କିବ୍: ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍ ଗତକାଲି ୟୁକ୍ରେନ୍ ରାଜଧାନୀ କିବ୍ ଗସ୍ତରେ ଥିବା ସମୟରେ ରୁଷ୍ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ରୁଷ୍ ଏରୋସ୍ପେସ୍ ବାହିନୀ କିବ୍ରେ ଏକ ପ୍ରତିରକ୍ଷା ଅନୁଷ୍ଠାନ ଉପରେ କ୍ଷେପଣାସ୍ତ୍ର ମାଡ଼ କରି ଏହାକୁ ଧ୍ବଂସ କରିଛି ଏବଂ ସହିତ ଅନ୍ୟ କେତେକ ସେନା ପ୍ରତିଷ୍ଠାନକୁ ମଧ୍ୟ ଟାର୍ଗେଟ୍ କରାଯାଇଛି। ଏହି ଅଂକ୍ରମଣରେ ଦୁଇଟି ବହୁତଳ କୋଠା ମଧ୍ୟ ଧ୍ବସ୍ତ ହୋଇଯାଇଛି। କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ୟୁକ୍ରେନ୍ର ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ରେଡିଓ ଲିବର୍ଟି ସାମ୍ବାଦିକ ବେରା ଗିରିଚ୍ ତାଙ୍କ ଘରେ ଥିବାବେଳେ ଏକ କ୍ଷେପଣାସ୍ତ୍ର ତାଙ୍କ ଘରେ ମାଡ଼ ହୋଇଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଛି। କିବ୍ରେ ଆକ୍ରମଣ ବନ୍ଦ କରିବାର ପ୍ରାୟ ୨ ସପ୍ତାହ ପରେ ରୁଷ୍ ପୁଣିଥରେ ଏଠାରେ ଆକ୍ରମଣ ଜୋରଦାର କରିଛି। ୟୁକ୍ରେନ୍ ରେଳ ଷ୍ଟେସନ୍ର ୩ଟି ପାୱାର ସବଷ୍ଟେସନ୍କୁ ରୁଷ୍ ଧ୍ବଂସ କରିଛି। ଖେରସନ୍ରେ ରୁଷ୍ ମିସାଇଲ୍ ମାଡ଼ କରିଛି।
ପୂର୍ବ ୟୁକ୍ରେନ୍ରେ ରୁଷ୍ ଏକ ଗୁରୁତ୍ବପୂର୍ଣ୍ଣ ରେଳ ଲାଇନ୍ ଏବଂ ଯୋଗାଣ ଲାଇନ୍ ଉପରେ ବୋମାବର୍ଷା କରି ଧ୍ବଂସ କରିଦେଇଛି। ଅନ୍ୟପକ୍ଷେ ରୁଷ୍ ମାରିୟୁପୋଲ୍ରେ ଏକ ଅଞ୍ଚଳକୁ ବନ୍ଦ କରି ରଖିଛି। ଆଜବଷ୍ଟଲ୍ ଷ୍ଟିଲ୍ ପ୍ଲାଣ୍ଟ୍ ଉପରେ ନୂଆ ଆକ୍ରମଣ ଯୋଜନା କରି ରୁଷ୍ ଏଭଳି କରିଥାଇପାରେ ବୋଲି କୁହାଯାଉଛି। ଏହି ଷ୍ଟିଲ୍ପ୍ଲାଣ୍ଟରେ ୧ ହଜାରରୁ ଅଧିକ ୟୁକ୍ରେନ୍ ଓ ବିଦେଶୀ ସୈନିକ ଏକ ବଙ୍କରରେ ରହିଥିବାରୁ ସେମାନଙ୍କୁ ରୁଷ୍ ଜୀବିତ ଧରିବାକୁ ଚାହୁଛି। ଗୋଟିଏ ପଟେ ମାରିୟୁପୋଲ୍ରେ ଉଦ୍ଧାର କରିଡର ଖୋଲିବାପାଇଁ ବିଚାରବିମର୍ଶ ଜାରି ରହିଥିବା ବେଳେ ଏହି ସମୟରେ ରୁଷ୍ କିବ୍ ଉପରେ କ୍ଷେପଣାସ୍ତ୍ର ମାଡ଼ କରିବା ଘଟଣାକୁ ୟୁକ୍ରେନ୍ କଡ଼ା ନିନ୍ଦା କରିଛି। ଜାତିସଂଘ ମୁଖ୍ୟଙ୍କ କିବ୍ ଗସ୍ତ ସମୟରେ ରୁଷ୍ ବିମାନ ଆକ୍ରମଣ କରି ଜାତିସଂଘକୁ ଅପମାନିତ କରିବାକୁ ଚେଷ୍ଟା କରିଛି ବୋଲି ଜେଲେନ୍ସ୍କି କହିଛନ୍ତି।
ପୂର୍ବ ୟୁକ୍ରେନ୍ରେ ଯୋଗାଣ ଲାଇନ୍କୁ ଟାର୍ଗେଟ୍
କିବ୍ : ପୂର୍ବ ୟୁକ୍ରେନ୍ର ଡୋନେସ୍କ ଏବଂ ଲୁହାଂସ୍କରେ ରୁଷ୍ ଜୋରଦାର ବୋମାବର୍ଷା କରିଛି। ସମଗ୍ର ଯୋଗାଣ ଲାଇନ୍କୁ ଟାର୍ଗେଟ୍ କରି ରୁଷ୍ ଭୟଙ୍କର ଗୋଳାବର୍ଷା କରୁଛି। ୫୦ରୁ ଅଧିକ ଅଞ୍ଚଳରେ ବିମାନ ଆକ୍ରମଣ ଜାରି ରହିଛି। ଖାରକିଭ୍ର ଇଜିୟମ୍ ଅଞ୍ଚଳରେ ରୁଷ୍ ବାହିନୀ ସବୁ ସରକାରୀ ପ୍ରତିଷ୍ଠାନକୁ ନିଜ ଦଖଲକୁ ନେଇଛନ୍ତି। ୟୁକ୍ରେନ୍ର ମେଲିଟୋପୋଲ୍ ସହ କ୍ରିମିଆକୁ ଯୋଡ଼ୁଥିବା ଦକ୍ଷିଣ ୟୁକ୍ରେନ୍ର ଏକ ଗୁରୁତ୍ବପୂର୍ଣ୍ଣ ବ୍ରିଜ୍କୁ ରୁଷ୍ ଧ୍ବଂସ କରିଦେଇଛି। ପୂର୍ବ ଡୋନେସ୍କରେ ରୁଷ୍ ସମର୍ଥିତ ବାହିନୀର ନିୟନ୍ତ୍ରଣରେ ଥିବା ଏକ ତୈଳ ଡିପୋରେ ୟୁକ୍ରେନ୍ ସେନା ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସମଗ୍ର ଯୋଗାଣ ଲାଇନ୍କୁ ରୁଷ୍ ବିଚ୍ଛିନ୍ନ କରିଦେବାକୁ ଚାହିଛି। ରୁଷ୍ର ବୁଡ଼ାଜାହାଜରୁ କ୍ରୁଜ୍ ମିସାଇଲ୍ ଦ୍ବାରା ଆକ୍ରମଣ କରାଯାଇଥିବା ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେଭଚେଙ୍କୋ ଜିଲ୍ଲାରେ ରୁଷ୍ର ରକେଟ ମାଡ଼ ଯୋଗୁଁ ଏକ ୨୫ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ୟୁକ୍ରେନ୍ରେ ଡୋନ୍ବାସ ରୁଷ୍ର ମୁଖ୍ୟ ଟାର୍ଗେଟ୍ ରହିଛି। ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଡୋନ୍ବାସକୁ ପୂରା ଦଖ କରିବା ପାଇଁ ରୁଷ୍ର ସ୍ବପ୍ନ କଦାପି ସାକାର ହେବନାହିଁ।