କିବ୍ : ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ୨୬ ଦିନ ପୂରିଛି। ରାଜଧାନୀ କିବ୍ ଏବଂ ପୋର୍ଟ୍ ସିଟି ମାରିୟୁପୋଲ୍ରେ ରୁଷ୍ ଲଗାତାର ଆକ୍ରମଣ ଜାରି ରଖିଛି। କିବ୍ରେ ରୁଷ୍ ଗତକାଲି ରାତିସାରା ବୋମାମାଡ଼ କରିଛି। ଉତ୍ତର କିବ୍ର ପୋଡିଲ୍ସ୍କାଇ ଜିଲ୍ଲାରେ ଏକ ସପିଂ ସେଣ୍ଟର୍ ଉପରେ ଗୋଳାବର୍ଷା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଯାଇଛି। କିବ୍ ଦଖଲ ପାଇଁ ଆକ୍ରମଣ ପୁଣି ଜୋରଦାର ହୋଇଥିବାରୁ କିବ୍ ମେୟର ଆଜି ପୁଣି ଥରେ କର୍ଫ୍ୟୁ ଘୋଷଣା କରିଛନ୍ତି। ରୁଷ ସେନା କିବ୍ ସହରର କେନ୍ଦ୍ରସ୍ଥଳଠାରୁ ୨୫ କିମି ଦୂରରେ ଥିବା କୁହାଯାଉଛି। କିବ୍ରେ ସୋମବାର ସନ୍ଧ୍ୟା ୮ଟାରୁ କର୍ଫ୍ୟୁ ଆରମ୍ଭ ହୋଇ ବୁଧବାର ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଅନ୍ୟପକ୍ଷେ ରୁଷ୍ ଆଜି ଜିଟୋମିର ପ୍ରଦେଶ ଉପରେ ପ୍ରଥମ ଆକ୍ରମଣ କରିଛି। ଏଥିଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜିଟୋମିର ଗଭର୍ଣ୍ଣର୍ କହିଛନ୍ତି।
ସପିଂ ସେଣ୍ଟର୍ ଉପରେ ଆକ୍ରମଣ, ୮ ମୃତ, ପୁଣି କର୍ଫ୍ୟୁ
ମାରିୟୁପୋଲ୍ ଦଖଲ ପାଇଁ ରୁଷ୍ର ଜୋରଦାର ଆକ୍ରମଣ
ପ୍ରତି ୧୦ ମିନିଟ୍ରେ ବୋମାମାଡ଼
ସୁମି ରସାୟନ କେନ୍ଦ୍ରରେ ରକେଟ୍ ମାଡ଼, ଆମୋନିଆ ଗ୍ୟାସ୍ ଲିକ୍
ସାମରିକ ପ୍ରତିଷ୍ଠାନ ଉପରେ କ୍ରୁଜ୍ ମିସାଇଲ୍ ମାଡ଼
ମାରିୟୁପୋଲ୍ ଦଖଲ ପାଇଁ ବି ରୁଷ୍ ଭୟଙ୍କର ଆକ୍ରମଣ ଜାରି ରଖିଛି। ମାରିୟୁପୋଲ୍ରେ ପ୍ରତି ୧୦ ମିନିଟ୍ରେ ବୋମାମାଡ଼ ହେଉଛି। ମାରିୟୁପୋଲ୍ ଆତ୍ମସମର୍ପଣ କରିବା ସଂକ୍ରାନ୍ତ ରୁଷ୍ର ଦାବିକୁ ୟୁକ୍ରେନ୍ ଉପ ପ୍ରଧାନମନ୍ତ୍ରୀ ଇରିନା ଭେରେଶଚୁକ ପ୍ରତ୍ୟାଖ୍ୟାନ କରିଛନ୍ତି। ଆତ୍ମସମର୍ପଣ କିମ୍ବା ଅସ୍ତ୍ରତ୍ୟାଗ ନେଇ କୌଣସି କଥାବାର୍ତ୍ତା ହେବନି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନ୍ ସେନା ଅସ୍ତ୍ର ତ୍ୟାଗ କରିବା ସହ ଧଳା ପତାକା ପ୍ରଦର୍ଶନ କରି ସୁରକ୍ଷିତ କରିଡର ଦ୍ବାରା ମାରିୟୁପୋଲ୍ ଛାଡ଼ି ଦିଅନ୍ତୁ ବୋଲି ରୁଷ୍ ଦାବି କରିଥିଲା। ସୁମିରେ ଆଜି ଏକ ରସାୟନ ପ୍ଲାଣ୍ଟ୍ ଉପରେ ରୁଷ୍ର ରକେଟ୍ ମାଡ଼ ଯୋଗୁଁ ଆମୋନିଆ ଗ୍ୟାସ ଲିକ୍ ହୋଇଛି। ସୁମି ଗଭର୍ଣ୍ଣର ଡିମିଟ୍ରୋଙ୍କ ଅନୁଯାୟୀ ରକେଟ୍ ମାଡ଼ ଯୋଗୁଁ ପ୍ଲାଣ୍ଟ୍ର ଏକ ୫୦ ଟନ୍ ଟ୍ୟାଙ୍କ୍ରୁ ଆମୋନିଆ ଲିକ୍ ହୋଇଛି। ରୁଷ୍ ସାମରିକ ମୁଖପାତ୍ର ଇଗୋର କୋନାଶେଙ୍କଭ କହିଛନ୍ତି, ଏହା ରୁଷ୍ର ଏକ ଯୋଜନାବଦ୍ଧ ଆକ୍ରମଣ। କିନ୍ତୁ ଏଥିଯୋଗୁଁ କୌଣସି ଜୀବନହାନି ହୋଇନାହିଁ। ରୁଷ୍ ମଧ୍ୟ ଆଜି ୟୁକ୍ରେନ୍ର ଏକ ସାମରିକ ଟ୍ରେନିଂ ସେଣ୍ଟର୍ ଉପରେ କ୍ରୁଜ୍ ମିସାଇଲ୍ ମାଡ଼ କରିଛି। ଉତ୍ତରପଶ୍ଚିମ ୟୁକ୍ରେନ୍ର ରିବ୍ନେ ପ୍ରଦେଶରେ ରୁଷ୍ର କ୍ରୁଜ୍ ମିସାଇଲ୍ ମାଡ଼ ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ମେଜର ଜେନେରାଲ୍ ଇଗୋର କୋନାଶେଙ୍କଭ କହିଛନ୍ତି। ଅନ୍ୟପକ୍ଷେ ଚେର୍ନୋବିଲ୍ ପରମାଣୁ ଶକ୍ତ କେନ୍ଦ୍ରରେ ବିକିରଣ ସ୍ତର ଯାଞ୍ଚ ହୋଇପାରୁନି ବୋଲି ୟୁକ୍ରେନ୍ ଦାବି କରିଛି।
ରୁଷ୍ ୨୦୦୦ରୁ ଅଧିକ ଶିଶୁଙ୍କୁ ଅପହରଣ କରିନେଇଛି। ଡୋନ୍ବାସରୁ ୨୩୮୯ ଶିଶୁଙ୍କୁ ଅପହରଣ କରାଯାଇଛି ବୋଲି ୟୁକ୍ରେନ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଦାବି ହୋଇଛି। ସେମାନଙ୍କୁ ରୁଷ୍ ପଠାଯାଉଛି। ଅନ୍ୟପକ୍ଷେ ରବିବାର ଦିନ ୟୁକ୍ରେନ୍ର ୬ଟି ଅତିରିକ୍ତ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ରୁଷ୍ ଆକ୍ରମଣ କରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) କହିଛି, ଗତ ୨୫ ଦିନ ମଧ୍ୟରେ ୟୁକ୍ରେନ୍ର ୫୨ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ରୁଷ୍ ଆକ୍ରମଣ କରିଛି। ଆଜି ଉଭୟ ରାଷ୍ଟ୍ର ମଧ୍ୟରେ ଭର୍ଚୁଆଲ ଭାବେ ୯୦ ମିନିଟ୍ ଧରି ଶାନ୍ତି କଥାବାର୍ତ୍ତା ଚାଲିଥିଲା। କିନ୍ତୁ ଏଥିରୁ କୌଣସି ନିଷ୍କର୍ସ ବାହାରିପାରିନି।