ଭୋପାଳ: ଅସଦାଚରଣକୁ ବିରୋଧ କରିବାରୁ ଭୋପାଳର ଜଣେ ମହିଳାଙ୍କୁ ଦୁର୍ବୃତ୍ତମାନେ ପେପର କଟର ସାହାଯ୍ୟରେ ଆକ୍ରମଣ କରିବା ଫଳରେ ତାଙ୍କ ମୁହଁରେ ୧୧୮ଟି ଷ୍ଟିଚ୍ ପଡ଼ିଛି। ଦୁଇ ଜଣ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ପୁଲିସ ଧରିଥିବା ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମହିଳାଙ୍କ ସାହସିକତା ପାଇଁ ତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି। ପୁଲିସର ସୂଚନା ଅନୁସାରେ ମହିଳା ଓ ତାଙ୍କ ସ୍ବାମୀ ଶୁକ୍ରବାର ଟିଟି ନଗରର ରୋଶନପୁରାଠାରେ ଥିବା ଶ୍ରୀ ପ୍ୟାଲେସ ହୋଟେଲକୁ ଯାଇଥିଲେ। ଯେତେବେଳେ ମହିଳାଙ୍କ ସ୍ବାମୀ ହୋଟେଲ ଭିତରକୁ ଏକ ପାଣିବୋତଲ ଆଣିବାକୁ ଯାଇଥିଲେ କିଛି ଅଭଦ୍ର ଯୁବକ ମହିଳାଙ୍କୁ ଅଶ୍ଳୀଳ କମେଣ୍ଟ ମାରିବା ସହ ହ୍ବିଶିଲ ମାରିଥିଲେ। ଏଥିରେ ମହିଳା ଜଣକ ଜଣେ ଯୁବକର ଗାଲକୁ ଚଟକଣା ବଜାଇ ଦେଇଥିଲେ।
ଏହାପରେ ବହୁ ଲୋକ ସେଠାରେ ଗଦା ହୋଇ ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସ୍ବାମୀ ପାଣି ବୋତଲ ଆଣି ହୋଟେଲରୁ ଫେରିବା ପରେ ସେ ସ୍ବାମୀଙ୍କ ବାଇକ୍ ପଛରେ ବସି ପ୍ରତ୍ୟାବର୍ତ୍ତନ କରିବା ସମୟରେ ସମ୍ପୃକ୍ତ ଦୁର୍ବୃତ୍ତମାନେ ପେପର କଟର ସାହାଯ୍ୟରେ ମହିଳାଙ୍କ ମୁହଁକୁ ପଛପଟୁ ଆକ୍ରମଣ କରିଥିଲେ। ମହିଳାଙ୍କ ସ୍ବାମୀ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେଇଯାଇଥିଲେ। ତିନିଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ପୁଲିସ ଏ ପର୍ଯ୍ୟନ୍ତ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ବାଦଶାହ ବେଗ ଓ ଅଜୟ ଓରଫ ବିଟ୍ଟି ସିବଦେ। ତୃତୀୟ ଜଣଙ୍କୁ ଖୋଜାଖୋଜି ଚାଲିଛି। ହୋଟେଲର ସିସିଟିଭି ଫୁଟେଜକୁ ଭିତ୍ତି କରି ପୁଲିସ ଉକ୍ତ ଯୁବକମାନଙ୍କୁ ଗିରଫ କରିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆହତ ମହିଳାଙ୍କୁ ତାଙ୍କ ଘରେ ସାକ୍ଷାତ କରିବା ସହ ତାଙ୍କ ସାହାସିକତା ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି ଏବଂ ଦୁର୍ବୃତ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେଇଛନ୍ତି।