ମୁମ୍ବାଇରେ ୨୬/୧୧ ଭଳି ଆକ୍ରମଣ ଧମକ

ମୁମ୍ବାଇ: ମୁମ୍ବାଇରେ ୨୬/୧୧ ଭଳି ଆକ୍ରମଣ ପାଇଁ ଧମକ ମିଳିଛି। ମୁମ୍ବାଇ ପୁଲିସର ଟ୍ରାଫିକ୍‌ ନିୟନ୍ତ୍ରଣ ବିଭାଗ ଗତରାତିରେ ଧମକପୂର୍ଣ୍ଣ ମେସେଜ ପାଇଛି। ମୁମ୍ବାଇ ସହର‌ରେ ୨୬/୧୧ ଭଳି ଆଉ ଏକ ଆକ୍ରମଣ ହେବ ଏହା ଏହା ପୁରୁଣା ସ୍ମୃତିକୁ ମନେ ପକାଇଦେବ ବୋଲି ମେସେଜ୍‌ରେ ଦାବି ହୋଇଛି। ୬ ଜଣ ବ୍ୟକ୍ତି ଏହି ଯୋଜନା କାର୍ଯ୍ୟକାରୀ କରିବେ ବୋଲି କୁହାଯାଇଛି। ଏହି ମେସେଜ୍‌ର ସ୍କ୍ରିନ୍‌ସଟ୍‌ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ପାକିସ୍ତାନର ହ୍ବାଟ୍ସଆପ୍‌ ନମ୍ବରରୁ ଏହି ମେସେଜ ଆସିଥିବା ଜଣାପଡ଼ିଛି। ମୁମ୍ବାଇ ପୁଲିସ କ୍ରାଇମବ୍ରାଞ୍ଚ୍‌ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ୱର୍ଲି ଥାନାରେ ଏନେଇ ମାମଲା ରୁଜୁ ହୋଇଛି। ମୁମ୍ବାଇ ପୁଲିସ କମିସନର ବିବେକ ଫନ୍‌ସଲକର କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ନମ୍ବରଟି ପାକିସ୍ତାନର। ଭାରତରେ କିଛି ସହେନ୍ଦଜନକ ଫୋନ୍‌ ନମ୍ବର ସଂକ୍ରାନ୍ତରେ ମଧ୍ୟ ଆମେ ଖବର ପାଇଛୁ। ଏହି ମାମଲାର ପୂରା ମୂଳକୁ ଯାଇ ଆମେ ତଦନ୍ତ କରିବୁ ବୋଲି କମିସନର ମୁମ୍ବାଇ ବାସିନ୍ଦାଙ୍କୁ ଆଶ୍ବସ୍ତ କରାଇଛନ୍ତି। ୨୬/୧୧ ଭଳି ଆକ୍ରମଣ ସହ ମୁମ୍ବାଇରେ ଉଦୟପୁର ଭଳି ଆକ୍ରମଣ ହୋଇପାରେ ବୋଲି ମଧ୍ୟ ଧମକ ମିଳିଛି। ନିକଟରେ ରାୟଗଡ଼ ଜିଲ୍ଲାର ହରି‌ହରେଶ୍ବର ବେଳାଭୂମିରୁ ଏକ ଅସ୍ତ୍ର ବୋଝେଇ ବୋଟ୍‌ ଜବତ ହେବାପରେ ଗତକାଲି ଏହି ମେସେଜ୍‌ ଆସିଛି। ତେଣୁ ମୁମ୍ବାଇ ପୁଲିସ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛି ଏବଂ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର