ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜାଫରନଗରରେ କାଉଡ଼ିଆ ଯାତ୍ରା ମାର୍ଗରେ ଥିବା ଭୋଜନାଳୟ ମାଲିକଙ୍କ ନାମ ପ୍ରଦର୍ଶିତ କରିବା ପାଇଁ ପୁଲିସର ନିର୍ଦ୍ଦେଶକୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଡ଼ା ସମାଲୋଚନା କରିଛନ୍ତି। ଜାତି ଓ ଧର୍ମ ଆଧାରରେ ସମାଜରେ ବିଭାଜନ ସୃଷ୍ଟି କରିବା ଭଳି ପଦକ୍ଷେପ ସମ୍ବିଧାନ ବିରୋଧୀ ବୋଲି ସେ କହିଛନ୍ତି। ଏହି ଆଦେଶକୁ ତୁରନ୍ତ ପ୍ରତ୍ୟାହାର କରାଯିବା ଉଚିତ ଏବଂ ଏହା ଜାରି କରିଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପ୍ରିୟଙ୍କା ଦାବି କରିଛନ୍ତି। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ଭାଷା କିମ୍ବା ଅନ୍ୟ କୌଣସି ଆଧାରରେ ଭେଦଭାବ କରାଯିବ ନାହିଁ ବୋଲି ଗ୍ୟାରେଣ୍ଟି ଦେଇଛି।

Advertisment

ଏପରିସ୍ଥଳେ ହୋଟେଲ ମାଲିକଙ୍କ ନାମ ଉଲ୍ଲେଖ କରିବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଏଆଇଏମ୍‌ଆଇଏମ ମୁଖ୍ୟ ଅସଦୁଦ୍ଦିନ ଅୱେସି ଦାବି କରିଛନ୍ତି ଯେ କୌଣସି କାଉଡ଼ିଆ କୌଣସି ମୁସଲମାନ ମାଲିକଙ୍କ ଦୋକାନରୁ କିଛି ଯେଭଳି ନ କିଣି ପାରିବ ତାହା ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ଏହି ପଦକ୍ଷେପକୁ ଦକ୍ଷିଣ ଆଫ୍ରିକାର ‘ରଙ୍ଗଭେଦ’ଏବଂ ହିଟଲରଙ୍କ ଜର୍ମାନୀ ନୀତି ସହ ଯୋଡ଼ିଛନ୍ତି। ବିବାଦ ବଢିବା ପରେ ପୋଲିସ ଏକ ବିବୃତିରେ ସ୍ପଷ୍ଟ କରିଛି ଯେ ଏହି ନିର୍ଦ୍ଦେଶର ଉଦ୍ଦେଶ୍ୟ କୌଣସି ପ୍ରକାର ‘ଧାର୍ମିକ ଭେଦଭାବ’ ସୃଷ୍ଟି କରିବା ନୁହେଁ ବରଂ କେବଳ ଶ୍ରଦ୍ଧାଳୁଙ୍କ ସୁବିଧା କରିବା ପାଇଁ ଉଦ୍ଦିଷ୍ଟ। ଭଗବାନ ଶିବଙ୍କ ଭକ୍ତମାନଙ୍କ ବାର୍ଷିକ କାଉଡ଼ିଆ ଯାତ୍ରା ଜୁଲାଇ ୨୨ରୁ ଆରମ୍ଭ ହେବ।