାଏଲ ନାଗରିକଙ୍କ ଉପରେ ଅତି ଭୟଙ୍କର ପ୍ରଭାବ ପକାଉଛି। ଆକ୍ରମଣରେ ନାଗରିକମାନେ ଟାର୍ଗେଟ୍ ନହେବା ଉଚିତ ବୋଲି ସେ କହିଛନ୍ତି। ହ୍ବାଇଟ୍ ହାଉସ୍ ପକ୍ଷରୁ ଉକ୍ତ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି। ଭାରତ, ଫ୍ରାନ୍ସ, ତୁର୍କୀ, ସାଉଦି ଆରବ, ଜର୍ମାନୀ ଏବଂ ଅନ୍ୟାନ୍ୟ ରାଷ୍ଟ୍ରଗୁଡ଼ିକ ଇସ୍ରାଏଲ ୁପରେ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ପରିସ୍ଥିତି ସଂପର୍କରେ ଆଲୋଚନା ପାଇଁ ଆସନ୍ତାକାଲି ଜାତିସଂଘ ସୁରକ୍ଷା ପରିଷଦ ବୈଠକ ବସିବ।