ଅରୁଣାଚଳରେ ଅଣାୟତ୍ତ ସ୍ଥିତି, ଉପମୁଖ୍ୟମନ୍ତ୍ରୀଙ୍କ ଘର ଜାଳିଦେଲେ

୧୫୦ ଗାଡ଼ି ପୋଡ଼ି, ଅଧିକ ସେନା ମୁତୟନ

ଇଟାନଗର: ସ୍ଥାୟୀ ଆବାସିକ ପ୍ରମାଣପତ୍ର ପ୍ରସଙ୍ଗକୁ କେନ୍ଦ୍ର କରି ଅରୁଣାଚଳରେ ଚାଲିଥିବା ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଇଛି। ସ୍ଥାନୀୟ ଅଂଚଳର ୧୮ଟି ଛାତ୍ର ଗୋଷ୍ଠୀ ଏବଂ ନାଗରିକ ସଂଗଠନ ଦ୍ବାରା ଚାଲିଥିବା ଆନ୍ଦୋଳନ ଉଗ୍ର ରୂପ ନେଇଥିବା ବେଳେ ଆନ୍ଦୋଳନକାରୀମାନେ ଆଜି କର୍ଫ୍ୟୁ ସତ୍ତ୍ବେ ଉପମୁଖ୍ୟମନ୍ତ୍ରୀ ଚାଉନା ମୀନ୍‌ଙ୍କ ବାସଭବନକୁ ଜାଳି ଦେଇଛନ୍ତି। ୬ ଜଣ ବରିଷ୍ଠ ଅଧିକାରୀଙ୍କ ଦପ୍ତରରେ ମଧ୍ୟ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଥିବା ଖବର ମିଳିଛି। ଆନ୍ଦୋଳନକାରୀମାନେ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍‌ କରୁଥିବାରୁ ସୁରକ୍ଷା ବଢ଼ାଇ ଦିଆଯାଇଛି। ଇଟାନଗର ଏବଂ ଆଖପାଖ ଅଂଚଳରେ ଆନ୍ଦୋଳନକାରୀମାନେ ୧୫୦ରୁ ଅଧିକ ଗାଡ଼ି ପୋଡ଼ି ଦେଇଛନ୍ତି। ଗତକାଲି ପୁଲିସ ଗୁଳିରେ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିବା ପରେ ଆନ୍ଦୋଳନକାରୀମାନେ ସରକାରୀ କାର୍ଯ୍ୟାଳୟ ଏବଂ ସାର୍ବଜନୀନ ସମ୍ପତ୍ତିକୁ ଟାର୍ଗେଟ୍‌ କରି ଭଂଗାରୁଜା ଏବଂ ପୋଡ଼ାଜଳା ଜାରି ରଖିଛନ୍ତି। ଇଟାନଗରରେ କେତେକ ଦୋକାନରେ ମଧ୍ୟ ଆଜି ଆନ୍ଦୋଳନକାରୀ ନିଆଁ ଲଗାଇବାକୁ ଉଦ୍ୟମ କରିବା ପରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏହାପରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯିବା ସହ ସେନା ଫ୍ଲାଗ୍‌ ମାର୍ଚ୍ଚ କରିଥିଲା। ଗତକାଲି ସୁରକ୍ଷା କର୍ମୀ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଘଟିଥିବା ସଂଘର୍ଷରେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଏଥିରେ ପ୍ରାୟ ୩୦ ଜଣ ପୁଲିସ କର୍ମୀ ରହିଥିବା ଜଣାପଡ଼ିଛି। ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିବାରୁ ଆଜି ଆଇଟିବିପିର ଆଉ ୬ କମ୍ପାନି ଯବାନ ଇଟାନଗରରେ ମୁତୟନ ହୋଇଛନ୍ତି। ଅରୁଣାଚଳର ମୂଳ ବାସିନ୍ଦାଙ୍କ ବ୍ୟତୀତ ବାହାରୁ ଆସିଥିବା ଲୋକଙ୍କୁ ସ୍ଥାୟୀ ଆବାସିକ ପ୍ରମାଣପତ୍ର ଦିଆଯାଇପାରିବ ନାହିଁ ବୋଲି ଆନ୍ଦୋଳନକାରୀ ସଂଗଠନଗୁଡ଼ିକ ଜିଦ୍‌ରେ ଅଟଳ ଅଛନ୍ତି ଏବଂ ଏ ସଂକ୍ରାନ୍ତ ଆଲୋଚନା ପାଇଁ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର