୧୯୯୩ ଭଳି ଆକ୍ରମଣ ଯୋଜନା: ବ୍ରିଜ୍‌, ରେଳଧାରଣା ଉଡ଼ାଇବାକୁ ଆଇଏସ୍‌ଆଇ ତାଲିମ ଦେଇଥି‌ଲା

ନୂଆଦିଲ୍ଲୀ : ‌ଦେଶରେ ୧୯୯୩ ବମ୍ବେ ବିସ୍ଫୋରଣ ପରି ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା ହୋଇଥିଲା। କିନ୍ତୁ ଏହି ଯୋଜନାକୁ ଦିଲ୍ଲୀ ପୁଲିସ ପଣ୍ଡ କରିଦେଇଛି। ମଙ୍ଗଳବାର ଦିଲ୍ଲୀ ପୁଲିସ ୩ଟି ରାଜ୍ୟରେ ଚଢ଼ଉ କରି ଏକ ବଡ଼ ଧରଣର ଆତଙ୍କବାଦୀ ନେଟ୍‌ୱର୍କର ପର୍ଦ୍ଦାଫାସ କରିଥିଲା। ଦିଲ୍ଲୀ ପୁଲିସ ୬ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ଥିଲେ। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦ୍ବାରା ତାଲିମ ନେଇଥିବା ଏହି ୨ ଆତଙ୍କବାଦୀ ଉକ୍ତ ନେଟ୍‌ୱର୍କର ପରିଚାଳନା କରୁଥିଲେ।

ଆତଙ୍କବାଦୀଙ୍କ ଜେରାରୁ ଜଣାପଡ଼ିଛି ଯେ, ସେମାନେ ଦେଶରେ ୧୯୯୩ ବମ୍ବେ ବି‌‌ସ୍ଫୋରଣ ପରି ଏକ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲେ। ଆଗକୁ ପାର୍ବଣ ଥିବାରୁ ବିଶାଳ ଜନସମାବେଶରେ ଆକ୍ରମଣ ସହ ବ୍ରିଜ୍‌, ରେଳଧାରଣା ଆଦି ଉଡ଼ାଇ ଦେବାକୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏହି ଆତଙ୍କବାଦୀଙ୍କୁ ସ୍ବତନ୍ତ୍ର ତାଲିମ ଦେଇଥିଲା। ଗିରଫ ହୋଇଥିବା‌ ଆତଙ୍କବାଦୀଙ୍କଠାରୁ ପୁଲିସ ଦେଢ଼ କିଲୋଗ୍ରାମ ଆର୍‌ଡିଏକ୍ସ ଜବତ କରିଛି। ପୁଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି। ଆଗକୁ ଏହି ମାମଲାରେ ଆହୁରି ଅଧିକ ଲୋକ ଗିରଫ ‌ହୋଇପାରନ୍ତି। ତଦନ୍ତ ସମୟରେ ୨ ପାକିସ୍ତାନୀ ଆତଙ୍କବାଦୀ ଜିଶାନ୍‌ ଏବଂ ଓସାମା କହିଛନ୍ତି, ସେମାନେ ସମୁଦ୍ର ପଥ ଦ୍ବାରା ଗ୍ବାଦର ବନ୍ଦର ଦେଇ ପାକିସ୍ତାନ ପ୍ରବେଶ କରିଥିଲେ। ଓମାନରୁ ପାକିସ୍ତାନ ଯିବାପାଇଁ ସେମାନେ ମୋଟରବୋଟ୍‌ ବ୍ୟବହାର କରିଥିବା ସ୍ବୀକାର କରିଛନ୍ତି। ତଦନ୍ତରୁ ଏହା ଜଣାପଡ଼ିଛି ଯେ, ଗିରଫ ହୋଇଥିବା ୨ ଆତଙ୍କବାଦୀଙ୍କ ସହ ବଙ୍ଗଳା ଭାଷା କହୁଥିବା ପ୍ରାୟ ୧୫ ଜଣ ଆଇଏସ୍‌ଆଇ ଦ୍ବାରା ତାଲିମ ନେଇଛନ୍ତି। ମହାରାଷ୍ଟ୍ର ଏଟିଏସ୍‌ ଟିମ୍‌ ମଧ୍ୟ ଏବେ ଦିଲ୍ଲୀରେ ରହିଛି।

ଦିଲ୍ଲୀ ପୁଲିସ ଗିରଫ କରିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ଆଇଏସ୍ଆଇ ଦ୍ବାରା ତାଲିମ ନେଇଥିବା ଜଣାପଡ଼ିଛି। ଗିରଫ ଆତଙ୍କବାଦୀମାନେ ହେଉଛନ୍ତି ମହମ୍ମଦ ଶେଖ୍‌ (୪୭) ଓରଫ୍‌ ‘ସମୀର’, ଓସାମା (‘୨୨), ମୁଲ୍‌ଚାନ୍ଦ (୪୭), ଜିଶାନ କମାର (୨୮), ମହମ୍ମଦ ଅବୁ ବକର (୨୩), ମହମ୍ମସ ଅମିର ଜାଭେଡ଼ (୩୧)। ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରାଯାଇଛି ଏବଂ ସେମାନଙ୍କୁ ପରବର୍ତ୍ତୀ ଜେରା ପାଇଁ ଦିଲ୍ଲୀ ପୁଲିସ ୧୪ ଦିନ ରିମାଣ୍ଡ୍‌ରେ ନେଇଛି। ତଦନ୍ତ ପ୍ରକ୍ରିୟାରୁ ଜଣାପଡ଼ିଛି ଯେ ପାକିସ୍ତାନର ଆତଙ୍କବାଦୀ ନେଟୱର୍କ ୨ଟି ଉପ‌ାୟରେ କାମ କରୁଛନ୍ତି। ଗୋଟିଏ ପଟେ ସେମାନେ ଅଣ୍ଡରୱାର୍ଲ୍ଡ ସହିତ ସଂପର୍କ ରଖି ଆକ୍ରମଣ ଯୋଜନା କରୁଥିବା ବେଳେ ଅନ୍ୟ ପନ୍ଥା ହେଉଛି ଆଇଏସ୍‌ଆଇର ପୂର୍ଣ୍ଣ ସହଯୋଗରେ ଆକ୍ରମଣ ଯୋଜନା କରିବା। ସମସ୍ତ ପାକ୍‌ ଆତଙ୍କବାଦୀ ସଂଗଠନର ଟାର୍ଗେଟ୍‌ରେ କେବଳ ଭାରତ ହିଁ ରହିଛି ।

ସମ୍ବନ୍ଧିତ ଖବର