ହଥରାସ୍‌ ଗଣଦୁଷ୍କର୍ମ ମାମଲା : ରାସ୍ତା ଉପରେ ରାହୁଲଙ୍କୁ ୟୁପି ପୁଲିସର ଠେଲାପେଲା

ପୀଡ଼ିତା ପରିବାରକୁ ଭେଟିବାକୁ ଦେଲେନି, ଲାଠିମାଡ଼ ଅଭିଯୋଗ କଲେ ପ୍ରିୟଙ୍କା

ଲକ୍ଷ୍ନୌ : ଉତ୍ତରପ୍ରଦେଶର ହାଥରସ୍‌ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଏବଂ ତାଙ୍କ ପରିବାରକୁ ନଜଣାଇ ବିଳମ୍ବିତ ରାତିରେ ପୋଲିସ ଦ୍ବାରା ଅନ୍ତିମ ସଂସ୍କାର କରାଯିବା ଘଟଣାକୁ ନେଇ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଲଜ୍ଜାଜନକ ପ୍ରସଙ୍ଗରେ ବିଭିନ୍ନ ଦଳ ସଂଗଠନ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତିରେ ପୀଡ଼ିତା ପରିବାର ପ୍ରତି ସମବେଦନା ଜଣାଇବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଦିଲ୍ଲୀରୁ ହାଥରସ୍‌ ଯାଉଥିବା ବେଳେ ସେମାନେ ଅପ୍ରୀତିକର ପରିସ୍ଥିିତିର ସମ୍ମୁଖୀନ ହୋଇଛନ୍ତି। ୟୁପି ପୋଲିସ ସେମାନଙ୍କୁ ବାଟରେ ଅଟକାଇଛି। ଏପରିକି ରାହୁଲଙ୍କୁ ଧସ୍ତାଧସ୍ତି କରି ତଳେ ପକାଇଦେଇଥିବାର ମଧ୍ୟ ଅଭିଯୋଗ ହୋଇଛି। ପରେ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ କେତେକ କଂ‌େଗ୍ରେସ ନେତାଙ୍କୁ ଅଟକ ରଖି ଦିଲ୍ଲୀ ଫେରିଯିବାକୁ ବାଧ୍ୟ କରିଛି।

ରାହୁଲ ଓ ପ୍ରିୟଙ୍କା ଯାଉଥିବାର ସୂଚନା ପାଇ ଜିଲ୍ଲା ପ୍ରଶାସନ ହଠରାସ୍‌ରେ ୧୪୪ ଜାରି କରିଥିଲା। ତେଣୁ ଗ୍ରେଟର ନଏଡା ସୀମାରେ ପୁଲିସ ରାହୁଲ, ପ୍ରିୟଙ୍କା ଓ ଅନ୍ୟ କଂଗ୍ରେସ ନେତା କର୍ମୀମାନଙ୍କୁ ଆଗକୁ ଯିବାକୁ ଦେଇନଥିଲା। ଫଳରେ ସେମାନେ ଗାଡ଼ିରୁ ଓହ୍ଲାଇ ଚାଲିବା ଆରମ୍ଭ କରିଥିଲେ। ଏହି ସମୟରେ ପୁଲିସ ଏବଂ ରାହୁଲ ମୁହାଁମୁହିଁ ହୋଇଥିଲେ। ପୁଲିସ ସହ ଧସ୍ତାଧସ୍ତି ସମୟରେ ରାହୁଲ ତଳେ ପଡ଼ିଯାଇଥିଲେ। ତେବେ ରାହୁଲ ଅଭିଯୋଗ କରିଛନ୍ତି ଯେ ପୁଲିସ ତାଙ୍କ ଉପରକୁ ଲାଠିମାଡ଼ କରିଥିଲା ଏବଂ ତାଙ୍କୁ ଟାଣି ତଳେ ପକାଇ ଦେଇଥିଲା । ମିଳିଥିବା ସୂଚନାନୁଯାୟୀ ଉଭୟ ରାହୁଲ ଏବଂ ପ୍ରିୟଙ୍କାଙ୍କୁ ଗିରଫ କରିବା ପରେ ପୁଲିସ ଜିପ୍‌ରେ ନେଇ ଏକ ଗେଷ୍ଟ୍‌ ହାଉସ୍‌ରେ କିଛି ‌ସମୟ ପାଇଁ ରଖିଥିଲା। ପରେ ସେମାନଙ୍କୁ ୟୁପି ପୁଲିସ ଦିଲ୍ଲୀ ଫେରାଇ ଆଣିଥିଲା।

ରାହୁଲ ପ୍ରଶ୍ନ କରିଛନ୍ତି ଯେ ଦେଶରେ କ’ଣ କୌଣସି ସାଧାରଣ ବ୍ୟକ୍ତି ଚାଲି ପାରିବେନି? ଦେଶରେ କେବଳ କ’ଣ ମୋଦୀଜୀ ହିଁ ଚାଲିବେ କି ବୋଲି ସେ ପଚାରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କଡ଼ା ସମାଲୋଚନା କରି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି କହିଥିଲେ ଯେ, ରାଜ୍ୟର ମହିଳାମାନଙ୍କୁ ସୁରକ୍ଷା ଦେଇପାରୁନଥିବା ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ତୁରନ୍ତ ଇସ୍ତଫା ଦେଇଦେବା ଉଚିତ୍‌। ନେତା ଓ କର୍ମୀମାନଙ୍କୁ ପୋଲିସ ଲାଠିମାଡ଼ କରିଥିବା ସେ ଅଭିଯୋଗ କରିଛନ୍ତି।

ରାହୁଲଙ୍କ ପ୍ରତି ୟୁପି ପୋଲିସର ଆଚରଣକୁ ରାଜସ୍ଥାନ ମୁଖ୍ୟମନନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସମେତ ଅନେକ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର