ପ୍ରଖ୍ୟାତ ଲେଖକ ସଲମାନ ରୁସଦିଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ

ନ୍ୟୁୟର୍କ : ଭାରତୀୟ ବଂଶୋଦ୍ଭବ ତଥା ପ୍ରଖ୍ୟାତ ଇଂରାଜୀ ଲେଖକ ସଲମାନ ରୁସଦିଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଶୁକ୍ରବାରଦିନ ନ୍ୟୁୟର୍କର ଏକ ସଭାରେ ଭାଷଣ ଦେଉଥିବା ବେଳେ ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଉଠି ତାଙ୍କୁ ଏକାଧିକ ଥର ଛୁରୀ ଭୁସିଥିଲା । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି ।

ବୁକର ପୁରସ୍କାର ଜିତିଥିବା ରୁସଦି ନ୍ୟୁୟର୍କର ଚଉତାକା ଇନଷ୍ଟିଚ୍ୟୁଟରେ ଭାଷଣ ଦେଉଥିବାବେଳେ ଏହି ଘଟଣା ଘଟିଥିଲା । ଉକ୍ତ ବ୍ୟକ୍ତି ମଞ୍ଚରେ ଚଢି ତାଙ୍କୁ ଛୁରୀ ଭୁସିଥିଲେ । ଲୋକମାନେ ତୁରନ୍ତ ମଞ୍ଚ ଉପରକୁ ଚଢି ତାହାକୁ କାବୁ କରି ପୁଲିସ ହାତରେ ଦେଇଥିଲେ ।

ଭାରତୀୟ ବଂଶୋଦ୍ଭବ ଏହି ଲେଖକ ୧୯୮୧ରେ ଭାରତର ବିଭାଜନ ଉପରେ ପର୍ଯ୍ୟବେଶିତ ଉପନ୍ୟାସ ମିଡନାଇଟ୍ସ ଚିଲଡ୍ରେନ ଲେଖି ଲୋକପ୍ରିୟ ହୋଇଥିଲେ ।

ଇଂରାଜୀ ପୁସ୍ତକ ସାଟାନିକ ଭର୍ସେସ ଲେଖିବା ପରେ ତାହାକୁ ଇସଲାମିକ ଜଗତରେ ତୀବ୍ର ବିରୋଧ କରାଯାଇଥିଲା । ଏହି ବହି ୧୯୮୮ରୁ ଇରାନରେ ନିଷିଦ୍ଧ ରହିଛି । ୧୯୮୯ରେ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଆୟାତୋଲ୍ଲା ଖୋମିନି ତାଙ୍କ ହତ୍ୟା ପାଇଁ ଫତଓ୍ବା ଜାରି କରିଥିଲେ । ୨୦୧୨ରେ ଇରାନର ଏକ ଧାର୍ମିକ ସଂସ୍ଥା  ରୁସଦିଙ୍କୁ ଯିଏ ହତ୍ୟା କରିବ ତାଙ୍କୁ ୨.୮ ନିୟୁତ ଡଲାର ଦିଆଯିବ ବୋଲି ଘୋଷଣା କରିଥିଲା । ପରେ ଏହି ପୁରସ୍କାର ରାଶିକୁ ୩.୩ ନିୟୁତ ଡଲାରକୁ ବୃଦ୍ଧି କରାଯାଇଥିଲା ।

 

 

ସମ୍ବନ୍ଧିତ ଖବର