ପ୍ରତିମୂର୍ତ୍ତିରେ ପ୍ରହାର ଦେଶବ୍ୟାପୀ ଉତ୍ତେଜନା

ଲେଲିନ୍‌, ପେରିୟାର୍‌ଙ୍କ ପରେ ଆମ୍ବେଦକର ଓ ମୁଖାର୍ଜୀଙ୍କ ମୂର୍ତ୍ତି ଭାଙ୍ଗିଲେ

ନୂଆଦିଲ୍ଲୀ: ବିଜେପିର ତ୍ରିପୁରା ବିଜୟ ପରେ ୨ଟି ସ୍ଥାନରେ ଲେନିନ୍‌ଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ନେଇ ଏବେ ବିଭିନ୍ନ ରାଜ୍ୟରେ ଅଶାନ୍ତି ଓ ଉତ୍ତେଜନା ଦେଖିବାକୁ ମିଳିଛି। ଗତରାତିରେ ତାମିଲନାଡ଼ୁର ତିରୁପତ୍ତୁର ସହରରେ ସମାଜ ସଂସ୍କାରକ ପେରିୟାର ଇଭି ରାମାସ୍ୱାମୀଙ୍କ ପ୍ରତିମୂର୍ତ୍ତିରେ ଭଙ୍ଗାରୁଜା ହୋଇଥିବା ବେଳେ ଆଜି କୋଲକାତା ଏବଂ ଉତ୍ତରପ୍ରଦେଶରେ ମଧ୍ୟ ଏଭଳି କାଣ୍ଡ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ମିରଟ୍‌ରେ କିଛି ଉତ୍ସୃଙ୍ଖଳ ବ୍ୟକ୍ତି ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର୍‌. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଛନ୍ତି। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଦଳିତ ସମ୍ପ୍ରଦାୟ ସଦସ୍ୟମାନେ ମିରଟ୍‌ର ମଓ୍ଵାନାରେ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ତେବେ ଜିଲ୍ଲା ପ୍ରଶାସନ ଆମ୍ବେଦକରଙ୍କର ଅନ୍ୟ ଏକ ପ୍ରତିମୂର୍ତ୍ତି ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାପିତ କରିବାରୁ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଗତକାଲି ବିଳମ୍ବିତ ରାତ୍ରିରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଯାଇଥିବା ବେଳେ ଏହି ମାମଲାରେ ୯ ଜଣଙ୍କୁ ପୁଲିସ ଗିରଫ କରିଛି। ଅନ୍ୟପକ୍ଷେ କୋଲକାତାକୁ ମଧ୍ୟ ମୂର୍ତ୍ତି ଭଙ୍ଗା ହିଂସା ବ୍ୟାପିଛି। ଆଜି ସକାଳେ ଦକ୍ଷିଣ କୋଲକାତାର କେଓରାତଲ୍ଲାରେ ସ୍ଥାପିତ ଜନସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିକୁ ବିଶୃଙ୍ଖଳ ଜନତା ଭାଙ୍ଗି ଦେବା ସହ ମୂର୍ତ୍ତିିରେ କଳା ବୋଳି ଦେଇଛନ୍ତି। ତ୍ରିପୁରାରେ ଲେନିନ୍‌ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ବିରୋଧରେ ସ୍ଲୋଗାନ୍‌ ଦେଇ ବାମଦଳ ସମର୍ଥକମାନେ ଏଭଳି କରିଥିବା କୁହାଯାଉଛି । ଏହି ମାମଲାରେ ଜାଦବପୁର ବିଶ୍ୱବିଦ୍ୟାଳୟର ୬ ଜଣଙ୍କୁ ପୁଲିସ ଗିରଫ କରିଛି।

ଅନ୍ୟପକ୍ଷରେ ଏହି ହିଂସାକାଣ୍ଡରେ ତୃଣମୂଳ କଂଗ୍ରେସ ବିଧାୟକ ଶୋଭନଦେବ ଚାଟାର୍ଜୀ ଦୁଃଖ ପ୍ରକାଶ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଏଭଳି ଘଟଣାକୁ ଆଦୌ ପ୍ରଶ୍ରୟ ମିଳିବ ନାହିଁ। ପଶ୍ଚିମବଙ୍ଗ ବିଜେପି ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ମାମଲାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ପ୍ରତିମୂର୍ତ୍ତି ଭଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଚିନ୍ତା ପ୍ରକଟ କରବା ସହ ଏଭଳି ନିନ୍ଦନୀୟ ଘଟଣାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାଇ ଦେଇଛନ୍ତି। ମୋଦି ଏନେଇ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟଗୁଡ଼ିକୁ ଏ ବାବଦରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଏବଂ ଆଗକୁ ଏଭଳି ସ୍ଥିତି ନଉପୁଜିବା ଦିଗରେ ପର୍ଯ୍ୟାପ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଜେପି ଅଧ୍ୟକ୍ଷ ଅମିତ ଶାହ ଦଳୀୟ କର୍ମୀମାନଙ୍କୁ ଚେତାଇ ଦେଇଛନ୍ତି ଯେ ଏଭଳି ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

ଡିଏମ୍‌, ଏସ୍‌ପି ଦାୟୀ ରହିବେ: ଗୃହ ମନ୍ତ୍ରାଳୟ
ନୂଆଦିଲ୍ଲୀ: ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାକୁ ନେଇ ଦେଶରେ ଲାଗି ରହିଥିବା ଅଶାନ୍ତ ପରିସ୍ଥିତିର ଅବସାନ ଘଟାଇବାକୁ କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି। ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ଦୁଇଟି ନିର୍ଦ୍ଦେଶନାମା ଜାରି କରାଯାଇଛି। ପ୍ରଥମ ନିର୍ଦ୍ଦେଶନାମାରେ ରାଜ୍ୟ ଗୁଡ଼ିକରେ ବ୍ୟାପୁଥିବା ହିଂସାକାଣ୍ଡ ରୋକିବା ପାଇଁ ଯଥୋଚିତ ପଦକ୍ଷେପ ଗ୍ରହଣ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ କୌଣସି ରାଜ୍ୟରେ ପରବର୍ତ୍ତୀ ହିଂସାକାଣ୍ଡ ପାଇଁ ସମ୍ପୃକ୍ତ ଅଞ୍ଚଳର ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏବଂ ପୁଲିସ ସୁପରିନ୍‌ଟେଣ୍ଡେଣ୍ଟ୍‌ ବ୍ୟକ୍ତିଗତ ଭାବେ ଦାୟି ରହିବେ। ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି ଯେ ଡିଏମ୍‌ ଏବଂ ଏସ୍‌ପିମାନେ ସେମାନଙ୍କ ନିଜ ନିଜ ଅଞ୍ଚଳରେ କୌଣସି ହିଂସାକାଣ୍ଡ ନହେବାପାଇଁ ଯଥୋଚିତ ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ ଏବଂ ଅତି ନିକଟରୁ ପରିସ୍ଥିତି ଆକଳନ କରି ଦୋଷୀଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଜରୁରୀ। ଗତକାଲି ଗୃହମନ୍ତ୍ରୀ ରାଜନାଥ ସିଂହ ତ୍ରିପୁରା ରାଜ୍ୟପାଳ ତଥାଗତ ରାୟ ଏବଂ ଡିଜିପି ଏକେ ଶୁକ୍ଳାଙ୍କ ସହ ଆଲୋଚନା କରି ରାଜ୍ୟରେ ଏକ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ କହିଥିଲେ।

ସମ୍ବନ୍ଧିତ ଖବର