ବେଙ୍ଗାଲୁରୁ ପୁଲିସ ଉପରେ ଦଙ୍ଗାକାରୀ କରିଥିଲେ ଗରିଲା ଆକ୍ରମଣ

ବେଙ୍ଗାଲୁରୁ: ଗତ ମଙ୍ଗବାର ରାତିରେ ବେଙ୍ଗାଲୁରୁ ପୁଲିସ ଉପରେ ଦଙ୍ଗାକାରୀମାନେ ଚଳାଇଥିବା ଆକ୍ରମଣ ବହୁ ପୁରୁଖା ପୁଲିସ କର୍ମୀମାନେ ବି ଆଗରୁ କେବେ ଦେଖିନଥିବେ। ନୂଆ କର୍ମଚାରୀମାନଙ୍କ ପାଇଁ ଏହା ଏକ ଭୟଙ୍କର ଦୁଃସ୍ବପ୍ନ ପରି ମନେ ହେଉଥିବ। ପୂର୍ବ ବେଙ୍ଗାଲୁରୁର କେଜି ହାଲ୍ଲି ଓ ଡିଜେ ହାଲ୍ଲି ଥାନା ଇଲାକାର କବଲ୍ୟସାନ୍ଦ୍ରା, କେଜି ହାଲ୍ଲି ଓ ଡିଜେ ହାଲ୍ଲି ଅଞ୍ଚଳର ଗଳିକନ୍ଦିରେ ଦଙ୍ଗାକାରୀମାନେ ଯେପରି ଗରିଲା ସଦୃଶ ଆକ୍ରମଣ ଚଳାଇଥିଲେ, ତାହା ପୁଲିସ କେବେ କଳ୍ପନା କରିନଥିଲା। ଏହାଠୁ ବଡ଼ ଧରଣର ଦଙ୍ଗାକୁ ସେମାନେ ଆଗରୁ ନିୟନ୍ତ୍ରଣ କରିଥାଇପାରନ୍ତି, ମାତ୍ର ସେଦିନ ରାତିରେ ଯେଭଳି ପୁଲିସ ବାହିନୀ ଦଙ୍ଗାକାରୀଙ୍କ ଗରିଲା ଆକ୍ରମଣର ଶିକାର ହୋଇଥିଲେ ତାହା ହିଁ ଭିନ୍ନ ବାର୍ତ୍ତା ଆଣିଛି।

ସନ୍ଧ୍ୟା ୭ଟାରେ ପୁଲକେଶିନଗର ବିଧାୟକ ଅଖଣ୍ଡ ଶ୍ରୀନିବାସମୂର୍ତ୍ତିଙ୍କ ବାସଭବନ ଆଗରୁ ଆରମ୍ଭ ହୋଇଥିବା ଏହି ଦଙ୍ଗା ରାତି ୨ଟା ଯାଏ ଜାରି ରହିଥିଲା। ତେବେ ପରିସ୍ଥିତି ସାଂଘାତିକ ମୋଡ଼ ନେଇଥିଲା ରାତି ୧୦ଟା ପରେ ଯେତେବେଳେ ଗଣ୍ଡଗୋଳକାରୀମାନେ ଦୁଇ ଥାନା ସମେତ ପୁଲିସ ଗାଡ଼ିଗୁଡ଼ିକ ଜାଳିଦେଇଥିଲେ। କ୍ଷତିଗ୍ରସ୍ତ ଥାନା ଦୁଇଟିର କର୍ମଚାରୀମାନଙ୍କୁ ବଞ୍ଚାଇବା ଲାଗି ସହରର ଅନ୍ୟ ଇଲାକାରୁ ଛୁଟି ଆସୁଥିବା ପୁଲିସମାନଙ୍କୁ ପ୍ରବେଶ ପଥରେ ଇଟା,ପଥର ଓ ଭଙ୍ଗା ବୋତଲ ମାଡ଼ ଖାଇବାକୁ ପଡ଼ିଥିଲା। ସହରର ରାସ୍ତାକଡ଼ ବତିଖୁଣ୍ଟଗୁଡ଼ିକ କ୍ଷତିଗ୍ରସ୍ତ ହେବା ସହ ଆଗନ୍ତୁକ ପୁଲିସ କର୍ମୀମାନଙ୍କୁ ଅନେକ ସ୍ଥାନରେ ଅନ୍ଧାରରେ ରାସ୍ତା ଅବରୋଧ ସାମନା କରିବାକୁ ପଡ଼ିଥିଲା। ଦଙ୍ଗାକାରୀମାନେ ଜଳନ୍ତା ପୁଲିସ ଗାଡ଼ିଗୁଡ଼ିକୁ ଟାଣି ଆଣି ରାସ୍ତା ମଝିରେ ରଖିଦେଇଥିଲେ। ପୁଲିସ କମିସନର କମଳ ପନ୍ଥ ଯେତେବେଳେ ୭୫ ଜଣ ପୁଲିସ ବଳ ସହ କେଜି ହାଲ୍ଲିର ଗଳିରାସ୍ତା ଦେଇ ଚାଲି ଚାଲି ଘଟଣାସ୍ଥଳକୁ ଆସିବାକୁ ଉଦ୍ୟମ କରିଥିଲେ, ପ୍ରଥମେ ପଥର ମାଡ଼ରେ ବତିଖୁଣ୍ଟଗୁଡିକରୁ ବିଜୁଳି ଆଲୁଅ ଖଣ୍ଡ ଖଣ୍ଡ ହୋଇ ପଡ଼ିବା ଆରମ୍ଭ ହୋଇଥିଲା।

ରାସ୍ତାଘାଟ ଅନ୍ଧାର ହୋଇଯିବା ପରେ ସେମାନଙ୍କ ଉପରେ ବିଭିନ୍ନ ଆକାରର ପଥର ଖଣ୍ଡ, ଭଙ୍ଗା ଫୁଲକୁଣ୍ଡ, ବୋତଲ, ଟାୟାର ଓ କାଠଫାଳିଆ ଆଦି ବର୍ଷା ହୋଇଥିଲା। ଏଥିରେ ସେମାନେ ପିନ୍ଧିଥିବା ହେଲ୍‌ମେଟ ଓ ସୁରକ୍ଷା ପାଇଁ ହାତରେ ଧରିଥିବା ସିଲ୍‌ଡ (ଢାଲ)ଗୁଡ଼ିକ ଭାଙ୍ଗିଯାଇଥିଲା। ସେହିପରି ଟାନେରି ରୋଡ୍‌ ପଟୁ ଆସୁଥିବା ଦମକଳ ଗାଡ଼ିକୁ ବାଟରେ ସମଦଶା ଭୋଗିବାକୁ ପଡ଼ିଥିଲା। ଦଙ୍ଗାକାରୀମାନେ ଗାଡ଼ିକୁ ଅଟକାଇ ଗାଡ଼ିର କାଚ ଭାଙ୍ଗି ଆଗ୍ନିକମାନଙ୍କୁ ବାହାରକୁ ଟାଣି ଆଣି ନିର୍ଘାଟ ପିଟିବା ଆରମ୍ଭ କରିଥିଲେ। ତେବେ ଏହା ଦେଖି ଅଳ୍ପ ଦୂରକୁ କିଛି ସଶସ୍ତ୍ର ପୁଲିସ ମାଡ଼ିଆସିବାରୁ ସେମାନେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। କେଜି ହାଲ୍ଲିର ସଂକୀର୍ଣ୍ଣ ଗଳି ରାସ୍ତା ହିଁ ସେମାନଙ୍କୁ ଏପରି ଗରିଲା ଆକ୍ରମଣ କରିବା ପାଇଁ ସୁହାଇଥିଲା। ଗଣ୍ଡଗୋଳକାରୀମାନେ ଚାରିଆଡ଼େ ଛାଇ ଯାଇଥିଲେ। ଗୋଟିଏ ଦିଗରେ ଗୋଟେ ଗୋଷ୍ଠୀକୁ ଘଉଡ଼ାଇଲା ବେଳକୁ ଅନ୍ୟ ପଟୁ ଅନ୍ୟମାନେ ମାଡ଼ି ଆସୁଥିଲେ। ତେବେ ଲୁହବୁହା ବାଷ୍ପ ପ୍ରୟୋଗ ଓ କିଛି ଫାଙ୍କା ଗୁଳି ଚାଳନା ପରେ ଦଙ୍ଗାକାରୀମାନେ ଧୀରେ ଧୀରେ ହଟିଥିଲେ। ପରେ ଅବଶ୍ୟ ଧାର୍ମିକ ନେତା ଓ ରାଜନେତାମାନେ ସେଠାରେ ପହଞ୍ଚିଥିଲେ, ମାତ୍ର ସେତେବେଳକୁ ସବୁ କିଛି ସରିଯାଇଥିଲା।

ସମ୍ବନ୍ଧିତ ଖବର